ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନୂଆ ସରକାର ଗଠନ ହେବା ପରେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
- ଓଡ଼ିଶା ବାହାରେ ଏକାଠି ହେଲେ ଦୁଇ ନେତା
- ଫୋକସ୍ରେ ଓଡ଼ିଶାର ବିକାଶ
- ଭେଟ୍ଘାଟ୍କୁ ଅଣରାଜନୀତିକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ କହିଲେ ନବୀନ
- ଆମର ଲକ୍ଷ୍ୟ ଓଡ଼ିଶାର ବିକାଶ : ଧର୍ମେନ୍ଦ୍ର
ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାଭବନରେ ଏହି ଦୁଇ ନେତାଙ୍କ ମଧ୍ୟରେ ଓଡ଼ିଶାର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଥିବା ବେଳେ ଏହି ଭେଟ୍ଘାଟ୍କୁ ନେଇ ରାଜନୀତି କରିଡରରେ ଅନେକ ଚର୍ଚ୍ଚା ହେଉଛି।
ନବୀନ-ଧର୍ମେନ୍ଦ୍ରଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଓଡ଼ିଶାର ବିକାଶ ମୁଖ୍ୟତଃ ପ୍ରସଙ୍ଗ ପାଲଟିଥିଲା। ଓଡ଼ିଶାରେ ଅର୍ଥନୀତି ଏବଂ ଶିଳ୍ପର ବିକାଶ, ଯୁବପିଢ଼ିଙ୍କୁ ରୋଜଗାର ଆଦି ବିଷୟରେ ଦୁଇ ନେତା ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା କରିଥିଲେ।
ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅଣରାଜନୀତିକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୋଲି କହିଥିଲେ।
‘‘କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାର କିପରି ବିକାଶ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଛି। ଓଡ଼ିଶାବାସୀ କିପରି ବିଭିନ୍ନ ଯୋଜନାରେ ଉପକୃତ ହେବେ ସେ ବିଷୟରେ ମଧ୍ୟ ଆଲୋଚନା କରିଛୁ। ଏହି ଆଲୋଚନା ପରେ ଆଗକୁ କିଛି ଭଲ ସଫଳତା ମିଳିବ ବୋଲି ଆଶା ରହିଛି’’, କହିଛନ୍ତି ନବୀନ ପଟ୍ଟନାୟକ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ଓଡ଼ିଶାର ବିକାଶ ଏବଂ ଫନି ବାତ୍ୟାର ପରବର୍ତ୍ତି ସ୍ଥିତିର ମୁକାବିଲା କିଭଳି କରାଯିବ ସେନେଇ ଆଲୋଚନା ହୋଇଛି। ଓଡ଼ିଶାର ଯୁବକମାନଙ୍କୁ ରୋଜଗାର ଏବଂ ବିକାଶ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ। ଇସ୍ପାତ ଶିଳ୍ପ ଉପରେ ଅଧିକ ଫୋକସ୍ କରାଯିବ।’’
ଏହି ଅବସରରେ ସେଲ୍ ପକ୍ଷରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦିଆଯାଇଥିଲା।
ଗତ ୯ ତାରିଖରୁ ମୁଖ୍ୟମନ୍ତ୍ରୀ ୮ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ୧୧ ତାରିଖରେ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ଦାବି ଉଠାଇଥିଲେ। ଏହାସହ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଥିଲେ ନବୀନ।
ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଆଜି ନବୀନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଭେଟିବାକୁ ନେଇ ରାଜନୀତି ଜୋର୍ ଧରିଛି।
ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପି ଏବଂ ବିଜେଡି ପରସ୍ପର ବିରୋଧରେ ଲଢ଼େଇ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ନିର୍ବାଚନୀ ସଭାରେ ନବୀନଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ। ଏପଟେ ନବୀନ ମଧ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରି ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ।
ଏସବୁ ଆରୋପ ପ୍ରତ୍ୟାରୋପ ଭିତରେ ନିର୍ବାଚନ ଶେଷ ହୋଇଛି ଏବଂ ଫଳାଫଳ ମଧ୍ୟ ବାହାରିଛି। ବିଜେଡି ୧୧୨ ଆସନ ପାଇଁ ସରକାର ଗଢ଼ିଛି। କେନ୍ଦ୍ରରେ ଏନଡିଏ ୩୫୩ ଆସନ ପାଇ ସରକାର ଗଢ଼ିଛି।
ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏବଂ ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୂଆ ସରକାର ଗଠନ ହେବା ପରେ ନବୀନ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ପରେ ଆଜି ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ରାଜନୀତି ପାଣିପାଗକୁ ସରଗରମ କରିଛି। ଓଡ଼ିଶାରେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିବା ନବୀନ-ଧର୍ମେନ୍ଦ୍ର ଆଜି ଏକାଠି ହେବା ଘଟଣାକୁ ରାଜନୀତିକ ମହଲ ଭିନ୍ନ ଦୃଷ୍ଟିରେ ଦେଖୁଛି।
ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ପରେ ‘ଆମେ କେନ୍ଦ୍ର ସରକାରଙ୍କୁ ଗଠନମୂଳକ ସହଯୋଗ କରିବୁ’ କହି ନବୀନ ବିଜେଡି ଏବଂ ବିଜେପି ଭିତରେ ଥିବା ଦୂରତାକୁ କମାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।








ନୂଆ ସରକାର ଗଠନ ହେବା ପରେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।









