ଓଡ଼ିଶାଲାଇଭ ବ୍ୟୁରୋ

ବରଷକେ ଥରେ ଆସିଛି ରଜ। ରଜ ଆସିଲେ ଘରେ ଘରେ ପିଠାପଣାର ଆସର ବେଶ୍ ଜମିଥାଏ। ଆରିଷା, କାକରା, ପୋଡ, ମଣ୍ଡା ଭଳି ନାନାଦି ପିଠାର ବାସନାରେ ମହକୁଥାଏ ପ୍ରତିଟି ଘର। ତେବେ ସମସ୍ତଙ୍କ ପକ୍ଷେ ସବୁ ପିଠା ତିଆରି କରିବା ସାଧାରଣତଃ ସମ୍ଭବ ହୋଇନଥାଏ। ଏହାକୁ ଆଖି ଆଗରେ ରଖି ତଥା ଭୁବନେଶ୍ୱରରେ ରଜର ସମ୍ପୂର୍ଣ୍ଣ ଆନନ୍ଦ ଦେବାପାଇଁ ପ୍ରତି ବର୍ଷ ପାନ୍ଥନିବାସ ପକ୍ଷରୁ କରାଯାଇଥାଏ ବିଭିନ୍ନ ଆୟୋଜନ।

ରଜରେ ସାଧାରଣତଃ ଯେଉଁ ସବୁ ପରମ୍ପରା ରହିଛି ଯେମିତିକି ରଜ ଦୋଳି ଖେଳିବା, ରଜ ପିଠା ଖାଇବା ଓ ରଜ ପାନ ଖାଇବା ପର୍ଯ୍ୟନ୍ତ ସମସ୍ତ ଆୟୋଜନ କରାଯାଇଛି। ବିଶେଷ କରି ଏଠାରେ ପ୍ରସ୍ତୁତ ହେଉଥିବା ପିଠା ପାଇଁ ରହିଛି ଲୋକଙ୍କର ବେଶ୍ ଆଦର।

ପାନ୍ଥନିବାସର ପିଠା ପସ୍ତୁତ କରୁଥିବା ମକରନ୍ଦ ସାହୁଙ୍କ କହିବା ଅନୁଯାୟୀ ତିନିଦିନ ପୂର୍ବରୁ ଏଠାରେ ପିଠା ତିଆରି ପାଇଁ ସମସ୍ତ ପ୍ରସ୍ତୁତି କରାଯାଏ। ପ୍ରତ୍ୟେକ ଦିନ ଯେତିକି ସମୟ କାମ କରିବାକୁ ପଡିଥାଏ ରଜ ସମୟରେ ଅଧିକ କାମ କରିବାକୁ ପଡେ। କାରଣ ଲୋକଙ୍କର ପିଠା ପାଇଁ ଅଧିକ ଆଗ୍ରହ ରହିଥାଏ।

ମକରନ୍ଦ ଆହୁରି କହିଛନ୍ତି ଯେ ଗତ ବର୍ଷ ସମୁଦାୟ ପିଠା ବ୍ୟବସାୟ ଲକ୍ଷ ଟଙ୍କାର ହୋଇଥିବା ବେଳେ ଏ ବର୍ଷ ତାହା ବୃଦ୍ଧି ପାଇବ ବୋଲି ସେମାନେ ଆଶା  ରଖିଛନ୍ତି।

ପୋଡ଼ ପିଠା ବିଷୟରେ ଆମେ ସମସ୍ତେ ଶୁଣିଛେ କିନ୍ତୁ ଗତ ବର୍ଷ ରଜଠାରୁ ପାନ୍ଥ ନିବାସରେ ସାଧାରଣ ପୋଡପିଠା ସହିତ ପ୍ରସ୍ତୁତ କରାଯାଉଛି ମହୁଲ ପୋଡ ପିଠା। ତେବେ ଏହି ପିଠାର ବିଶେଷତ୍ୱ ହେଉଛି ଏଥିରେ ମହୁଲ ଫୁଲର ବ୍ୟବହାର କରାଯାଏ। ମହୁଲ ଫୁଲକୁ ବତୁରାଯାଇ ୫ ରୁ ୬ ଘଣ୍ଟା ଆଗରୁ ରଖାଯାଏ ଏବଂ ବିରି ଚାଉଳ ସହିତ ଏହି ଭିଜା ଯାଇଥିବା ମହୁଲଫୁଲକୁ ମିଶାଯାଇ ବଟାଯାଏ। ତାପରେ ଏହି ବଟାରେ ଗୁଡ , ଲୁଣ ଓ ସାମାନ୍ୟ ମରିଚ ଗୁଣ୍ଡକୁ ମିଶାଯାଏ ଓ ପରେ ଏହାକୁ ଓଭାନରେ  ତିନିରୁ ଚାରିଘଣ୍ଟା ପାଇଁ  ରଖାଯାଏ।

ପାନ୍ଥ ନିବାସରେ ରଜର ପ୍ରଥମ ଦିନରେ ଏହି ସବୁ ପିଠା ଖାଇବାପାଇଁ ଲୋକଙ୍କର ବେଶ୍ ଭିଡ ଦେଖିବାକୁ ମିଳିଥିଲା। ଧାଡିରେ ଛିଡା ହୋଇ ଲୋକମାନେ ରସିଦ କାଟି ପିଠା କିଣୁଥିଲେ।

ପାନ୍ଥ ନିବାସକୁ ଆସିଥିବା ସୋନାଲି ସାହୁଙ୍କ କହିବା ଅନୁଯାୟୀ ସେ ପ୍ରତ୍ୟେକ ବର୍ଷ ସେ ପାନ୍ଥ ନିବାସ କେବଳ ପିଠା ଖାଇବାକୁ ଆସିଥାନ୍ତି। ସେ ଏଠାରେ ପିଠା ଖାଇବା ସହ ନିଜ ଘର ଲୋକଙ୍କ ପାଇଁ ମଧ୍ୟ ନେଇଥାନ୍ତି।

Comment