ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ୍‌ ବିଶ୍ୱକପରେ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଜବରଦସ୍ତ ଲଢ଼େଇ। ଭାରତ ଏହି ମହାଯୁଦ୍ଧରେ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ହେଲେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ରବିବାର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର ଆହତ ହୋଇଛନ୍ତି।

ପାକିସ୍ତାନ ବିପକ୍ଷ ପଞ୍ଚମ ଓଭର ବୋଲିଂ କରୁଥିବା ସମୟରେ ଭୁବନେଶ୍ୱର କୁମାରଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିଥିଲା। ଏହା ପରେ ପାଭିଲିୟନ୍‌କୁ ଫେରିଥିଲେ ଭୁବି। ତେବେ ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପ୍ରେସ୍‌ ମିଟ୍‌ କରି ଏବିଷୟରେ ସୂଚନା ଦେଇଛନ୍ତି।

ବିରାଟ କୋହଲି କହିଛନ୍ତି, “ଆହତ କାରଣରୁ ଭୁବନେଶ୍ୱର କୁମାର ଆଗାମୀ ୨ରୁ ୩ଟି ମ୍ୟାଚଚ ଖେଳି ପାରିବେ ନାହିଁ। ତାଙ୍କ ମାଂସପେଶୀରେ ଆଘାତ ଲାଗିଛି। ତେବେ ଭୁବନେଶ୍ୱର କୁମାରଙ୍କ ବଦଳରେ ମହମ୍ମଦ ସାମିଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନିତ କରାଯାଇଛି।”

ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ୍‌, ଏବଂ ଇଂଲଣ୍ଡ ବିପକ୍ଷ ଭାରତର ଆଗାମୀ ୩ଟି ମ୍ୟାଚ୍‌ରେ ଭୁବନେଶ୍ୱର କୁମାର ଖେଳି ନପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ଚଳିତ ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ ଏହା ହେଉଛି ଦ୍ୱିତୀୟ ଝଟକା। ଏହା ପୂର୍ବରରୁ ଜୁନ୍‌ ୯ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଶିଖର ଧାୱନ୍ ଆହତ ହୋଇ ଇଣ୍ଡିଆ ଇଲେଭେନ୍‌ରୁ ବାହାର ହୋଇଥିଲେ। ମ୍ୟାଚ୍‌ରେ ଧାୱନଙ୍କ ବୁଢ଼ା ଆଙ୍ଗୁଠି ଭାଙ୍ଗିଯାଇଛି। ତେବେ କେଉଁ ମ୍ୟାଚ୍‌ରେ ଧାୱନ୍ ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

Comment