ଓଡ଼ିଶାଲାଇଭ୍ ବ୍ୟୁରୋ

 ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ହୋଇଥିଲା। ଭାବ ବିନୋଦିଆ ଠାକୁର ସେ। ତେଣୁ ସ୍ନାନବେଦୀରେ ନିଜ ପ୍ରିୟ ଠାକୁରଙ୍କୁ ଗୋଟିଏ ଥର ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥାନ୍ତି ଶ୍ରଦ୍ଧାଳୁ।

ଚଳିତ ସ୍ନାନ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କୁ ଦେଖିବା ପାଇଁ ଏକାଠି ହୋଇଥିଲେ ହଜାର ହଜାର ଭକ୍ତ। ଏହାମଧ୍ୟରୁ ଜଣେ ଭକ୍ତ ଥିଲେ ଦେବରୂପା ଦେବଦାସୀ।

ସୁଦୂର ୟୁକ୍ରେନରୁ ଆସି ଏହି ମହିଳା ଜଣକ ଜଗନ୍ନାଥ ପ୍ରେମରେ ଏତେ ଲୀନ ହୋଇଯାଇଛନ୍ତି ଯେ ସେ ନିଜ ପ୍ରକୃତ ନାଁ କହିବାକୁ ମଧ୍ୟ ଇଛା କରୁ ନାହାନ୍ତି। ଦୀର୍ଘ ଦିନ ଧରି ସେ ଉତ୍ତରପ୍ରଦେଶର ବୃନ୍ଦାବନରେ ରହି ଆସୁଛନ୍ତି। ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କୁ ଥରୁଟିଏ ଦେଖିବା ପାଇଁ ବିନା ଟିକେଟରେ ଟ୍ରେନରେ ଦୀର୍ଘ ସମୟ ଛିଡ଼ା ହୋଇ ସେ ଚାଲିଆସିଛନ୍ତି ଶ୍ରୀକ୍ଷେତ୍ର ଧାମକୁ।

ମହାସ୍ନାନ ଯାତ୍ରାରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଭିଡ଼ ଲାଗିଥିଲା। ସେହି ଭିଡ଼ ଭିତରେ ଓଡ଼ିଶାଲାଇଭ୍ କ୍ୟାମେରା କଏଦ୍ କରିଥିଲା ଏହି ବିଦେଶିନୀଙ୍କୁ। ହାତରେ ଜପା ମାଳି ଓ ଦେହରେ ଶାଢ଼ି ପିନ୍ଧି ବିଦେଶିନୀ ଜଣକ ଗାଉଥିଲେ ଜଗନ୍ନାଥ ଜଣାଣ। ତାଙ୍କ ଗାଇବାର ଶୈଳୀ ସେଠାରେ ଥିବା ଅନ୍ୟ ଭକ୍ତମାନଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ସମସ୍ତେ ଉକ୍ତ ବିଦେଶିନୀଙ୍କ ଗାଇବାର ତାଳରେ ତାଳ ମିଶାଇ ଗାଇବାକୁ ଲାଗିଥିଲେ। ଉକ୍ତ ବିଦେଶିନୀ ଜଣକ କେବଳ ଜଣାଣ ଗାଇ ନଥଲେ ତାହା ସହ ଜଗନ୍ନାଥ ସଂସ୍କୃତି ବିଷୟରେ ମଧ୍ୟ ବଖାଣିଥିଲେ। ବୃନ୍ଦାବନରେ ରହି ସେ ଜଗନ୍ନାଥ ସଂସ୍କୃତି ବିଷୟରେ ଯାହା କିଛି ଶିଖିଛନ୍ତି ସେ ବିଷୟରେ ମଧ୍ୟ କହିଥିଲେ।

‘‘ଜଗନ୍ନାଥ ହେଉଛନ୍ତି ସମସ୍ତଙ୍କର। ଜଗନ୍ନାଥ ସଂସ୍କୃତି ବିଷୟରେ ଯେତେ ପ୍ରଚାର କରିବା ସେତେ ଅଧିକରୁ ଅଧିକ ପ୍ରସାରିତ ହେବ’’, କହିଛନ୍ତି ଦେବରୂପା।

ସେ ବିଭିନ୍ନ ଉପାନ୍ତ ଅଞ୍ଚଳ ଯାଇ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର କରୁଛନ୍ତି। ଏବଂ ଶେଷ ଜୀବନ ଯାଏଁ ମଧ୍ୟ ସେ ଏହା କରିବେ ବୋଲି କହିଛନ୍ତି। କିନ୍ତୁ ତାଙ୍କ ମନରେ କେଉଁଠି ନା କେଉଁଠି ରହିଯାଇଛି ଦୁଃଖ। ଯାହା ସେ ଓଡ଼ିଶାଲାଇଭ ସହ ସେୟାର କରିଛନ୍ତି।

ସେ କହିଛନ୍ତି, ‘‘ଆପଣମାନେ ମତେ ବିଦେଶୀ କହୁଛନ୍ତି, କିନ୍ତୁ ଏନେଇ ମୋ ମନରେ ତିଳେ ମାତ୍ର ଦୁଃଖ ନାହିଁ। ଆମକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଉ ନାହାନ୍ତି। ଆପଣମାନେ ଜଗନ୍ନାଥଙ୍କ ପ୍ରିୟ, ଆପଣମାନେ ସିଧାସଳଖ ଜଗନ୍ନାଥଙ୍କୁ ଦେଖି ପାରୁଛନ୍ତି ଏବଂ ଆପଣମାନଙ୍କ ଆଖିରେ ମୁଁ ଜଗନ୍ନାଥଙ୍କୁ ଦେଖି ପାରୁଛି।’’

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଜଗନ୍ନାଥ ସବୁବେଳେ ସେମାନଙ୍କୁ ଭଲ ପା’ନ୍ତି, ଯେଉଁମାନେ ତାଙ୍କ ଭକ୍ତଙ୍କୁ ଭଲ ପାଆନ୍ତି। ଏବଂ ମୁଁ ଜଗନ୍ନାଥଙ୍କୁ ଭଲ ପାଉଥିବା ସମସ୍ତ ଭକ୍ତଙ୍କୁ ଭଲପାଏ।

Comment