ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଡ଼ଦାଣ୍ଡରେ ଉଡ଼ି ପାରିବନି ବିମାନ କିମ୍ବା ହେଲିକପ୍ଟର
  • ୨ କମ୍ପାନି ଆରପିଏଫ୍ ପାଇଁ କେନ୍ଦ୍ରକୁ ପ୍ରସ୍ତାବ
  • ଆବଶ୍ୟକ ପଡ଼ିଲେ ମୁତୟନ ହେବେ ଏନ୍‌ଏସ୍‌ଜି
  • ପୁରୀକୁ ଜଗିବେ ୧୫୦ ପ୍ଲାଟୁନ ପୋଲିସ ଫୋର୍ସ

ପାଖେଇ ଆସୁଛି ରଥଯାତ୍ରା। ଆଉ ଦିନ କେଇଟା ପରେ ରତ୍ନବେଦୀରୁ ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ ମହାପ୍ରଭୁ। ଜୁଲାଇ ୪ରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖରୁରେ ପରିଚାଳନା ପାଇଁ ଅଣ୍ଟା ଭିଡିଛି ପୋଲିସ ପ୍ରଶାସନ।

ରଥଯାତ୍ରାକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ପୋଲିସ ଡିଜିଙ୍କ ଭୁବନେଶ୍ୱରସ୍ଥିତ କ୍ୟାମ୍ପ୍ ଅଫିସରେ ବସିଥିଲା ସମନ୍ୱୟ କମିଟି ବୈଠକ। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ବୈଠକରେ ଅଧ୍ୟକ୍ଷତା କରିଥିଲେ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଆଲୋଚନା ହୋଇଥିଲା। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ବଡ଼ଦାଣ୍ଡ ଏବଂ ଗ୍ରାଣ୍ଡ ରୋଡରେ ୧୧୦୦ ଫୁଟ ତଳେ ହେଲିକପ୍ଟର କିମ୍ବା ବିମାନ ନଉଡ଼ିବା ପାଇଁ ବାରଣ କରାଯାଇଛି। ଏନେଇ ପୋଲିସ ପ୍ରଶାସନ ପକ୍ଷରୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟକୁ ପ୍ରସ୍ତାବ ଦିଆଯାଇଛି।

‘‘ଦୁଇ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ରଥଯାତ୍ରାରେ ମୁତୟନ କରାଯିବ। ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) ମୁତୟନ କରିବାକୁ ପ୍ରସ୍ତାବ ଦିଆଯାଇଛି’’, କହିଛନ୍ତି ପୋଲିସ ଡିଜି।

ଏନଏସ୍‌ଜି ହାଇଦ୍ରାବାଦ ହବ୍‌ରେ ରହିବୋ ଜରୁରିକାଳୀନ ପରିସ୍ଥିତିରେ ଏମାନେ ପୁରୀ ଆସିବେ ବୋଲି କହିଛନ୍ତି ଡିଜି।

ଏହାସହ ରଥଯାତ୍ରାରେ ୪୫ ସଦସ୍ୟ ବିଶିଷ୍ଟ ଏନଡିଆର୍‌ଏଫ୍‌ ଟିମ୍ ସଜାଗ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ୧୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ପୁରୀରେ ମୁତୟନ କରାଯିବ। ସମୁଦ୍ରକୂଳରେ ତଟରକ୍ଷୀ ବାହିନୀଙ୍କୁ ନିୟୋଜିତ କରାଯିବ। ଏହାସହ ଲାଇଫ୍ ଗାର୍ଡ, ଆମ୍ବୁଲାନ୍ସ ମଧ୍ୟ ମହଜୁଦ ରଖାଯିବ।

ଏହି ବୈଠକରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଆର୍‌ପିଏଫ୍, କୋଷ୍ଟଗାର୍ଡ, ବିମାନ ବନ୍ଦର କର୍ତ୍ତୃପକ୍ଷ, ନୌସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Comment