ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଆଇସିସି ବିଶ୍ଵକପରେ ଦିନକୁ ଦିନ ଆହତ ସମସ୍ୟା ବଢିବାରେ ଲାଗିଛି। ବିଭିନ୍ନ ଦଳର ଅନେକ ଷ୍ଟାର ଖେଳାଳି ଆହତ ହୋଇ ବିଶ୍ଵକପରୁ ବାହାରି ସାରିଛନ୍ତି। ଏହି ଖେଳାଳିମାନେ ଦଳରୁ ବାଦ ପଡିବା ଦଳ ପାଇଁ ବହୁତ କ୍ଷତି ହୋଇପାରେ। ଏଥିରେ ଦ.ଆଫ୍ରିକାର ସର୍ବାଧିକ ଖେଳାଳି ଆହତ ହୋଇଥିବା ବେଳେ ଭାରତରୁ ବର୍ତ୍ତମାନ ସୁଧା ୩ଜଣ ଆହତ ହୋଇ ଜଣେ ବିଶ୍ଵକପରୁ ବାଦ ପଡିସାରିଛନ୍ତି।  

ଶିଖର ଧାଓ୍ଵନ(ଭାରତ)

ଏକଦିବସୀୟରେ ଭଲ ଫର୍ମରେ ଥିବା ଭାରତୀୟ ଓପନର ଶିଖର ଧାଓ୍ଵନ ବିଶ୍ଵକପରେ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଥାନ୍ତେ। ଏକଦିବସୀୟ କ୍ରକେଟରେ ତାଙ୍କର ଅନେକ ଦକ୍ଷତା ଓ ରେକର୍ଡ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିବା ଶିଖର ଧାଓ୍ଵନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶତକୀୟ ପାରି ଖେଳି ଦଳକୁ ବିଜୟୀ କରାଇଥିଲେ। ମାତ୍ର ସେହି ମ୍ୟାଚରେ ଆହତ ହେବା ପରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା। ତେବେ ସ୍ଵାସ୍ଥ୍ୟ ଭଲ ନହେବାରୁ ତାଙ୍କୁ ବିଶ୍ଵକପରୁ ବାହାରିବାକୁ ପଡିଛି।

ଡେଲ ଷ୍ଟେନ(ଦକ୍ଷିଣ ଆଫ୍ରିକା)

ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ପାଇଁ ଏହା ଶେଷ ବିଶ୍ଵକପ ଥିଲା। ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାନ୍ତେ। ମାତ୍ର ତାଙ୍କର ଏ ସ୍ଵପ୍ନ ପୂରା ହେବା ଆଗରୁ ସେ ଆହତ ସମମ୍ୟା ଯୋଗୁଁ ବିଶ୍ଵକପରୁ ବାଦ ପଡିଥିଲେ। ଗତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ପକ୍ଷରୁ ଖେଳି ସେ ଆହାତ ହୋଇଥିଲେ। ଯାହାର ପରିଣାମ ତାଙ୍କୁ ବିଶ୍ଵକପରେ ଦେଖିବାକୁ ମିଳିଛି।

ମହମ୍ମଦ ସାହଜାଦ(ଆଫଗାନିସ୍ତାନ)

ଆଫଗାନିସ୍ତାନର ଚମତ୍କାର ଓ୍ଵିକେଟ କିପର ଓ ବ୍ୟାଟ୍ସମ୍ୟାନ ମହମ୍ମଦ ସାହଜାଦ ମଧ୍ୟ ଆହତ ସମସ୍ୟା ଯୋଗୁ ଦଳରୁ ବାହାରିଛନ୍ତି। ବିଶ୍ଵକପରେ ଦଳ ପାଇଁ ଦୁଇଟି ମ୍ୟାଚ ଖେଳି ଆଣ୍ଠୁ ଜନିତ ଆଘାତ ଯୋଗୁ ତାଙ୍କୁ ବିଶ୍ଵକପରୁ ବାଦ ଦିଆଯାଇଥିଲା। ଚଳିତ ବିଶ୍ଵକପରେ ସହଜାଦଙ୍କ ପ୍ରଦର୍ଶନ ସନ୍ତୋଷ ଜନକ ରହିନାହିଁ। ତାଙ୍କ ପରେ ଦଳ ପକ୍ଷରୁ ଇକ୍ରାମ ଅଲ୍ଲି ଖିଲ ଓ୍ଵିକେଟ କିପର ରହିଛନ୍ତି।

ଜେ ରିଚାର୍ଡସନ(ଅଷ୍ଟ୍ରେଲିଆ)

ଚଳିତ ବିଶ୍ଵକପରେ ଅଷ୍ଟ୍ରେଲିଆର ଫାଷ୍ଟବୋଲର ଜେ ରିଚାର୍ଡସନଙ୍କ ପାଇଁ ମଧ୍ୟ ଭଲ ନଥିଲା। ଆହତ କାରଣରୁ ସେ ମଧ୍ୟ ବେଶୀ ସମୟ ଦଳ ସହ ରହି ପାରିନାହାନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ କାନ୍ଧରେ ଆଘାତ ଲାଗିବାରୁ ତାଙ୍କୁ ବିଶ୍ରାମ ନେବାକୁ ପଡିଥିଲା। ରିଚାର୍ଡସନ ଭାରତ ବିପକ୍ଷ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ବିଶ୍ଵକପରେ କେନ ରିଚାର୍ଡସନଙ୍କ ସ୍ଥାନରେ ତାଙ୍କୁ ସ୍ଥାନ ମିଳିଥିଲା।

ଆନରିଚ ନୋର୍ତେଜ(ଦକ୍ଷିଣ ଆଫ୍ରିକା)

ଦକ୍ଷିଣ ଆଫ୍ରିକା ଦଳର ଜଣେ ଉଦିୟମାନ ପେସ ବୋଲର ଭାବେ ଦଳରେ ସ୍ଥାନ ପାଇଥିବା ନୋର୍ତେଜ ମଧ୍ୟ ଆହତ ହୋଇ ଦଳରୁ ବାହାରିଛନ୍ତି। ଦିନିକିଆରେ ଶ୍ରୀଲଙ୍କା ବିପକ୍ଷରେ ବେଶ ଭଲ ପ୍ରଦର୍ଶନ କରିଥିଲେ। ୪ଟି ଦିନିକିଆ ଖେଳି ୮ଟି ଓ୍ଵିକେଟ ନେଇ ସଫଳ ବୋଲିଂ କରିଥିବାରୁ ତାଙ୍କୁ ବିଶ୍ଵକପରେ ସ୍ଥାନ ମିଳିଥିଲା। ଆଇପିଏଲରେ କୋଲକତା ନାଇଟ ରାଇଡର ପକ୍ଷରୁ ଖେଳି ଆହତ ହୋଇଥିବା ନୋର୍ତେଜ ବର୍ତ୍ତମାନ ବିଶ୍ଵକପ ଦଳରୁ ମଧ୍ୟ ବାହାରିଛନ୍ତି।

Comment