ଓଡ଼ିଶାଲାଇଭ୍ ବ୍ୟୁରୋ

୨୭ ତାରିଖ ସୁଦ୍ଧା ଶେଷ ହେବ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମ୍ କାର୍ଯ୍ୟ।

କଟକ: ଜୁଲାଇ ୧୭ରୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ ଅନୁଷ୍ଠିତ ହେବ। କଟକ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମଠାରେ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏ ନେଇ ପ୍ରସ୍ତୁତି ଜୋର୍ସୋର ଆରମ୍ଭ ହୋଇଛି।

ବିଶେଷକରି ଭେନ୍ୟୁକୁ ଆକର୍ଷଣୀୟ କରିବାକୁ ଅନେକଗୁଡିଏ ଯୋଜନା ହାତକୁ ନିଆଯାଇଛି। ଶନିବାର ରାଜ୍ୟ କ୍ରୀଡ଼ା ବିଭାଗ ସଚିବ ବିଶାଲ ଦେବ କଟକ ଗସ୍ତରେ ଆସି ଇନଡୋର ଷ୍ଟାଡିୟମର ସ୍ଥିତି ସମୀକ୍ଷା କରିଛନ୍ତି।

ପ୍ରତିଯୋଗିତାକୁ ଆଉ ମାସରୁ କମ୍ ସମୟ ବାକି ରହିଛି। ତେଣୁ ତ୍ୱରାନ୍ୱିତ ଢଙ୍ଗରେ କିଭଳି କାର୍ଯ୍ୟ କରାଯିବ ସେ ଦିଗରେ ସଚିବ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ଷ୍ଟାଡିୟମର ରୂପରେଖକୁ ଅଧିକ ଆକର୍ଷଣୀୟ କିଭଳି କରାଯିବ ସେନେଇ ଅଧିକାରୀମାନଙ୍କ ସହ ଷ୍ଟାଡିୟମ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ।

ଫନି ବାତ୍ୟାରେ ଷ୍ଟାଡିୟମ୍ ପ୍ରଭାବିତ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର କାମ ଚାଲିଛି। ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌କୁ ନଜରରେ ରଖି ଏକାସଙ୍ଗେ ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ଦିଗରେ ସମୀକ୍ଷା କରାଯାଇଛି।

ବିଶେଷକରି ଷ୍ଟାଡିୟମ ବାହାର ପାଶ୍ୱର୍କୁ ରଙ୍ଗୀନ ଆଲୋକରେ ସଜାଇବାକୁ କାର୍ଯ୍ୟ ଚାଲୁରହିଛି। ଏହାସହିତ ନୂଆ ସାଉଣ୍ଡ୍ ସିଷ୍ଟମ୍ ସହିତ ମିଡିଆ ଗ୍ୟାଲେରୀ, ୟୁରିନାଲ୍ ଆଦି ନିର୍ମାଣ କରିବାକୁ କୁହାଯାଇଥିଲା।

ଷ୍ଟାଡିୟମ୍ ଚତୁପାର୍ଶ୍ୱରେ ଫୁଲ ଗଛ ଲଗାଯାଇ ଶୋଭା ବଢାଯିବ। ସେହିପରି ୱେରିଂ, ରଙ୍ଗ, ସିଟ୍ ଆଦି କାମର ସମୀକ୍ଷା କରାଯାଇଥିଲା। ଆସନ୍ତା ୨୭ତାରିଖ ସୁଦ୍ଧା ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମର କାମ ସମ୍ପୂର୍ଣ୍ଣ କରିବାକୁ ସଚିବ ଡେଡ୍‌ଲାଇନ ଦେଇଛନ୍ତି।

ସେହିପରି ଦୀର୍ଘ ଦିନ ବ୍ୟବଧାନ କଟକରେ କୌଣସି ଅନ୍ତର୍ଜାତୀୟ ଚାମ୍ପିଅନସିପ୍‌ ଆୟୋଜନ ହେଉଥିବାରୁ ସହରର ସୌନ୍ଦର୍ଯ୍ୟକରଣ ଦିଗରେ ଗୁରୁତ୍ୱ ଦିଆଯାଇଥିଲା। ଏ ନେଇ ସିଏମ୍‌ସିକୁ ଦାୟିତ୍ୱ ଦିଆଯାଇଛି।

ରାସ୍ତାଘାଟର ସୌନ୍ଦର୍ଯ୍ୟକରଣ ସହିତ ରାସ୍ତାଘାଟର ମରାମତି, ହୋର୍ଡିଂ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ସିଏମ୍‌ସି ଡେଡ୍‌ଲାଇନ ଭିତରେ ଶେଷ କରିବାକୁ କୁହାଯାଇଛି। କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ସିଏମ୍‌ସି କମିସନର ଶରତ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀରଞ୍ଜନ ସାମନ୍ତରାୟ, ଇନଡୋର ଷ୍ଟାଡିୟମ୍ ମୁଖ୍ୟ ଅଜୟ ବେହେରାଙ୍କ ସମେତ ପୂର୍ତ୍ତ, ଇଡ୍‌କୋ, ଜିଇଡି, ଫରେଷ୍ଟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Comment