ଓଡ଼ିଶାଲାଇଭ ବ୍ୟୁରୋ
କଟକରେ ଅବସ୍ଥିତ ଐତିହ୍ୟ ସମ୍ପନ୍ନ ସଂଗ୍ରହାଳୟଗୁଡ଼ିକର ସମସ୍ତ ତଥ୍ୟକୁ ନେଇ ଲିଖିତ ‘କଟକ-ଦି ସିଟି ଅଫ ମୁ୍ୟଜିୟମ୍ସ’ ନାମକ ପୁସ୍ତକ ଉନ୍ମୋଚିତ ହୋଇଛି। ଶନିବାର ସଚିବାଳୟ ପ୍ରକୋଷ୍ଠରେ ରାଜା ପରିଜାଙ୍କ ଲିଖିତ ଏହି ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।
‘‘ଏହି ପୁସ୍ତକଟି ପର୍ଯ୍ୟଟକ, ବିଦ୍ୱାନ, ଗବେଷକ, ଛାତ୍ରଛାତ୍ରୀ ଏବଂ ସାଧାରଣ ପାଠକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ’’ ପୁସ୍ତକ ଉନ୍ମୋଚନ ଅବସରରେ କହିଛନ୍ତି ପ୍ରତାପ ଜେନା।
“କଟକ ଦି ସିଟି ଅଫ୍ ମ୍ୟୁଜିୟମ୍ସ’’ ପୁସ୍ତକ କଟକର ବିଭିନ୍ନ ସଂଗ୍ରହାଳୟଗୁଡ଼ିକର ଐତିହ୍ୟ ସମ୍ବଳିତ ତଥ୍ୟ ଏବଂ ସୁଦୃଶ୍ୟ ଫଟୋଚିତ୍ରରେ ପରିପୂର୍ଣ୍ଣ। ଏକ ଭିନ୍ନ ସ୍ୱାଦର ପୁସ୍ତକ।
ଐତିହାସିକ କଟକ ସହରର ଇତିହାସ ସହିତ ୧୮୧୪ ମସିହାରୁ ସମଗ୍ର ଭାରତବର୍ଷର ସଂଗ୍ରହାଳୟ ଆନ୍ଦୋଳନର ଗୌରବଜ୍ଜ୍ୱଳ ଯାତ୍ରା ଏବଂ ୧୯୦୪ ମସିହାରୁ ଏଯାବତ୍ ଓଡ଼ିଶାର ସଂଗ୍ରହାଳୟ ଐତିହ୍ୟପୂର୍ଣ୍ଣ ଯାତ୍ରାକୁ ଏହି ପୁସ୍ତକରେ ସ୍ଥାନ ଦିଆଯାଇଛି।
ପୁସ୍ତକର ରଚୟିତା ରାଜା ପରିଜା ଓଡ଼ିଶା ସରକାରଙ୍କ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟରେ ଜଣେ ପ୍ରମୁଖ ଫଟୋଗ୍ରାଫର ଭାବେ ସୁପରିଚିତ। “କଟକ – ଦି ସିଟି ଅଫ୍ ମୁ୍ୟଜିୟମ୍ସ୍’’, ଶ୍ରୀ ପରିଜାଙ୍କର କଟକର ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଧାରିତ ତୃତୀୟ ପୁସ୍ତକ। ପୂର୍ବରୁ ‘ଦି ସିଲଭର ସ୍ପେଲଣ୍ଡର ଅଫ ମିଳେନିୟମ୍ ସିଟି’ ଏବଂ ନେତାଜୀ ୱାଜ୍ ବର୍ଣ୍ଣ ହିଅର’ ଭଳି ଦୁଇଟି ଚମତ୍କାର ପୁସ୍ତକ ପ୍ରକାଶିତ ହୋଇସାରିଛି।
ଉନ୍ମୋଚନ ଅବସର ରେ ପୁସ୍ତକର ଲେଖକ ରାଜା ପରିଜାଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।















