ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଗିରଫ ହୋଇ ଜେଲରେ ଗୋଟିଏ ରାତି କାଟିବା ପରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଛାତିରେ ଯନ୍ତ୍ରଣା ହୋଇଛି। ଫଳରେ ତାଙ୍କୁ ଜେଲରୁ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗିରଫ ହେବା ପୂର୍ବରୁ ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ବେଳେ ଜେଲ୍ ଯିବା ପରେ ହାଲତ ବିଗିଡ଼ି ଯିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜେଲରୁ ମୁକୁଳିବା ପାଇଁ ଏହା ଏକ ବାହାନା ନୁହେଁ କି ବୋଲି ଚର୍ଚ୍ଚା ହେଉଛି।

ପିଡବ୍ଲ୍ୟୁଡି ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବିଚ୍ ରାସ୍ତାରେ ଉଠ୍ ବସ୍ କରି ଅଡୁଆରେ ପଡ଼ିଥିଲେ ପାଟଣାଗଡ଼ର ନବ ନିର୍ବାଚିତ ବିଧାୟକ ସରୋଜ ମେହେର। ସରୋଜଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ଇଞ୍ଜିନିୟରଙ୍କ ସ୍ତ୍ରୀ। ହେଲେ ପୋଲିସ ହାତରେ ଧରା ଦେଇ ନଥିଲେ ବିଧାୟକ। ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବା ପରେ ପୋଲିସ ଉପରେ ଚାପ ପଡ଼ିଥିଲା।

ଏତଲାର ୧୮ ଦିନ ପରେ ବିଧାୟକ ଗିରଫ ହୋଇଥିଲେ। ବିଧାୟକଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫ ଏବଂ ଏସ୍‌ସି/ଏସ୍‌ଟି ଆକ୍ଟର ସେକ୍ସନ ୩ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। କିନ୍ତୁ ଗିରଫ ହେବାର ଦିନକ ପରେ ବିଧାୟକ ଅସୁସ୍ଥ ହୋଇଯାଇଛନ୍ତି। ଏହା ରାଜନେତାମାନଙ୍କର ଏକ ପୁରୁଣା ରୋଗ ବୋଲି ଚର୍ଚ୍ଚା ହେଉଛି।

ଗତ ୨୪ ତାରିଖରେ ପାଟଣାଗଡ଼ ପୋଲିସ ବିଧାୟକଙ୍କୁ ଗିରଫ କରି ବଲାଙ୍ଗିର ଏଡିଜେ କୋର୍ଟରେ ହାଜର କରିଥିଲା। ବିଧାୟକଙ୍କ ଓକିଲ ଜାମିନ ଆବେଦନ କରିଥିଲେ। କିନ୍ତୁ ଜାମିନ ଆବେଦନ ଖାରଜ ହେବା ପରେ ବିଧାୟକ ଜେଲ ଯାଇଥିଲେ। ଜେଲରେ ଗୋଟିଏ ରାତି ରହିବା ପରେ ବିଧାୟକ ଅସୁସ୍ଥ ହୋଇଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment