ଓଡ଼ିଶାଲାଇଭ୍ ବିଜନେସ୍ ବ୍ୟୁରୋ
ଓଡ଼ିଶାର କନ୍ଧମାଳ ଜିଲ୍ଲା ବିଭିନ୍ନ ପ୍ରକାର ବନଜାତ ଦ୍ରବ୍ୟ ପାଇଁ ପ୍ରସିଦ୍ଧ। ବିଶେଷକରି, ତା’ ମଧ୍ୟରେ କନ୍ଧମାଳ ହଳଦୀ ଆଜି ଓଡ଼ିଶା ପାଇଁ ଏକ ନୂଆ ପରିଚୟ ଆଣିଦେଇଛି। କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍ ବା ଜୋଗ୍ରାଫିକାଲ୍ ଇଣ୍ଡିକେସନ୍ସ ଟ୍ୟାଗ୍ ମିଳିବା ଫଳରେ ଏହାର ସ୍ୱାତନ୍ତ୍ର୍ୟ ବା ବିଶେଷତା ବିଶ୍ୱ ବଜାରରେ ପ୍ରମାଣିତ ଓ ପ୍ରତିଷ୍ଠିତ ହୋଇପାରିଛି।
୧୨, ଜାନୁଆରି ୨୦୧୮ ଦିନ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍ ପ୍ରଦାନ ଲାଗି ଆବେଦନ କରାଯାଇଥିଲା। କନ୍ଧମାଳ ଆପେକ୍ସ ସ୍ପାଇସେସ୍ ଆସୋସିଏସନ୍ ଫର୍ ମାର୍କେଟିଂ (କସମ୍) ପକ୍ଷରୁ ଏହି ଆବେଦନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏମଏସଏମଇ ମନ୍ତ୍ରାଳୟ ଅଧୀନରେ ପରିଚାଳିତ ତଥା ଭୁବନେଶ୍ୱର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟରରେ (ସିଟିଟିସି) ଥିବା ଇଣ୍ଟେଲେକ୍ଚୁଆଲ୍ ପ୍ରପଟି ଫାସିଲିଟେସନ ସେଣ୍ଟର(ଆଇପିଏଫସି) ମାଧ୍ୟମରେ ଏହି ଆବେଦନ କରାଯାଇଥିଲା। ଏହି ଆଇପିଏଫସିର ଆଇପିଆର ତଥା ଇନକୁବେସନ ମ୍ୟାନେଜର ଡକ୍ଟର ପି କାର୍ତ୍ତିଗେୟନ୍ଙ୍କୁ ଏଥିପାଇଁ ଦାୟିତ୍ୱ ଦେଇଥିଲେ କନ୍ଧମାଳ ଜିଲ୍ଲାପାଳ ତଥା କସମର ସଭାନେତ୍ରୀ ଡକ୍ଟର ବ୍ରିନ୍ଦା।

ଜିଆଇ ଟ୍ୟାଗ୍ ଆବେଦନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କୌଣସି ଜିନିଷ ପାଇଁ ଜିଆଇ ଟ୍ୟାଗ୍ ହାସଲ କରିବାକୁ ହେଲେ ପ୍ରମାଣିତ କରିବାକୁ ହୋଇଥାଏ ଯେ ଏହା ନିର୍ଦ୍ଧାରିତ ଭୌଗୋଳିକ ସ୍ଥାନ ସହ ସମ୍ପର୍କିତ ତଥା ଏହା ଅନ୍ୟ ଅଞ୍ଚଳରେ ଉତ୍ପାଦିତ ସେହି ଏକ ପ୍ରକାର ଜିନିଷଠାରୁ ଗୁଣବତ୍ତାରେ ଭିନ୍ନ ବା ସ୍ୱତନ୍ତ୍ର। ଏହି ଦୃଷ୍ଟିରୁ କନ୍ଧମାଳ ହଳଦୀର ବିଶେଷତ୍ୱ ପରଖିବା ତଥା ବିଭିନ୍ନ ଦିଗରୁ ଏହାର ରେକର୍ଡ କରିବା ପାଇଁ ସିଟିଟିସି ଆଇପିଏଫସି ପକ୍ଷରୁ ଏକ ବିଶେଷଜ୍ଞ ଦଳ କନ୍ଧମାଳ ଯାଇଥିଲେ। ସେମାନେ ଅନୁଧ୍ୟାନ କରିଥିବା ବିଭିନ୍ନ ବିଷୟ ମଧ୍ୟରେ ରହିଛି କନ୍ଧମାଳ ହଳଦୀ ଉତ୍ପାଦନର ସ୍ୱତନ୍ତ୍ର ଧାରା ବା ପ୍ରକ୍ରିୟା, ହଳଦୀ ଚାଷ, ଉତ୍ପାଦନ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ପରିଚାଳନା, ସ୍ଥାନୀୟ ପାଣିପାଗର ବିଶେଷତ୍ୱ ଇତ୍ୟାଦି।
ସେହିପରି ଏହି ବିଶେଷଜ୍ଞ ଦଳ କନ୍ଧମାଳର ହଳଦୀ ଚାଷୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିଥିଲେ। କନ୍ଧମାଳ ହଳଦୀର ବିଭିନ୍ନ ଔଷଧୀୟ ଗୁଣ ଏବଂ ଏହାର ବ୍ୟବସାୟିକ ପ୍ରୟୋଗ ଆଦି ଦିଗ ଉପରେ ମଧ୍ୟ ଗଭୀର ଭାବେ ଅନୁଧ୍ୟାନ କରାଯାଇଥିଲା। ଏହା ଛଡ଼ା କନ୍ଧମାଳ ହଳଦୀ ଯେ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଉତ୍ପାଦିତ ଏ କଥା ଏହି ବିଶେଷଜ୍ଞ ଟିମ୍ ରେକର୍ଡ କରି ପରବର୍ତ୍ତୀ ସମୟରେ କରାଯାଇଥିବା ଆବେଦନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲା।
କେବଳ ସେତିକି ନୁହେଁ କନ୍ଧମାଳ ହଳଦୀର ନମୁନା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଗବେଷଣା କେନ୍ଦ୍ରକୁ ପରୀକ୍ଷା ଲାଗି ପଠାଯାଇ ଏହାର ମାନ ଏବଂ ଗୁଣକୁ ପୂର୍ବରୁ ପଞ୍ଜୀକୃତ ହୋଇଥିବା ମହାରାଷ୍ଟ୍ରର ୱାଇଗନ୍ ହଳଦୀ ଏବଂ ଅନ୍ୟ କେତେକ ସ୍ଥାନୀୟ ହଳଦୀ ସହ ତୁଳନା କରାଯାଇଥିଲା ବୋଲି ଡକ୍ଟର କାର୍ତ୍ତଗେୟନ ଓଡ଼ିଶାଲାଇଭ୍କୁ କହିଛନ୍ତି।
୨୮, ଅଗଷ୍ଟ ୨୦୧୮ରେ ନୂଆଦିଲ୍ଲୀଠାରେ ହୋଇଥିବା ବୈଠକରେ କନ୍ଧମାଳ ହଳଦୀ ଲାଗି ଆବେଦନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସମୟରେ କୌଣସି ପ୍ରତିବାଦ ଜାଣିବା ପାଇଁ ଏହାକୁ ଭାରତ ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଜର୍ଣ୍ଣାଲ୍ରେ ପ୍ରକାଶ କରାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କନ୍ଧମାଳ ହଳଦୀର କୌଣସି ପ୍ରତିବାଦ ବା ପ୍ରତିଦ୍ୱନ୍ଦ୍ୱୀ ଆସିନଥିବାରୁ କେନ୍ଦ୍ର ସରକାର ଏହା ଲାଗି ବିଧିବଦ୍ଧ ଭାବେ ଜିଆଇ ଟ୍ୟାଗ୍ ପ୍ରଦାନ କରିଥିଲେ।
ସରକାରୀ ହିସାବ ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ୬୦ ହଜାରରୁ ଅଧିକ ପରିବାର ସିଧାସଳଖ ଭାବରେ ହଳଦୀ ଚାଷ ସହିତ ସମ୍ପୃକ୍ତ। କନ୍ଧମାଳ ହଳଦୀକୁ ଆଜି ଜିଆଇ ଟ୍ୟାଗ୍ ମିଳିବା ଫଳରେ ଏହା କେବଳ ସେମାନଙ୍କ ପାଇଁ ଏକ ମାନ୍ୟତା ବା ପରିଚୟ ଆଣିଦେଇ ନାହିଁ ବରଂ ସେମାନଙ୍କ ସାମାଜିକ ଏବଂ ଆର୍ଥିକ ମେରୁଦଣ୍ଡକୁ ସବଳ କରିବା କ୍ଷେତ୍ରରେ ଏକ ବଡ଼ କାରଣ ହୋଇପାରିଛି।
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଆଦିବାସୀମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ କନ୍ଧମାଳ ହଳଦୀକୁ ଏହି ଜିଆଇ ମାନ୍ୟତା ମିଳିବା ଏକ ନୂଆ ଦିଗ ଦେଇଛି। ଆଜି କନ୍ଧମାଳ ହଳଦୀକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ଗୁରୁତ୍ୱ ଏବଂ ଉଚିତ ଦର ମିଳିବା ଆରମ୍ଭ ହୋଇଛି। ଏହାର ସିଧାସଳଖ ସୁଫଳ ପାଉଛନ୍ତି କନ୍ଧମାଳର ହଳଦୀ ଚାଷୀ ଏବଂ କାରବାର ସହିତ ସମ୍ପୃକ୍ତ ଆଦିବାସୀ ପରିବାର ଏବଂ ଅନ୍ୟମାନେ।
କୌଣସି ଜିନିଷକୁ ଜିଆଇ ଟ୍ୟାଗ୍ ମିଳିଲେ ତାହା ତା’ର ବ୍ରାଣ୍ଡ୍ ଭାଲ୍ୟୁ ତଥା କମର୍ସିଆଲ୍ ବା ବ୍ୟବସାୟିକ ମୂଲ୍ୟକୁ ବଢ଼ାଇ ଦେଇଥାଏ। ବିଶେଷକରି କନ୍ଧମାଳ ହଳଦୀ ପରି ଏକ ଜୈବିକ ପଦାର୍ଥକୁ ଜିଆଇ ଟ୍ୟାଗ୍ ମିଳିବା ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସିଟିଟିସି ଆଇପିଏଫସିର ଯୁବ ବୈଜ୍ଞାନିକ ଡକ୍ଟର ପି. କାର୍ତ୍ତିଗେୟନ ଓଡ଼ିଶା ଲାଇଭ୍ ସହ ଆଲୋଚନା ବେଳେ ଦୋହରାଇଛନ୍ତି।

ଭୁବନେଶ୍ୱର ପଟିଆରେ ରହିଛି ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର (ସିଟିଟିସି)। ଏଠାରେ ଥିବା ଆଇପିଏଫସି ବିଭିନ୍ନ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ ଆବେଦନ କ୍ଷେତ୍ରରେ କାମ କରୁଛି। ତେଣୁ ଟ୍ରେଡମାର୍କ ରେଜିଷ୍ଟ୍ରେସନ୍ଠାରୁ ଆରମ୍ଭ କରି ଜିଆଇ ଟ୍ୟାଗ୍ ଲାଗି ଆବେଦନ ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ କୌଣସି ସଂସ୍ଥା ବା ବ୍ୟକ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଏହି ଇଣ୍ଟେଲେକ୍ଚୁଆଲ୍ ପ୍ରପଟି ଫାସିଲିଟେସନ ସେଣ୍ଟର(ଆଇପିଏଫସି)ର ସାହାଯ୍ୟ ନେଇପାରିବେ।

















