ଓଡ଼ିଶାଲାଇଭ୍ ବ୍ୟୁରୋ

କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଥିବା ଜିଆଇ ଟ୍ୟାଗ୍‌ ଏହାକୁ ଭାରତରେ ଏକ ସ୍ଵତନ୍ତ୍ର ପରିଚୟ ଦେବ।

ନୟାଗଡ଼ ଜିଲ୍ଲାର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଛି ଜିଆଇ ଟ୍ୟାଗ୍‌। ଚେନ୍ନାଇ ସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏହି ଜିଆଇ ବା ଭୌଗୋଳିକ ମାନ୍ୟତା ମିଳିଛି। ଜିଆଇ ଟ୍ୟାଗ୍‌ ମିଳିବା ପରେ କଣ୍ଟେଇମୁଣ୍ଡି ବାଇଗଣକୁ ଭାରତରେ ସ୍ଵତନ୍ତ୍ର ପରିଚୟ ମିଳିବ।

କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମିଳିବା ନେଇ ୨୦୨୧ ମସିହା ଫେବ୍ରୁଆରି ମାସରେ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯାଇଥିଲା। ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ଏଥିରେ ସହଯୋଗ କରିଥିଲା। ୨୦୨୨ ଡିସେମ୍ବର ୬ ତାରିଖରେ ଜିଆଇ ରେଜିଷ୍ଟ୍ରିର ପ୍ରତିନିଧି ଏହାକୁ ନେଇ ସର୍ଭେ କରିଥିଲେ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ, ବଡ଼ବାଣପୁର, ରତନପୁର ସମେତ ଭାପୁର ବ୍ଲକର ଧାନଚାଙ୍ଗଡ଼ା, ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି, ଫତେଗଡ଼ ଆଦି ଅଞ୍ଚଳରେ ଏହି କଣ୍ଟେଇମୁଣ୍ଡି ବାଇଗଣର ପ୍ରଥମେ ଚାଷ ଆରମ୍ଭ ହୋଇଥିଲା। ସ୍ଥାନୀୟ ଚାଷୀମାନେ କଣ୍ଟିଲୋର ନାମ ଅନୁସାରେ ଏହାକୁ କଣ୍ଟେଇମୁଣ୍ଡି ବାଇଗଣ ଭାବେ ନାମିତ କରିଥିଲେ। ଜିଆଇ ମାନ୍ୟତା ପାଇଁ ସର୍ଭେ ବେଳେ ଏହି ବାଇଗଣ ପ୍ରାୟ ଶହେ ବର୍ଷରୁ ଅଧିକ ସମୟ ହେବ ଚାଷ ହୋଇଆସୁଥିବା ଜଣା ପଡ଼ିଥିଲା।

ଅନ୍ୟ ବାଇଗଣ ତୁଳନାରେ କଣ୍ଟେଇମୁଣ୍ଡି ବାଇଗଣ ବେଶ୍‌ ଛୋଟ ହୋଇଥିବାବେଳେ ଏହାର ଡେମ୍ଫଠାରୁ ଆରମ୍ଭ କରି ଗଛ‌ରେ କଣ୍ଟା‌ରେ ଭର୍ତ୍ତି ହୋଇଥାଏ। ଏହି ବାଇଗଣର ଓଜନ ୨୫ ଗ୍ରାମରୁ ଆରମ୍ଭ କରି ୫୦ ଗ୍ରାମ ମଧ୍ୟରେ ହୋଇଥାଏ। ଏହି ବାଇଗଣ ମଧ୍ୟରେ ମାତ୍ରାଧିକ ମଞ୍ଜି ଏହାକୁ ବେଶ୍‌ ସ୍ଵାଦିଷ୍ଟ କରିଥାଏ।

ଉଭୟ ଖରିଫ୍‌ ଓ ରବି ଋତୁ‌ରେ କଣ୍ଟେଇମୁଣ୍ଡି ବାଇଗଣ ଚାଷ କରାଯାଏ। ଅମଳ ପରେ ଏହାକୁ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ସାଇତି ରଖି ହୁଏ। ନୟାଗଡ଼ର ଭୌଗୋଳିକ ସ୍ଥିତି ଓ ପାଣିପାଗ ଯୋଗୁଁ ଏହି କଣ୍ଟେଇମୁଣ୍ଡି ବାଇଗଣରେ ଅନ୍ୟ ବାଇଗଣ ତୁଳନାରେ ସ୍ଵତନ୍ତ୍ର ଗୁଣବତ୍ତା ଦେଖିବାକୁ ମିଳେ।

ଏବେ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମିଳିଥିଲେ ମଧ୍ୟ ଆସନ୍ତା ୩ ମାସ ମଧ୍ୟରେ ଏହାକୁ ନେଇ ଅନ୍ୟ କୌଣସି ସ୍ଥାନରୁ ଯଦି ଆପତ୍ତି ବା ଅଭିଯୋଗ ନଆସେ, ତେବେ ଜିଆଇ ଟ୍ୟାଗ୍‌ ସବୁଦିନ ପାଇଁ ବଳବତ୍ତର ରହିବ।

Tags: #KanteiMundiBrinjal #GITag #Nayagarh #Odisha

 

Comment