ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଛି ଜିଆଇ ଟ୍ୟାଗ୍। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧିନସ୍ଥ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ରସାବଳିକୁ ଏହି ଜିଆଇ ବା ଭୌଗୋଳିକ ମାନ୍ୟତା ମିଳିଛି। ଏହି ଜିଆଇ ମାନ୍ୟତା ପାଇଁ ୨୦୨୦ ମସିହା ଡିସେମ୍ବର ମାସରେ ‘କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ’ ପକ୍ଷରୁ ବିଧିବଦ୍ଧ ଭାବେ ଆବେଦନ କରାଯାଇଥିଲା।

ସାରା ଓଡ଼ିଶାରେ କେନ୍ଦ୍ରାପଡ଼ା ରସାବଳିର ସ୍ଵତନ୍ତ୍ର ପ୍ରସିଦ୍ଧି ରହିଛି। ଛେନା, କ୍ଷୀର ଓ ଚିନିରେ ପ୍ରସ୍ତୁତ ହେଉଥିବା ଏହି ମିଠା ତ୍ରୟୋଦଶ ଶତାବ୍ଦୀରୁ ପ୍ରଭୁ ବଳଦେବଜିଉଙ୍କ ନିକଟରେ ଭୋଗ ଆକାରରେ ଲାଗି ହୋଇଆସୁଛି। ଏହାସହ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ୫୬ ଭୋଗ ମଧ୍ୟରେ ରସାବଳି ଅନ୍ତର୍ଭୁକ୍ତ।

ଐତିହାସିକ ପୃଷ୍ଠଭୂମି ରଖୁଥିବା ଏହି ରସାବଳିକୁ ଜିଆଇ ମାନ୍ୟତା ଦେବା ପାଇଁ ଦୀର୍ଘବର୍ଷ ହେବ ଦାବି ହୋଇ ଆସୁଥିଲା। ଜିଆଇ ମାନ୍ୟତା ପାଇଁ ଆବେଦନ ହେବାପରେ ଏହାର ବିଚାର ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏକ ୧୨ ଜଣିଆ କମିଟି ଗଠନ କରିଥିଲେ।

୨୦୨୨ ଡିସେମ୍ବର ମାସରେ ଜିଆଇ ରେଜିଷ୍ଟ୍ରି ପାଖକୁ ରସାବଳି ସମ୍ପର୍କରେ ପ୍ରାମାଣିକ ତଥ୍ୟ ପଠାଯାଇଥିଲା। ଏହାପରେ ରେଜିଷ୍ଟ୍ରିର ପ୍ରତିନିଧି ଏହାକୁ ନେଇ ସର୍ଭେ କରିଥିଲେ। ରସାବଳିକୁ ଜିଆଇ ଟ୍ୟାଗ୍ ଦିଆଯିବା ବାବଦରେ ୨୦୨୩ ମେ’ ମାସରେ ଜିଆଇ ରେଜିଷ୍ଟ୍ରି ପ୍ରକାଶ କରିଥିଲା।

ତେବେ ରସାବଳିର ଉତ୍ପତ୍ତି ସମ୍ପର୍କରେ କୌଣସି ଅଭିଯୋଗ ଥିଲେ ଚାରି ମାସ ଭିତରେ ଜଣାଇବାକୁ କୁହାଯାଇଥିଲା। ଦିଆଯାଇଥିବା ଅବଧି ଭିତରେ ରସାବଳିକୁ ନେଇ କୌଣସି ଅଭିଯୋଗ ନଆସିବାରୁ ଏବେ ଏହାକୁ ଜିଆଇ ଟ୍ୟାଗ୍ ମିଳିଛି।

କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଏହାକୁ ଭାରତରେ ସ୍ଵତନ୍ତ୍ର ପରିଚୟ ମିଳିବ। ଅନ୍ୟତ୍ର ତିଆରି ରସାବଳିକୁ କେହି କେନ୍ଦ୍ରାପଡ଼ା ରସାବଳି ଭାବେ ଆଉ ବିକ୍ରି କରିପାରିବେ ନାହିଁ।

Tags: #Rasabali #GITag #Kendrapara #Odisha

Comment