ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିରେ ଏବେ ନେତା ସନ୍ତୁଷ୍ଟିକରଣ ଯୋଜନା ଚାଲିଛି। ବହୁ ଘାଣ୍ଟ ଚକଟ ପରେ ଭବାନିପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ବିରୋଧୀ ଦଳ ନେତା କରାଯିବା ପରେ ଏବେ ବିଷ୍ଣୁ ସେଠୀ ଏବଂ ମୋହନ ମାଝିଙ୍କୁ ସନ୍ତୁଷ୍ଟ କରିଛି ବିଜେପି।

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ବିରୋଧୀ ଦଳ ଉପନେତା ଭାବେ ଚୟନ କରାଯାଇଥିବା ବେଳେ କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି। ତେବେ ବିରୋଧୀ ଦଳ ନେତା ରେସ୍‌ରେ ଥିବା ଜୟନାରାୟଣ ମିଶ୍ରଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି।

ବିଜେପି ଏଥର କଂଗ୍ରେସକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନରେ ରହିଛି। ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି ବିଜେପି।

ଦୀର୍ଘ ବର୍ଷ ପରେ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିବାରୁ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ବହୁ ଘାଣ୍ଟ ଚକଟ ହୋଇଥିଲା। ଏହି ପଦବୀ ପାଇଁ ଜୟନାରାୟଣ ମିଶ୍ର, ପ୍ରଦୀପ୍ତ ନାଏକ, ବିଷ୍ଣୁ ସେଠୀ ଏବଂ ମୋହନ ମାଝିଙ୍କ ନାଁ ଉଠିଥିଲା। କିନ୍ତୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ପ୍ରଦୀପ୍ତ ନାଏକଙ୍କ ନାଁରେ ମୋହର ମାରିଥିଲେ।

ରେସ୍‌ରେ ଥିବା ଜୟନାରାୟଣ, ବିଷ୍ଣୁ ଏବଂ ମୋହନ ବାଦ୍ ପଡ଼ିଥିଲେ। ପ୍ରଦୀପ୍ତ ବିରୋଧୀ ଦଳ ନେତା ହେବା ପରେ ଏହି ତିନି ଜଣ ଅସନ୍ତୁଷ୍ଟ ଥିଲେ। ହେଲେ ବିଷ୍ଣୁ ଏବଂ ମୋହନଙ୍କୁ ବିରୋଧୀ ଦଳ ଉପନେତା ଏବଂ ମୁଖ୍ୟ ସଚେତକ ପଦବୀ ଦେଇ ତାଙ୍କୁ ସନ୍ତୁଷ୍ଟ କରିଛି ଦଳ।

LEAVE A REPLY

Please enter your comment!
Please enter your name here