ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୮ଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଛି। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ତଥ୍ୟକୁ ଆଧାର କରି ରାଜ୍ୟ ସରକାର ଏହା ଓଡ଼ିଶା ବିଧାନସଭାରେ କହିଛନ୍ତି।

ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ‘‘କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ସୁନା ଖଣିର ଠାବ କରାଯାଇଛି।’’

କେନ୍ଦୁଝର ଜିଲ୍ଲାର ସଲେଇକଣା, ଡିମିରିମୁଣ୍ଡା, କାରଡଙ୍ଗା, ଗୋପୁର, ଗଜାଇପୁର, କୁଶକଲା ଏବଂ ଅଦଲାରେ ସୁନା ଖଣିର ସନ୍ଧାନ ମିଳିଛି। ସେହିପରି ମୟୂରଭଞ୍ଜର ଯଶୀପୁର, ସୁରେଇଗୁଡ଼ା, ରୁଆସିଁ, ଇଡେଲାକୁଚ, ମରେଦିହି, ସୁରେଇପାଟ ପର୍ବତ, ବାଦାମପାହାଡ଼ରେ ସୁନା ଥିବା ମନ୍ତ୍ରୀ କହିଛନ୍ତି।

ସୁନ୍ଦରଗଡ଼ର ଦିଗଝରଣ, ମାଳଦିହି, ଗୋଗର ଏବଂ ଗିରିଙ୍ଗାକେଲାରେ ସୁନା ଖଣିର ସନ୍ଧାନ ମିଳିଛି। ମାଲକାନଗିରିର ସୁନାପଦର, କ୍ୟାଙ୍ଗ୍, ଗୋବିନ୍ଦପାଲି, ଅନୁଗୁଳର ଟିକିରା, ସାମକୋଇର ଉପତ୍ୟକାରେ ସୁନା ଖଣି ସନ୍ଧାନ ମିଳିଛି।

ବୌଦ୍ଧ ଜିଲ୍ଲାର ମହାନଦୀ ଉପତ୍ୟକାରେ ସୁନା ଖଣିର ସନ୍ଧାନ ମିଳିଥିବା ମନ୍ତ୍ରୀ ବିଧାନସଭାରେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏସବୁ ଅଞ୍ଚଳରେ କ୍ଷୁଦ୍ର ସୁନା ଖଣି ରହିଛି। ଏହା ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ ନାହିଁ। ଏଣୁ ସରକାର ଏହି ଖଣି ଖୋଳିବା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି।

Comment