ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କଲା ଇଂଲଣ୍ଡ। ବିଶ୍ୱକପ୍‌ର ୪୧ ତମ ମ୍ୟାଚ୍‌ରେ ବୁଧବାର ଦୁଇ ଶକ୍ତଶାଳୀ ଦଳ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩୦୫ରନ୍‌ ସଂଗ୍ରହ କରିଥିଲା। ଜବାବ୍‌ରେ ନ୍ୟୁଜିଲାଣ୍ଡ ୪୫ ଓଭରରେ ୧୮୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି।

ଟସ୍‌ ଜିତି ଇଂଲଣ୍ଡ ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ଜସନ ରୟ ଓ ଜନି ବେୟାରଷ୍ଟୋଙ୍କ ଧୂଆଁଧାର ପାର୍ଟନରସିପରେ ଟିମ୍‌ ଇଂଲଣ୍ଡ ଜବରଦସ୍ତ ଓପନି କରିଥିଲା। ତେବେ ଜସନ ରୟଙ୍କ ୬୦ ଓ ଜନି ବେୟାରଷ୍ଟୋ ୧୦୬ ମାରି ଆଉଟ୍‌ ହେବା ପରେ ଦଳର ପ୍ରଦର୍ଶନ ଧିରେ ଧିରେ ତଳକୁ ଖସିଥିଲା। ଏହାପରେ ଅଧିନାୟକ ଇୟନ ମୋର୍ଗାନ ୪୨, ଜ଼ୟ ରୁଟ୍‌ଙ୍କ ୨୪ ରନ୍‌ ବଳରେ ଟିମ୍‌ ଇଂଲଣ୍ଡ ୮ ୱିକେଟ୍‌ ହରାଇ ୩୦୫ ରନ୍‌ ସଂଗ୍ରହ କରିଥିଲା।

୩୦୬ ରନ୍‌କୁ ଟାର୍ଗେଟ୍‌ରେ ରଖି ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଟିମ୍‌ର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳର ୱିକେଟ୍‌ କିପର ଟମ୍‌ ଲଥାମ୍‌ ସର୍ବାଧିକ ୫୩ ରନ୍‌ କରିଥିବା ବେଳେ ଅନ୍ୟ ଖେଳାଳି ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ। ସେହିପରି ଅଧିନାୟକ ୱିଲିୟସନ୍‌ ୨୭, ରସ୍‌ ଟାୟଲର ୨୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ନ୍ୟୁଜିଲାଣ୍ଡ ୪୫ ଓଭରରେ ୧୮୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇ ପରାଜୟର ଶୀକାର ହୋଇଛି। ଏହା ଇଂଲଣ୍ଡ ପାଇଁ ଏକ ବଡ଼ ବିଜୟ ସାବ୍ୟସ୍ତ ହୋଇଛି। ଏହି ବିଜୟ ସହିତ ବିଶ୍ୱକପ୍‌ ଆୟୋଜକ ଟିମ୍‌ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛି।

Comment