ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଶ୍ରୀଗୁଣ୍ଡିଚା। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଏନେଇ ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି। ଏହି ତିନି ରଥ ସଙ୍ଗେ ସଙ୍ଗେ ରଥର ପାର୍ଶ୍ୱ ଦେବଦେବୀ ମଧ୍ୟ ଯାତ୍ରା କରିଥା’ନ୍ତି। ଏହି ତିନିରଥର ପାର୍ଶ୍ୱ ଦେବଦେବୀଙ୍କ ସହିତ ଯକ୍ଷ, ଗନ୍ଧର୍ବ, ଅପ୍‌ସରା ଏବଂ ଅନ୍ୟାନ୍ୟ ଦେବଦେବୀ ମଧ୍ୟ ଯାତ୍ରା କରିଥାନ୍ତି। ଯେଉଁମାନେ କି ରଥର ରକ୍ଷକ ସାଜିଥାନ୍ତି।

ଏହି ରଥଗୁଡ଼ିକୁ ବୈଦିକ ବ୍ରାହ୍ମଣମାନେ ପ୍ରତିଷ୍ଠା କରିଥା’ନ୍ତି। ପ୍ରତିଷ୍ଠା ହୋଇସାରିବା ପରେ ରଥ ଉପରେ କୌଣସି ଅଶୁଭପ୍ରଦ ମନୁଷ୍ୟ, ପକ୍ଷୀ, ମାର୍ଜାର (ବିରାଡ଼ି), ନେଉଳ କିମ୍ବା ଅନ୍ୟ କୌଣସି ପ୍ରାଣୀ ଆରୋହଣ ନ କରନ୍ତି ସେଥିପ୍ରତି ସାବଧାନ ରହିବା ଆବଶ୍ୟକ। ପୁନଶ୍ଚ ସ୍କନ୍ଦ ପୁରାଣରେ କୁହାଯାଇଛି ଯଦି ରଥର ଈଷା ଭଗ୍ନ ହେବ ତେବେ ବ୍ରାହ୍ମଣ କୂଳକୁ ଭୟ।

ରଥର ଅକ୍ଷ ଭଗ୍ନ ହେଲେ କ୍ଷତ୍ରୀୟ କୂଳ କ୍ଷୟ ହୁଏ। ରଥର ଯଦି ତୁଳା ଭଗ୍ନ ହୁଏ ତାହେଲେ ବୈଶ୍ୟ କୂଳର ବିନାଶ ହୁଏ। ସେହିପରି ଶମା ଯଦି ଭଗ୍ନ ହୁଏ ଶୁଦ୍ର କୂଳକୁ ଭୟ ଜାତ ହୁଏ। ରଥର ଧୁରା ଭଗ୍ନରେ ଅନାବୃଷ୍ଟି, ପୀଢ଼ ଭଙ୍ଗରେ ପ୍ରଜା ଭୟ, ଚକ୍ର ଭଙ୍ଗରେ ପରଚକ୍ରଗତି ପ୍ରଭୃତି ଭୟଜାତ ହୋଇଥାଏ। ରଥର ଯଦି ଧ୍ୱଜ ପତନ ହୁଏ ତେବେ ରାଜାର ରାଜ୍ୟ ଅନ୍ୟ ଦ୍ୱାରା ଅଧିକୃତ ହୁଏ। ପ୍ରତିମାମାନଙ୍କର ଯଦି କୌଣସି ପ୍ରକାର ଅଙ୍ଗଭଙ୍ଗ ଘଟଣା ଘଟେ ତେବେ ରାଜାଙ୍କ ଜୀବନ ପ୍ରତି ବିପଦ ହୁଏ। ରଥ ଯଦି ବିନଷ୍ଟ ହୋଇଯାଏ ତା’ହେଲେ ଜନସାଧାରଣଙ୍କ କ୍ଷତି ହୋଇଥାଏ। ଏହିଭଳି ଅନେକ ବିଘ୍ନ ରଥ ଉପରେ ଘଟିବାର ସମ୍ଭାବନା ଥିବାରୁ ରଥର ରକ୍ଷକ ଭାବେ ପ୍ରଖ୍ୟାତ ଦେବଦେବୀ ଦାୟିତ୍ୱ ବହନ କରିଥାନ୍ତି।

କିଏ କେଉଁ ରଥର ରକ୍ଷକ?

ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ରକ୍ଷକ ହେଉଛନ୍ତି ବାସୁଦେବ ଓ ଭାସ୍କର। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଦେବରାଜ ଇନ୍ଦ୍ର। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ରକ୍ଷୟିତ୍ରୀ ହେଉଛନ୍ତି ଉଗ୍ରଚଣ୍ଡୀ।

ରଥ ଆରମ୍ଭରୁ ଯାତ୍ରା ଶେଷ ପର୍ଯ୍ୟନ୍ତ ଏମାନେ ରଥରେ ରହି ଅତି ସାବଧାନର ସହିତ ବିଘ୍ନ ବିନାଶନ ନିମନ୍ତେ ଯତ୍ନବାନ ହୋଇଥାନ୍ତି। ପ୍ରତିବର୍ଷ ଏମାନଙ୍କ ନିଷ୍ଠାପର ଦାୟିତ୍ୱ ଯୋଗୁଁ ରଥଯାତ୍ରା ସୂଚାରୁ ରୂପେ ସମାହିତ ହୋଇଥାଏ। ମହାପ୍ରଭୁଙ୍କର କରୁଣା ଏହି ଦେବଦେବୀଙ୍କ ଉପରେ ସର୍ବଦା ରହିଥାଏ ବୋଲି ବିଶ୍ୱାସ ରହିଛି।

Comment