ଓଡ଼ିଶାଲାଇଭ ବ୍ୟୁରୋ
ଦୀର୍ଘଦିନରୁ ପାଟକୁରା ଉପର୍ନିାଚନ ପାଇଁ ଚର୍ଚ୍ଚା ଜୋର ଧରିଥିଲା। ନିର୍ବାଚନ ତାରିଖ ନେଇ ସମସ୍ତେ ଅପେକ୍ଷା କରିଥିଲେ। ଗୁରୁବାର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପାଟକୁରା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।
ଜୁଲାଇ ୨୦ରେ ନିର୍ବାଚନ କରିବାକୁ ତାରିଖ ନିର୍ଦ୍ଧାରଣ ହୋଇଛି। ଜୁଲାଇ ୨୪ରେ ଭୋଟ ଗଣତି ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।

ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ମୃତ୍ୟୁ ଯୋଗୁଁ ପାଟକୁରାରେ ନିର୍ବାଚନ ଘୁଞ୍ଚାଯାଇଥିଲା। ପରେ ବାତ୍ୟା ଫନି ପାଇଁ ପୁଣି ଥରେ ଦୁଇ ମାସ ନିର୍ବାଚନ ଘୁଞ୍ଚା ଯାଇଥିଲା।
ଜୁଲାରେ ୨୦ ରେ ହେବାକୁ ଥିବା ଉପନିର୍ବାଚନରେ ପାଟକୁରାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ। ବେଦ ପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲ ବିଜେଡି ପ୍ରାର୍ଥୀ ହୋଇଥିଲା ବେଳେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି ବିଜୟ ମହାପାତ୍ର। ସେହିପରି କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ ଜୟନ୍ତ କୁମାର ମହାନ୍ତି।
ପାଟକୁରା ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୯ ହେବାର ଥିଲା। ମାତ୍ର ବିଜେଡି ପ୍ରାର୍ଥୀ ବେଦପ୍ରକାଶଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନକୁ ଘୁଞ୍ଚା ଯାଇ ମେ’ ୧୯ରେ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ହେଲେ ନିର୍ବାଚନ ପୂର୍ବରୁ ମେ’ ୩ରେ ରାଜ୍ୟରେ ବାତ୍ୟା ଫନି ତାଣ୍ଡବ ରଚିଥିଲା।
ଫଳରେ ପୁଣିଥରେ ନିର୍ବାଚନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିଲେ। ନିର୍ବାଚନକୁ ଦୁଇ ମାସ ପାଇଁ ଘୁଞ୍ଚା ଯାଇଥିଲା।


















