ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଭରସା ଅନୁକମ୍ପା ଭୋଟ।

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଜୁଲାଇ ୨୦ରେ ହେବ ଭୋଟ। ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ପାଟକୁରାର ରାଜନୀତି ମଇଦାନ ସରଗରମ ହୋଇ ଉଠିଛି। ବିଭିନ୍ନ ଦଳର ନେତା ଏବେ ପାଟକୁରାରେ ଡେରା ପକାଇଛନ୍ତି।

ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ବିଜେପି ପାଟକୁରାରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟ ଲଢ଼େଇ ବିଜେଡି ଏବଂ ବିଜେପି ଭିତରେ ହେବା ସ୍ପଷ୍ଟ ହୋଇଛି। ତେବେ ଏହି ଲଢ଼େଇ ଭିତରେ ସମସ୍ତଙ୍କ ନଜର ‘ଅନୁକମ୍ପା’ ଭୋଟ ଉପରେ ପଡ଼ିଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ନା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଟକୁରାବାସୀଙ୍କ ଅନୁକମ୍ପା ଭୋଟ ପାଇବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

୧୯ ବର୍ଷ ହେଲା କ୍ଷମତାଠୁ ଦୂରରେ ବିଜୟ

ପାଟକୁରାର ପୁରୁଣା ନେତା ହେଉଛନ୍ତି ବିଜୟ ମହାପାତ୍ର। ୧୯୮୦ରୁ ୨୦୦୦ ଯାଏଁ ବିଜୟ ପାଟକୁରାରୁ ଜନତା ଦଳର ବିଧାୟକ ରହିଥିଲେ। ବିଜୁ ପଟ୍ଟନାୟକଙ୍କ ସରକାର ଅମଳରେ ବିଜୟ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ।

ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କ ନାଁରେ ଗଠନ ହୋଇଥିଲା ବିଜେଡି। ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିଜୟ। ୨୦୦୦ ମସିହା ନିର୍ବାଚନରେ ବିଜେଡି ଟିକେଟ କିଏ ପାଇବ ଏବଂ କିଏ ନପାଇବ ତାହା ସ୍ଥିର କରୁଥିଲେ।

ବିଜୟ ମଧ୍ୟ ପାଟକୁରା ପାଇଁ ଟିକେଟ ପାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହିଁ ବିଜୟଙ୍କ ଟିକେଟ ଖାରଜ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ବେଳେ ବିଜୟ ଭୁବନେଶ୍ୱରରେ ରହିଥିଲେ। ବିଜୟଙ୍କ ଜାଗାରେ ଅତନୁସବ୍ୟସାଚୀ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ଖବର ଆସିଲା। କିନ୍ତୁ ବିଜୟ ଭୁବନେଶ୍ୱରରୁ ପାଟକୁରା ଯାଇ ଆଉ ଥରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ସମୟ ପାଇ ନଥିଲେ।

ସେବେଠାରୁ ବିଜୟ ଆଉ ବିଧାନସଭାକୁ ଆସିପାରି ନାହାନ୍ତି। ବିଜେଡିରୁ ବିଦା ହେବା ପରେ ବିଜୟ ଓଜିପି ଗଠନ କରିଥିଲେ। କିନ୍ତୁ ଏହି ଦଳ ବେଶୀ ଦିନ ତିଷ୍ଠିପାରି ନଥିଲା। ଶେଷରେ ବିଜୟ ଓଜିପିକୁ ଏନସିପିରେ ବିଲୟ କରିଥିଲେ। ହେଲେ ୨୦୦୯ରେ ଏନସିପି ସହ ବିଜେଡି ଓଡ଼ିଶାରେ ଆସନ ବୁଝାମଣା କରିବାରୁ ବିଜୟ ଏନସିପିରୁ ଇସ୍ତଫା ଦେଇଥିଲେ।

୨୦୦୯ ନିର୍ବାଚନ ପୂର୍ବରୁ ବିଜୟ ବିଜେପିରେ ଯୋଗ ଦେଇଥିଲେ। ୨୦୦୯ରେ ବିଜୟଙ୍କୁ ପାଟକୁରାରେ ପ୍ରାର୍ଥୀ କରିଥିଲା ବିଜେପି। ହେଲେ ବିଜୟଙ୍କୁ ସେତେବେଳେ ଗ୍ରହଣ କରି ନଥିଲେ ପାଟକୁରାବାସୀ। ବିଜୟଙ୍କୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ ପରାଜିତ କରିଥିଲେ।

୨୦୧୪ରେ ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ପାଟକୁରାର କିଛି ପଞ୍ଚାୟତ ମହାକାଳପଡ଼ାରେ ମିଶି ଯାଇଥିଲା। ଏଣୁ ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ଅତନୁସବ୍ୟସାଚୀ ନାୟକ ତାଙ୍କୁ ପରାଜିତ କରିଥିଲେ।

୨୦୧୯ ନିର୍ବାଚନ ପରେ ବିଜୟ ପୁଣି ତାଙ୍କ ପୁରୁଣା ଆସନ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି। ୧୯ ବର୍ଷ ହେଲା କ୍ଷମତାଠୁ ଦୂରରେ ରହିଥିବାରୁ ଏବଂ ନିର୍ବାଚନୀ ଯୁଦ୍ଧରେ ବାରମ୍ବାର ପରାଜିତ ହେଉଥିବାରୁ ଏଥର ଅନୁକମ୍ପା ଭୋଟ ପାଇବେ ବୋଲି ଆଶା ରଖିଛନ୍ତି। ଏନେଇ ବିଜୟ ସୋସିଆଲ ମିଡିଆରେ କ୍ୟାମ୍ପେନିଂ ଜୋରଦାର କରିଛନ୍ତି। ହେଲେ ପାଟକୁରାବାସୀ ତାଙ୍କୁ ଏଥର ଜିତାଉଛନ୍ତି କି ନାହିଁ ତା’ ଉପରେ ନଜର ରହିଛି।

‘‘ପାଟକୁରା ନିର୍ବାଚନରେ ଆମେ ନିଶ୍ଚିତ ଜିତିବୁ। ବିଜୟ ମହାପାତ୍ର ଅନୁକମ୍ପା ଭୋଟ ପାଇବେ। ସବୁ ରାଜନୀତିକ ଦଳର କିଛି ନା କିଛି ରଣକୌଶଳ ରହିଛି। ଆମର ବି ପାଟକୁରା ପାଇଁ ସେମିତି କିଛି ରଣନୀତି ପ୍ରସ୍ତୁତ କରାଯାଇଛି’’, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସ୍ୱାମୀଙ୍କ ନାଁ ନେଇ ଭୋଟ ମାଗୁଛନ୍ତି ସାବିତ୍ରୀ

ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ବିଜେଡି ତାଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି। ବେଦପ୍ରକାଶଙ୍କ ପୁଅ କିନ୍ତୁ ଟିକେଟ ନେବାକୁ ଆଶାୟୀ ଥିଲେ। ହେଲେ ବିଜେଡି ଅନୁକମ୍ପା ଭୋଟ ପାଇବା ପାଇଁ ତାଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିଛି।

ସାବିତ୍ରୀ ହେଉଛନ୍ତି ନିର୍ବାଚନ ଲଢ଼େଇରେ ସମ୍ପୂର୍ଣ୍ଣ ନୂଆ। ତାଙ୍କ ସ୍ୱାମୀ ବେଦପ୍ରକାଶ ଅଗ୍ରୱାଲ ଏହି ଆସନରୁ ଲଗାତାର ଦୁଇ ଥର ବିଧାୟକ ରହିଥିବାରୁ ସାବିତ୍ରୀ ତାଙ୍କ ନାଁରେ ଭୋଟ ନେବାକୁ ଆଗେଇ ଆସିଛନ୍ତି। ତାଛଡ଼ା ବିଜେଡିର ମାଳ ନେତା, ମନ୍ତ୍ରୀ ମଧ୍ୟ ପାଟକୁରାରେ ଡେରା ପକାଇଛନ୍ତି। ଅନୁକମ୍ପା ଭୋଟ ଏବଂ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଧାରରେ ସାବିତ୍ରୀ ଭୋଟ ପାଇବାକୁ ଆଶା ବାନ୍ଧିଛନ୍ତି।

ତାରିଖ ଘୋଷଣା ହେବା ପରେ ପାଟକୁରା ନିର୍ବାଚନୀ ମଇଦାନ ଏବେ ଚଳଚଞ୍ଚଳ ହୋଇ ଉଠିଛି। ବିଜେପି ଏବଂ ବିଜେଡି ପ୍ରାର୍ଥୀ କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି। ତେବେ ବିଜୟ ଏବଂ ସାବିତ୍ରୀଙ୍କ ଭିତରୁ କିଏ ପାଟକୁରାବାସୀଙ୍କ ପ୍ରିୟଭାଜନ ହୋଇ ପାରୁଛନ୍ତି ତାହା ଭୋଟ ଫଳାଫଳ ପରେ ହିଁ ଜଣାପଡ଼ିବ।

Comment