ଓଡ଼ିଶାଲାଇଭ୍ ବ୍ୟୁରୋ

ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ଼ କରିବା ପାଇଁ ବିଜେପି ଆରମ୍ଭ କଲା ସଦସ୍ୟ ସଂଗ୍ରହ ଅଭିଯାନ।

ଓଡ଼ିଶାରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେପି। ଏକାମ୍ର-ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଭିମଟାଙ୍ଗିଠାରେ ଏହି ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ।

ଏହି ଅଭିଯାନ ମାଧ୍ୟମରେ ବିଜେପିର ସଭ୍ୟ ସଂଖ୍ୟାକୁ ୫୦ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ରାଜ୍ୟର ସମସ୍ତ ୩୬ ହଜାର ବୁଥରେ ବ୍ୟାପକ କରାଯିବ।

ବର୍ତ୍ତମାନ ସୁଦ୍ଧା ଦେଶରେ ୧୧ କୋଟି ଓ ରାଜ୍ୟରେ ୩୬ ଲକ୍ଷ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରତି ବୁଥରେ ସଦସ୍ୟତା ଗ୍ରହଣ କରାଯିବା ସହ ବୃକ୍ଷରୋପଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବିଜେପିରେ ପ୍ରତି ୩ ବର୍ଷରେ ଥରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ହୋଇଥାଏ। ଚଳିତ ବର୍ଷ ଉଭୟ ଅନଲାଇନ ଏବଂ ଅଫ୍ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ। ଏଥି ସହ ନିଜ ମୋବାଇଲ ଫୋନରୁ ‘୮୯୮୦୮-୦୮୦୮୦’ ନମ୍ବରରେ ମିସ୍ କଲ୍ ଦେଇ ଜଣେ ବ୍ୟକ୍ତି ବିଜେପିର ସଦସ୍ୟ ହୋଇପାରିବେ।

ଏହାସହ ନରେନ୍ଦ୍ର ମୋଦି ଆପ୍‌କୁ ଯାଇ ମଧ୍ୟ ସାଧାରଣ ଲୋକ ବିଜେପିର ସଦସ୍ୟ ହୋଇପାରିବେ। ଟୁଇଟର ଏବଂ ୱେବସାଇଟ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିହେବ। ଯେଉଁଠାରେ ମୋବାଇଲ ସେବା ଉପଲବ୍ଧ ନାହିଁ ସେଠାରେ ବ୍ୟକ୍ତିଗତ ଭାବରେ ଫର୍ମ ପୂରଣ କରି ସଦସ୍ୟତା ଗ୍ରହଣ କରାଯାଇପାରିବ। ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ ଜଣ ସଦସ୍ୟ ହୋଇପାରିବେ।

 

‘‘ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୧୬୪୯ ବୁଥରେ ସଦସ୍ୟତା ଅଭିଯାନକୁ ଆଗକୁ ନିଆଯାଇ ଲୋକମାନଙ୍କୁ ବିଜେପି ସହ ଯୋଡାଯିବ। ଗୋଟିଏ ଟିମ୍ ଗୋଟିଏ ଲକ୍ଷ୍ୟ ରଖି ସଦସ୍ୟତା ଅଭିଯାନକୁ ସଫଳ କରାଇବାର ସଂକଳ୍ପ ନେଇଛନ୍ତି’’, କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଏହି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ ବେଳେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପ-ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here