ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ଆସନ୍ତା ୧୭ରୁ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ ଆଜି ଷ୍ଟାଡିୟମ୍ ବୁଲି ସ୍ଥିତି ଯାଞ୍ଚ୍ କରିଛନ୍ତି।

ଷ୍ଟାଡିୟମ୍‌ରେ ମୁଖ୍ୟ ଭେନ୍ୟୁ ସହ ଖେଳାଳିଙ୍କ ଫ୍ରେସ୍ ରୁମ୍, ଗ୍ୟାଲେରୀ, ପ୍ରବେଶ ଓ ପ୍ରସ୍ଥାନ ବାଟ, ସାଉଣ୍ଡ୍ ସିଷ୍ଟମ୍, ଫ୍ଲଡ୍ ଲାଇଟ୍ ଆଦିକୁ ନେଇ ସମୀକ୍ଷା କରିଥିଲେ। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ କଟକ ସହରକୁ ନେଇ କିଭଳି ସଜାଯିବ ସେ ଦିଗରେ ଜିଲ୍ଲାପାଳ ଭବାନିଶଙ୍କର ଚଇନି, କଟକ ମହାନଗର ନିଗମ(ସିଏମ୍‌ସି) କମିସନର ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସଚିବ।

ଅନ୍ୟପକ୍ଷରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନେଇ ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଇନଡୋର ଷ୍ଟାଡିୟମ୍ ଭିତର କାମ ଶେଷ ହୋଇଥିବା ବେଳେ ବାହାରର କିଛି ଭାଗ ରଙ୍ଗ ଦେବାର ବାକି ରହିଛି। ସେହିପରି ପ୍ରଚାର ଓ ପ୍ରସାର ଦିଗରେ କଟକ ସହରର ବିଭିନ୍ନ ଛକ ବଜାର ସମେତ ଭୁବନେଶ୍ୱରରେ ବଡ ହୋର୍ଡିଂ ଲଗାଯିବ। ବିମାନବନ୍ଦର ଭିତରେ ଓ ବାହାରେ ହୋର୍ଡିଂ ଲଗା ଯାଇସାରିଛି। କଲିକତା, ମୁମ୍ବାଇ ଓ ଦିଲ୍ଲୀ ଏୟାରପୋର୍ଟରେ ମଧ୍ୟ ହୋର୍ଡିଂ ଲଗାଯିବାକୁ ଯୋଜନା କରାଯାଉଥିବା ସଚିବ କହିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଆଗକୁ ଟିକେଟ ବିକ୍ରି କରାଯିବ। ଟିକେଟର ମୂଲ୍ୟ ୫୦, ୧୦୦, ୨୦୦ ଓ ୪୦୦ ଟଙ୍କା ରଖାଯାଇଛି। ଟିକେଟ ବିକ୍ରି ପାଇଁ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମ୍ ନିକଟରେ କାଉଣ୍ଟର ବ୍ୟବସ୍ଥା କରାଯିବ। ସେହିପରି ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ସହ ଯୋଡିବାକୁ ପଦକ୍ଷେପ ନିଆଯିବ। କୁଇଜ୍ ପ୍ରତିଯୋଗିତା, ଖେଳାଳିମାନଙ୍କ ସହ ସାକ୍ଷାତକାରର ସୁଯୋଗ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।

ଅନ୍ୟପକ୍ଷରେ ଉଭୟ ମ୍ୟାଚ ଓ ଅଭ୍ୟାସ ପାଇଁ ୧୭ଟି ଟେବୁଲ୍ ବ୍ୟବସ୍ଥା କରାଯାଇଛି। ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମଠାରେ ୭ଟି ମ୍ୟାଚ ଏବଂ ୪ଟି ୱାର୍ମଅପ୍ ଟେବୁଲ୍ ରଖାଯିବ। ସେହିପରି ସଚିନ ତେନ୍ଦୁଲକର ଇନଡୋର ହଲରେ ୬ଟି ଟେବୁଲ୍ ବ୍ୟବସ୍ଥା କରାଯାଇଥିବା ଓଡ଼ିଶା ଟେବୁଲ୍ ଟେନିସ୍ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡା ସୂଚନା ଦେଇଛନ୍ତି।

Comment