ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକ ଇନଡୋର ଷ୍ଟାଡିୟମରେ ହେବ ଚାମ୍ପିଅନସିପ୍‌
  • ୧୭ରୁ ଆରମ୍ଭ ହେବ ଏହି ରାଜ୍ୟ ଗୋଷ୍ଠୀ କ୍ରୀଡ଼ା
  • ଭାଗ ନେବେ ୧୬ ଦେଶ
  • ପାକିସ୍ତାନକୁ ଗୃହ ମନ୍ତ୍ରଣାଳୟ ତରଫରୁ ଏ ଯାଏଁ ମିଳିନି ଗ୍ରୀନ ସଗ୍‌ନାଲ
  • ଶୁକ୍ରବାର ଇନଡୋର ଷ୍ଟାଡିୟମ ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ମନ୍ତ୍ରୀ

କଟକ : ଆସନ୍ତା ୧୭ରୁ ସ୍ଥାନୀୟ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମଠାରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ସରକାର ଓ ଓଡ଼ିଶା ରାଜ୍ୟ ଟେବୁଲ୍ ଟେନିସ୍ ସଂଘର ମିଳିତ ଉଦ୍ୟମରେ ପ୍ରତିଯୋଗିତାକୁ ସଫଳ କରିବାକୁ ଜୋର୍ଦାର ଉଦ୍ୟମ ଜାରି ରହିଛି। ଏବେ ସୁଦ୍ଧା ୧୬ଟି ଦେଶ ଅଂଶଗ୍ରହଣ କରିବାକୁ ସେମାନଙ୍କ ସହମତି ଦେଇ ସାରିଥିବାବେଳେ ପାକିସ୍ତାନକୁ ନେଇ ଅନିଶ୍ଚିତତା ଦେଖାଯାଇଛି।

ଯଦିଓ ପାକିସ୍ତାନ ଏଣ୍ଟ୍ରି ପଠାଇସାରିଛି, କିନ୍ତୁ ଗୃହ ମନ୍ତ୍ରାଳୟର ଅନୁମତି ମିଳିପାରୁନାହିଁ। ଏ ନେଇ ଦୂତାବାସ ମାଧ୍ୟମରେ ଅନୁମତି ପାଇଁ ପାକିସ୍ତାନ ଟିମ୍ ଉଦ୍ୟମ ଚଳାଇଥିବା ଜଣାପଡିଛି। ଅନ୍ୟପକ୍ଷରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କଟକ ଆସି ଇନଡୋର ଷ୍ଟାଡିୟମର ସ୍ଥିତି ଯାଞ୍ଚ କରିଛନ୍ତି। ମନ୍ତ୍ରୀ ଷ୍ଟାଡିୟମ ଭିତର, ବାହାର, ଦର୍ଶକ ଗ୍ୟାଲେରୀ, ଖେଳାଳିମାନଙ୍କ ବସିବା ଏବଂ ଖେଳିବା ସ୍ଥାନ, ଫ୍ରେସ୍ ବକ୍ସ ଆଦି ସ୍ଥାନ ବୁଲି ଦେଖିଥିଲେ।

ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ଏକ କ୍ରୀଡ଼ାର ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏଥିରେ କୌଣସି ତ୍ରୁଟି ନରଖିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଖେଳାଳିଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ବାରମ୍ବାର ବୈଠକ କରାଯାଇ ଦୈନନ୍ଦିନ କାର୍ଯ୍ୟର ସମୀକ୍ଷା କରାଯାଉଛି।

ସମସ୍ତ ଦଳର ଖେଳାଳି ଓ ଅଫିସିଆଲ୍ସ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ରହିବେ। ସେଠାରୁ ବସ୍ ଯୋଗେ ସେମାନଙ୍କୁ କଟକ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମକୁ ଅଣାଯିବ। ଏଥିଲାଗି ୬ଟି ବିଳାସପୂର୍ଣ୍ଣ ବସ୍ ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ନେବା ଆଣିବା କରିବାକୁ ପ୍ରତି ଘଣ୍ଟାଏରେ ଭୁବନେଶ୍ୱରରୁ କଟକ ଏବଂ କଟକରୁ ଭୁବନେଶ୍ୱର ବସ୍ ଗଡିବ।

ପୋଲିସ୍ ସୁରକ୍ଷା ବଳୟରେ ଖେଳାଳିଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଜାତୀୟ ରାଜପଥରେ ଅଣାଯିବ। ଖେଳାଳିମାନେ ଭୁବନେଶ୍ୱରରୁ ବାହାରି ଫୁଲନଖରା, ଲିଙ୍କରୋଡ୍ ଓଭରବ୍ରିଜ୍, ଶିଖରପୁର, ଯୋବ୍ରା, ମହାନଦୀ ରିଂ ରୋଡ୍ ଦେଇ ହରିଣପାର୍କ ଗଡାରେ ଗଡି ଆନନ୍ଦ ଭବନ ରାସ୍ତାରେ ଇନଡୋର ଷ୍ଟାଡିୟମ୍ ଆସିବେ। ପାକିସ୍ତାନ ଟିମ୍‌କୁ ଯଦି ସବୁଜ ସଙ୍କେତ ମିଳେ ତେବେ ଖେଳାଳିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ଓ ପୋଲିସ୍ ପ୍ରଶାସନ ମଧ୍ୟରେ ବୈଠକ ଶେଷ ହୋଇଛି।

ପାକିସ୍ତାନ ଟିମ୍ ଚାମ୍ପିଅନସିପ୍‌କୁ ଆସିବା ନେଇ କୌଣସି ସମସ୍ୟା ନାହିଁ। କାରଣ ପୁଲୱାମା ଆକ୍ରମଣକୁ ନେଇ ଭାରତ ସରକାର ଓ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି(ଆଇଓସି) ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ ହୋଇସାରିଛି।

ପୁଲୱାମା ଆକ୍ରମଣ ସମୟରେ ଭାରତରେ ବିଶ୍ୱ ସୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେ ସମୟରେ ପାକିସ୍ତାନ ଟିମ୍‌କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଇ ନଥିଲା। ଏ ନେଇ ଆଇଓସି ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା। ଏଭଳି ଆଚରଣ ପାଇଁ ଭାରତକୁ ଅନ୍ୟ କୌଣସି ବିଶ୍ୱ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା। କିନ୍ତୁ ନିକଟରେ ଏହି ବିବାଦ ତୁଟିଥିଲା। ଏଣିକି କୌଣସି ଦଳକୁ ପ୍ରତିବନ୍ଧକ ଲଗାଯିବ ନାହିଁ ବୋଲି ଭାରତ ସରକାର ଏକ ଚିଠିରେ ଆଇଓସିକୁ ସ୍ପଷ୍ଟ କରିଥିଲା।

ଏହାପରେ ଭାରତକୁ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ ଆୟୋଜନ କରିବାକୁ ସୁଯୋଗ ଦିଆଯାଇଛି। ତେଣୁ ଏହି ଆଧାରରେ ପାକିସ୍ତାନ ଦଳ ପ୍ରତିଯୋଗିତାରେ ଭାଗ ନେବାରେ କିଛି ସମସ୍ୟା ନାହିଁ। କିନ୍ତୁ ପ୍ରତିଯୋଗିତାକୁ ଆଉ ମାତ୍ର ୪ ଦିନ ଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ପାକିସ୍ତାନକୁ ଅନୁମତି ଦିଆଯାଇ ପାରିନାହିଁ। ତେଣୁ ପାକିସ୍ତାନ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।

Comment