ଓଡ଼ିଶାଲାଇଭ୍ ବ୍ୟୁରୋ

ମାସିକ ଋତୁସ୍ରାବ ତାରିଖ ଓ ଧାରା ହିସାବ ରଖିବା ପାଇଁ ଆପଣ ମୋବାଇଲ୍ ଆପ୍ ବ୍ୟବହାର କରୁଛନ୍ତି କି? ସାବଧାନ, ଏହା ସବୁବେଳେ ନିର୍ଭୁଲ୍ ସୂଚନା ଦେଇନପାରେ।

ମହିଳାମାନଙ୍କର ମାସିକ ଋତୁଚକ୍ରରେ ନିୟମିତତା, ଏକ ସୁସ୍ଥ ଓ ସୁଖୀ ଜୀବନ ପାଇଁ  ଅତ୍ୟନ୍ତ  ଜରୁରୀ। ତେଣୁ ଏଥିରେ ବାରମ୍ବାର ବ୍ୟତିକ୍ରମ ଦେଖାଗଲେ ତାକୁ ନଜର ଅନ୍ଦାଜ୍ ନ କରି ବା ଏ ଦିଗରେ ସଂକୋଚବୋଧ ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।

ମାସିକ ଋତୁଚକ୍ରର ନିୟମିତତା କ୍ଷେତ୍ରରେ ସମସ୍ୟା ଦେଖାଦେଲେ ଡାକ୍ତର ପ୍ରଥମେ ଏହାକୁ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଥାନ୍ତି। ଅର୍ଥାତ୍ ପ୍ରତିଥର ମାସିକ ଋତୁସ୍ରାବର ତାରିଖ ଟିପି ରଖିବା ଏବଂ ଦୁଇଟି ଋତୁସ୍ରାବ ମଧ୍ୟରେ ବ୍ୟବଧାନ ହିସାବ କରିବା। ଅନେକ ସମୟରେ ଏକାଧିକ ମାସ ପର୍ଯ୍ୟନ୍ତ ଏହି ହିସାବ କରିବାକୁ ପଡ଼ିଥାଏ। ଏହି ହିସାବକୁ ସହଜ କରିବାକୁ ଯାଇ ଆଜିର ଦିନରେ ଅନେକ ମହିଳା ସ୍ମାର୍ଟ ଫୋନ୍ ଜରିଆରେ କେତେକ ମୋବାଇଲ୍ ଆପ୍ ବ୍ୟବହାର କରୁଛନ୍ତି। ତେବେ ଏହି ମୋବାଇଲ୍ ଆପ୍‌ର ନିର୍ଭରଯୋଗ୍ୟତା ଉପରେ ଏବେ ପ୍ରଶ୍ନ ଉଠାଯାଉଛି।

ୱାସିଂଟନ୍ ବିଶ୍ୱବିଦ୍ୟାଳୟର ଏକ ରିସର୍ଚ ଟିମ୍ ୬୮୭ ଜଣ ମହିଳାଙ୍କୁ ନେଇ ଏ ବିଷୟରେ ଏକ ସର୍ଭେ କରିଥିଲେ। ସେମାନେ ସର୍ଭେ ସମୟରେ ୨ ହଜାରରୁ ଅଧିକ ଘଟଣା ସଂପର୍କରେ ଅନୁଧ୍ୟାନ କରିଥିଲେ। କେତେକ ମହିଳାଙ୍କ ସାକ୍ଷାତକାର ନେଇ ସେମାନେ ଦେଖିବାକୁ ଚାହିଁଥିଲେ ଯେ ବିଭିନ୍ନ ଲୋକପ୍ରିୟ ପିରିୟଡ୍ ଟ୍ରାକିଂ ଆପ୍‌ର ତଥ୍ୟ ଓ ଫଳାଫଳ କେତେ ନିର୍ଭରଯୋଗ୍ୟ। ସେମାନେ ଶେଷରେ ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ, ମହିଳାମାନଙ୍କ ମାସିକ ଋତୁସ୍ରାବ ଅନୁଧ୍ୟାନ କରିବା କ୍ଷେତ୍ରରେ ଆପ୍ କରୁଥିବା ପୂର୍ବ ସୂଚନା ଉପରେ ସବୁବେଳେ ଭରସା କରାଯାଇପାରିବ ନାହିଁ।

ସେମାନେ ସର୍ଭେ ବେଳେ ଜାଣିପାରିଥିଲେ ଯେ ଅନେକ ମହିଳା ବିଭିନ୍ନ କାରଣରୁ ନିଜର ମାସିକ ଋତୁସ୍ରାବ ତଥ୍ୟ ସଂକଳନ ପାଇଁ ସ୍ମାର୍ଟ ଫୋନ୍ ଜରିଆରେ ବିଭିନ୍ନ  ମୋବାଇଲ୍ ଆପ୍ ବ୍ୟବହାର କରୁଛନ୍ତି। ତା’ ମଧ୍ୟରେ ପ୍ରମୁଖ କାରଣ ହେଉଛି:

  • ନିଜ ଶରୀର ସଂପର୍କରେ ବୁଝିବା ଏବଂ ମାସିକ ଋତୁସ୍ରାବ ସମୟରେ ଦେହ ଉପରେ ଏହାର ପ୍ରଭାବକୁ ଅନୁଧ୍ୟାନ କରିବା
  • ନିଜକୁ ପରବର୍ତ୍ତୀ ଋତୁସ୍ରାବ ପାଇଁ ପ୍ରସ୍ତୁତ କରିବା
  • ଗର୍ଭଧାରଣ କରିବା କିମ୍ବା ଅବାଞ୍ଛିତ ଗର୍ଭଧାରଣଠାରୁ ଦୂରେଇ ରହିବା
  • କିମ୍ବା ଡାକ୍ତରଙ୍କ ସହ ପରାମର୍ଶ ବେଳେ ଆବଶ୍ୟକ ହେଉଥିବା ତଥ୍ୟ ବା ସୂଚନା ଠିକ୍ ରୂପେ ପ୍ରଦାନ କରିବା

ମୋବାଇଲ୍ ଆପ୍ ଛଡ଼ା ମାସିକ ଋତୁସ୍ରାବ ତାରିଖ ବା ସମୟକୁ ଅନୁଧ୍ୟାନ କରିବା ଲାଗି ଆହୁରି କେତେକ ଧାରା ରହିଛି। ଡାଏରିରେ ଟିପି ରଖିବା, ଡିଜିଟାଲ୍ କ୍ୟାଲେଣ୍ଡର ବ୍ୟବହାର କରିବା, ଋତୁସ୍ରାବ ପୂର୍ବର ଲକ୍ଷଣ ଜାଣିବା, ବା ସାଧାରଣ ଭାବେ କହିବାକୁ ଗଲେ ନିୟମିତ ଋତୁସ୍ରାବର ତାରିଖ ମନେରଖିବା।

ଗବେଷକମାନେ ଏହି ଅନୁଧ୍ୟାନ ବେଳେ ଯେଉଁ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ତା’ ହେଲା:

  • ଯଦିଓ ଅନେକ ଆପ୍, ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ମେଣ୍ଟାଇପାରୁଛି, ତେବେ ତାହା ଯେ ସମ୍ପୂର୍ଣ୍ଣ ସଠିକ୍ ଫଳାଫଳ ଦେଇପାରୁଛି ତାହା ସୁନିଶ୍ଚିତ ନୁହେଁ।
  • ଯେଉଁ ଆଧାରରେ ଅନେକ ଆପ୍ ପ୍ରସ୍ତୁତ ହୋଇଛି ସେଗୁଡ଼ିକ ଜଣେ ମହିଳାଙ୍କ ପରବର୍ତ୍ତୀ ଋତୁସ୍ରାବ ତାରିଖ ସମ୍ପର୍କରେ ନିର୍ଭୁଲ ସୂଚନା ଦେବାରେ ସକ୍ଷମ ହେଉନାହିଁ।
  • ବିଶେଷକରି ମହିଳାଙ୍କ ମାସିକ ଋତୁସ୍ରାବ ଅନିୟମିତ ଥିଲେ, ଏହି ଆପ୍‌ର ବ୍ୟବହାର ବିଶେଷ ଫଳପ୍ରଦ ହେଉନାହିଁ।
  • କୌଣସି ମାସରେ ଋତୁସ୍ରାବ ତାରିଖ ସହ ଆପ୍‌ର ଆକଳନରେ ତାଳମେଳ ନ ରହିଲେ ତାକୁ ସଂଶୋଧନ କରି ତଥ୍ୟରେ ପରିବର୍ତ୍ତନ କରିବା ବା ଏହାର ମୁଖ୍ୟ କାରଣ ଖୋଜିବାରେ ମଧ୍ୟ ଏହା ବିଶେଷ ସହାୟକ ହୋଇପାରୁନାହିଁ।
  • ଜଣେ ମହିଳାଙ୍କର ମାସିକ ଋତୁସ୍ରାବ ନିୟମିତ ଥିଲେ ଏହି ଆପ୍‌ର ଫଳାଫଳରେ କୌଣସି ସମସ୍ୟା ନଥାଏ। ତେବେ ଯେଉଁ ମହିଳା ଅସଲରେ ଆପ୍‌ର ଆବଶ୍ୟକତା କରନ୍ତି, ତାଙ୍କୁ ଅର୍ଥାତ୍ ଯାହାର ଋତୁଚକ୍ରରେ ସମସ୍ୟା ଥାଏ, ମୋବାଇଲ୍ ଆପ୍ ଏକ ନିର୍ଦ୍ଦିଷ୍ଟ ଆଲଗୋରିଦିମ୍ ଉପରେ ଆଧାରିତ ହୋଇଥିବାରୁ, ତାଙ୍କ କ୍ଷେତ୍ରରେ ଆପ୍ ନିର୍ଭୁଲ ଫଳାଫଳ ଦେଇପାରେ ନାହିଁ। ଏକଥା କହିଛନ୍ତି ଏହି ସର୍ଭେର ନେତୃତ୍ୱ ନେଇଥିବା ଅନ୍ୟତମ ଗବେଷକ ନିକିଲି।

ତେଣୁ ମହିଳାଙ୍କ ମାସିକ ଋତୁସ୍ରାବ ରେକର୍ଡ କରିବା ଲାଗି ଥିବା ମୋବାଇଲ୍ ଆପ୍‌ର କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ସେମାନେ କେତେକ ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଲା:

  • ଜଣେ ବ୍ୟବହାରକାରୀ ନିଜ ସମ୍ବନ୍ଧରେ ତଥ୍ୟ ବା ଫିଡବ୍ୟାକ୍ ଦେବା ପାଇଁ ଆପ୍‌ରେ ଯଥେଷ୍ଟ ସୁଯୋଗ କରିବା ଦରକାର।
  • ବ୍ୟବହାରକାରୀମାନେ ଏହି ଆପ୍‌ର ଡାଟାକୁ ଏକ୍ସପୋର୍ଟ କରି ଅନ୍ୟ ସ୍ୱାସ୍ଥ୍ୟ ଓ ଫିଟିନେସ୍ ଟୁଲ୍ ବା ଆପ୍ ସାଙ୍ଗରେ ବ୍ୟବହାର କରିବା ଲାଗି ବ୍ୟବସ୍ଥା ରହିବା ଦରକାର।

ବୁଝିବାକୁ ହେବ ଯେ, ଜଣେ ମହିଳାଙ୍କର ମାସିକ ଋତୁସ୍ରାବ ତାରିଖ ବା ଧାରା ସବୁବେଳେ ସ୍ଥିର ନୁହେଁ। କାରଣ ଏ କ୍ଷେତ୍ରରେ ସମୟକ୍ରମେ ପରିବର୍ତ୍ତନ ବା ଭିନ୍ନତା ଆସିପାରେ।

Comment