ଓଡ଼ିଶାଲାଇଭ୍ ବ୍ୟୁରୋ

ଲୁଟ୍‌ରେ ବ୍ୟବହାର ହୋଇଥିବା କାରକୁ ପୋଲିସ ଜବତ କରିଛି।

କଟକ: ସିଡିଏ ସେକ୍ଟର-୬ ଗହଣା ଦୋକାନ ଲୁଟ୍ ଘଟଣାରେ ପୋଲିସ ଦୁଇ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ବ୍ରହ୍ମପୁର ଲଛପଡ଼ାର କେ.ଶ୍ୟାମସୁନ୍ଦର ରାଓ(୧୯) ଓ ବିଲସାହି ବୃନ୍ଦାବତି ନଗରର ଟୁନା ଦାସ(୩୦)। ସେମାନଙ୍କଠାରୁ ଗୋଟିଏ ହୁଣ୍ଡାଇ କାର୍, ହଳେ ସୁନା କାନ ଫୁଲ, ୧ ହଜାର ଟଙ୍କା ଓ ଦୁଇଟି ଫୋନ୍ ଜବତ ହୋଇଛି। ଅନ୍ୟ ତିନି ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି।

ସେକ୍ଟର-୬ରେ ଶ୍ରୀରାମ ଜୁଏଲାରୀ ଗହଣା ଦୋକାନରୁ ଗତ ୧୦ ତାରିଖ ରାତିରେ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ଦୋକାନ ବନ୍ଦ ହେବାର ସମୟ। ହଠାତ୍ ଏକ କାର୍ ଆସି ଦୋକାନ ସମ୍ମୁଖରେ ଲାଗିଥିଲା। ସେଥିରୁ ତିନି ଜଣ ଯୁବକ ବାହାରି ଦୋକାନରେ ପସିଥିଲେ। ଏହାପରେ ଗହଣା କିଣିବା ପାଇଁ ଦୋକାନୀଙ୍କୁ କହିଲେ। ଦୋକାନୀ ଦୁଇଟି ସୁନା ବ୍ରେସଲେଟ୍, ସୁନା ଚେନ୍, ଦୁଇ ହଳ ସୁନା କାନଫୁଲ କାଢ଼ି ଦେଖାଇଥିଲେ। ପରେ ହଠାତ୍ ଉକ୍ତ ଯୁବକମାନେ ପାଖରେ ରଖିଥିବା ବନ୍ଧୁକ ଓ ଛୁରୀ ଦେଖାଇ ଦୋକାନୀଙ୍କୁ ଭୟଭୀତ କରିବାକୁ ଲାଗିଲେ। ପରେ ହାତରେ ଧରିଥିବା ସମସ୍ତ ସୁନା ଅଳଙ୍କାରକୁ ଯୁବକମାନେ ଧରି ବାହାରକୁ ପଳାଇଥିଲେ।

ଏହି ସମୟରେ ଦୋକାନୀ ଓ ପାଖରେ ଥିବା କିଛି ଲୋକ ତାଙ୍କୁ ପିଛା କରି କେ. ଶ୍ୟାମସୁନ୍ଦର ନାମକ ଯୁବକଙ୍କୁ କାବୁ କରିନେଇଥିଲେ। ମାତ୍ର ଅନ୍ୟ ଦୁଇ ଯୁବକ ସେଠାରୁ କାରରେ ଗହଣା ସହିତ ଫେରାର୍ ହୋଇଯାଇଥିଲେ।

ଧରାପଡ଼ିଥିବା ଯୁବକଙ୍କୁ ପୋଲିସ ଅଧିକ ଜେରା କରିବାରୁ ଲୁଟର ଗୁମର ଖୋଲିଥିଲା। ପରେ ପୋଲିସ ତଦନ୍ତକରି ଗତକାଲି ଅନ୍ୟ ଜଣେ ଡକାୟତ ଟୁନାକୁ ଧରିବାରେ ସଫଳ ହୋଇଛି। ଟୁନା ନାମରେ ପୂର୍ବରୁ ବହୁ ମାମଲା ରହିଛି। ଗଲା କିଛି ଦିନ ହେବ ସେ ଏକ ଟ୍ରାଭେଲ୍‌ସରୁ ଗାଡ଼ି ଭଡ଼ାରେ ଆଣି ଚଲାଉଥିଲା। ଉକ୍ତ କାରକୁ ଟୁନା ଏହି ଲୁଟରେ ବ୍ୟବହାର କରିଥିଲା। ଟୁନା ଠାରୁ ହଳେ ସୁନା କାନଫୁଲ ମଧ୍ୟ ଜବତ ହୋଇଛି।

ପୋଲିସର କହିବାନୁସାରେ, ଏହି ଲୁଟରେ ମୋଟ୍ ୫ ଜଣ ସାମିଲ ଥିଲେ। ଲୁଟ ଦିନ ଦୋକାନକୁ ୩ଜଣ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ କାର୍ ଭିତରେ ଥିଲେ। ଫେରାର୍ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଗଂଜାମ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ବଡ଼ମ୍ବା ନରସିଂହପୁର ଅଞ୍ଚଳର। ନରସିଂହପୁର ଅଞ୍ଚଳର ଜଣେ ଯୁବକ କଟକରେ କାମ କରନ୍ତି। ସେ କଟକ ବିଷୟରେ ଭଲ ଭାବେ ଅବଗତ। ଲୁଟ ସମ୍ପର୍କରେ ପୂର୍ବରୁ କୌଣସି ଯୋଜନା ହୋଇନଥିଲା। ମାତ୍ର ଡକାୟତମାନେ ନରାଜ ବ୍ୟାରେଜ ପାଖରେ ବସି ଖଟି କରୁଥିଲେ। ହଠାତ୍ ଲୁଟ୍ ପାଇଁ ସ୍ଥିର କରି ଗହଣା ଦୋକାନକୁ ଯାଇ ଏଭଳି କାଣ୍ଡ ଭିଆଇଥିବା ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି।

Comment