ଓଡ଼ିଶାଲାଇଭ୍ ବ୍ୟୁରୋ



ସାରା ବିଶ୍ଵରେ ପ୍ରଦୂଷଣ ମହାମାରୀର ରୂପ ନେବାକୁ ଯାଉଛି। ବିଶ୍ଵବାସୀ ପ୍ରଦୂଷଣରୁ ମୁକ୍ତି ପାଇଁ ପ୍ରତିଦିନ ନୂଆ ନୂଆ ବିକଳ୍ପ ବାଛିବାକୁ ବାଧ୍ୟ ହେଉଛନ୍ତି। ଦେଶବାସୀଙ୍କ ପାଇଁ ଖୁସିର ଖବର ହେଉଛି ଏଣିକି ଦେଶରେ ଗଡ଼ିବ ଇକୋଫ୍ରେଣ୍ଡଲି ଅଟୋରିକ୍ସା।

ପ୍ରତିଦିନ ଦେଶର କୋଟି କୋଟି ସଂଖ୍ୟାରେ ମଟରଯାନର ବ୍ୟବହାର ବଢ଼ୁଛି। ଦେଶର ବିଭିନ୍ନ ସହର ତଥା ଗାଁରେ ପେଟ୍ରୋଲ୍ ଏବଂ ଡିଜେଲ୍ ଚାଳିତ ଅଟୋ ରିକ୍ସା ଚାଲୁଛି। ପେଟ୍ରୋଲରୁ ବାହାରୁଥିବା କାର୍ବନ ଡାଇଅକ୍ସାଇଡ୍ ଓ ମୋନୋକ୍ସାଇଡ୍ ପ୍ରତ୍ୟକ୍ଷ ଭାବରେ ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କରୁଛି।

ଶୁକ୍ରବାର ସ୍ମାର୍ଟ ସିଟି ଭୁବନେଶ୍ଵରରେ ପହଞ୍ଚିଛି ବ୍ୟାଟେରୀଚାଳିତ ଅଟୋ। ବ୍ୟାଟେରୀ ଚାଳିତ ଅଟୋ ପେଟ୍ରୋଲ୍ ଏବଂ ସିଏନଜି ଚାଳିତ ଅଟୋ ପରି। କିନ୍ତୁ ଏହି ବ୍ୟାଟେରୀ ଚାଳିତ ଅଟୋ ସମ୍ପୂର୍ଣ୍ଣ ଇକୋଫ୍ରେଣ୍ଡଲି ବା ପ୍ରଦୂଷଣମୁକ୍ତ।

ବେଙ୍ଗାଳୁରୁରେ ୫୦ରୁ ଊର୍ଦ୍ଧ୍ଵ ଇକୋଫ୍ରେଣ୍ଡଲି ଅଟୋ ଚାଲୁଛି। ଏହି ଅଟୋରେ ସୋଲାର ସଂଯୁକ୍ତ କରାଯାଇ ସୌରଶକ୍ତି ମାଧ୍ୟମରେ ମଧ୍ୟ ବ୍ୟାଟେରୀକୁ  ଚାର୍ଜ କରାଯାଇପାରୁଛି।

ଗତ ୨୦୧୪ ମସିହାରେ ବେଙ୍ଗାଳୁରର ଭୋଲଟା ଅଟୋମେଟିଭ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଭିଏଆଇପି) କମ୍ପାନି ପୁରୁଣା ଅଟୋ ରିକ୍ସାରୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ଇଞ୍ଜିନ୍ ବଦଳାଇ ସେଇ ଜାଗାରେ ଲିଥିୟମ୍ ବ୍ୟାଟେରୀ ସଂଯୋଗ କରି ବିନା ଗିୟର୍ କିମ୍ବା କ୍ଲଚ୍‌ରେ ସମସ୍ତେ ଚଲାଇପାରିବା ଭଳି ଅଟୋରିକ୍ସା ପ୍ରସ୍ତୁତ କରିଛି।

ଆଗାମୀ ଦିନରେ ଚାରି ଚକିଆ ଗାଡ଼ିର ଏହି ବ୍ୟାଟେରୀ ସଂଯୋଗ କରାଯାଇ ବଜାରରେ ଉପଲବ୍ଧ କରିବା ପାଇଁ କମ୍ପାନି ପ୍ରୟାସ ଜାରି ରଖିଛି।

ଗତ ମେ ମାସ ୨୫ ତାରିଖରୁ ଏହି ଅଟୋ ରିକ୍ସା ଭାରତରେ ପ୍ରଥମ ଥର ପାଇଁ ବେଙ୍ଗାଳୁରୁରୁ ବାହାରି ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ, କଲିକତା ଦେଇ ଆସି ପହଞ୍ଚିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ। ୬୦ ଦିନ ଭିତରେ ୬୦୦୦ରୁ ଊର୍ଦ୍ଧ୍ଵ କିଲୋମିଟର ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛି ଏହି ଅଟୋ ରିକ୍ସା।

ଏହି ଅଟୋ ରିକ୍ସା ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ଅଟୋ ସାରା ଦେଶ ଭ୍ରମଣ କରୁଛି। ମୁମ୍ବାଇର ଆଇଆଇଟି ଛାତ୍ର ସୁଶିଲ୍ ରେଡ୍ଡୀ ଏହାର ନେତୃତ୍ୱ ନେଉଛନ୍ତି। ଯୁବ ଇଞ୍ଜିନିୟର୍ ଋତ୍ଵିକ ଆର୍ଯ୍ୟ, ଭୋଲଟାର ଯୁବ ଅଧିକାରୀ ସୁଧୀର ଲେକ୍କାଲା, ମାସ୍ କମ୍ୟୁନକେସନର ଛାତ୍ରୀ ପଲ୍ଲବୀ ସିଦ୍ଧାନ୍ତ ଏହି ଅଭିଯାନରେ ସାମିଲ୍ ହୋଇଛନ୍ତି।

ଓଡ଼ିଶାର ଶିଳ୍ପଉଦ୍ୟୋଗୀ ପ୍ରଭାତ ରଞ୍ଜନ ସାହୁ ଭୁବନେଶ୍ଵରରେ ଇକୋଫ୍ରେଣ୍ଡଲି ଅଟୋକୁ ସ୍ଵାଗତ କରିବା ସହ ସାଧାରଣ ଲୋକ, ଅଟୋ ଚାଳକ ଓ ବିଭିନ୍ନ ଅଟୋ ଆସୋସିଏସନରେ ଏହାର ଉପକାରିତା ସମ୍ପର୍କରେ ଅବଗତ କରାଉଛନ୍ତି।

ଅଭିଯାନର ମୁଖ୍ୟ ସୁଶିଲ୍ ରେଡ୍ଡୀ ଓଡ଼ିଶାଲାଇଭକୁ କହିଛନ୍ତି ଯେ, ଏହି ଇକୋଫ୍ରେଣ୍ଡଲି ଅଟୋ ଶତ ପ୍ରତିଶତ ପ୍ରଦୂଷଣ ମୁକ୍ତ। ପୁରୁଣା ଅଟୋଗୁଡ଼ିକର ଇଞ୍ଜିନକୁ ବାହାର କରି ଯଦି ଲିଥିୟମ୍ ବ୍ୟାଟେରୀ ସଂଯୋଗ କରାଯାଏ ତେବେ ଅଟୋଗୁଡ଼ିକ ବିନା ପ୍ରଦୂଷଣରେ ଚାଲିପାରିବ। ବ୍ୟାଟେରୀକୁ ୨ରୁ ୩ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ କଲେ ପାଖାପାଖି ୯୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ବ୍ୟାଟେରୀ ଚାର୍ଜ ପାଇଁ ମାତ୍ର ୬ ୟୁନିଟ୍ ବିଦ୍ୟୁତ୍ ଶକ୍ତିର ଆବଶ୍ୟକ ପଡ଼ିଥାଏ।

ଓଡ଼ିଶାର ଶିଳ୍ପଉଦ୍ୟୋଗୀ ପ୍ରଭାତ ରଞ୍ଜନ ସାହୁ କହିଛନ୍ତି ଯେ, ସ୍ମାର୍ଟ ସିଟି ଭୁବନେଶ୍ଵର ଓ ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଆଗାମୀ ୨ରୁ ୩ ବର୍ଷ ଭିତରେ ବ୍ୟାଟେରୀ ଚାଳିତ ଅଟୋ ଉପଲବ୍ଧ ହେବ ବୋଲି ଆମେ ଆଶାବାଦୀ ଅଛୁ। ଯାହାକି ବିନା ସାଉଣ୍ଡ ଓ ବିନା ଧୂଆଁରେ ଏହି ଅଟୋ ଚାଲିପାରିବ। ଅଟୋରେ ଯଦି ସୋଲାର ପ୍ୟାନେଲ୍ ସଂଯୋଗ କରାଯାଏ ଅଟୋ ଚାଲୁଥିବା ବେଳେ ୪୦ପ୍ରତିଶତ ଯାଏଁ ବ୍ୟାଟେରୀ ଚାର୍ଜ ହୋଇପାରିବ। ଅଟୋ ଘଣ୍ଟାକୁ ୫୫ କିଲୋମିଟର ବେଗରେ ଗତି କରିପାରିବ। ଆମେ  ବିଭିନ୍ନ ସ୍କୁଲ୍, କଲେଜ, କମ୍ୟୁନିଟି, ଇଞ୍ଜିନିୟରିଂ କଲେଜରେ ଆଗାମୀ ଦିନରେ ସଚେତନତା ବୃଦ୍ଧି କରିବୁ।

ପୁରୁଣା ଅଟୋରେ ଲିଥିୟମ୍ ବ୍ୟାଟେରୀ ସଂଯୋଗ କଲେ ପ୍ରାୟ ୧ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବ୍ୟାଟେରୀର ଓ୍ୱାରେଣ୍ଟି ୩ ବର୍ଷ ରହିବ। ଗୋଟିଏ ବ୍ୟାଟେରୀରେ ଅଟୋଟି ୨.୫ ଲକ୍ଷ କିଲୋମିଟର  ଗତି କରିପାରିବ। ବ୍ୟାଟେରୀ ସଂଯୁକ୍ତ ନୂଆ ଅଟୋ ଖୁବ୍ ଶୀଘ୍ର ଦେଶର ବିଭିନ୍ନ ସହରରେ ଉପଲବ୍ଧ ହେବାକୁ ଯାଉଛି।

ଚଳିତ ବଜେଟରେ ମୋଦି ସରକାରଙ୍କର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଲେକ୍ଟ୍ରି ବା ବ୍ୟାଟେରୀ ଚାଳିତ ଯାନଗୁଡ଼ିକର କ୍ରୟ ଉପରେ ସ୍ଵତନ୍ତ୍ର ସବସିଡ଼ିର ବ୍ୟବସ୍ଥା କରିଛନ୍ତି।

Comment