ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବିଶ୍ଵକପର ଫାଇନାଲ ମ୍ୟାଚ ରବିବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହାସହ ଆଇସିସି ବିଶ୍ଵକପର ୧୨ତମ ସଂସ୍କରଣ ଶେଷ ହେବ। ଏହି ବିଶ୍ଵକପରେ ଅନେକ ରେକର୍ଡ ସୃଷ୍ଟି ହେବାସହ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ମଧ୍ୟ ହୋଇଛି। ତେବେ ଚଳିତ ବିଶ୍ଵକପର ସେମତି କିଛି ନୂଆ ରେକର୍ଡକୁ ନଜର ପକାଇବା।

ଚଳିତ ବିଶ୍ଵକପରେ ୫ଟି ଶତକ

ଗୋଟିଏ ବିଶ୍ଵକପରେ ସର୍ବାଧିକ ୫ଟି ଶତକ କରିବାରେ ଭାରତୀୟ ଓପନର ରୋହିତ ଶର୍ମା ପ୍ରଥମ ବ୍ୟାଟ୍ସମ୍ୟାନ। ଚଳିତ ବିଶ୍ଵକପରୁ ସେ ଏହି ରେକର୍ଡ କରିବାରେ ସଫଳ ହୋଇଛନ୍ତି। ଏହି ବିଶ୍ଵକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ୧୨୨, ପାକିସ୍ତାନ ବିପକ୍ଷରେ ୧୪୦, ଇଂଲଣ୍ଡ ବିପକ୍ଷରେ ୧୦୨, ବାଂଲାଦେଶ ବିପକ୍ଷରେ ୧୦୪ ଓ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ କରିଥିଲେ। ଏହି ରେକର୍ଡ ପୂର୍ବରୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ନାରେ ରହିଥିଲା। ସେ ଗୋଟିଏ ବିଶ୍ଵକପରେ ୪ଟି ଶତକ କରିଥିଲେ।

ଡେବ୍ୟୁ ମ୍ୟାଚରେ ପ୍ରଥମ ବଲରେ ଓ୍ଵିକେଟ

ନିଜ ଡେବ୍ୟୁ ମ୍ୟାଚରେ ପ୍ରଥମ ବଲରେ ଓ୍ଵିକେଟ ହାସଲ କରିବାରେ ବିଜୟ ଶଙ୍କର ସଫଳତା ହାସଲ କରିଛନ୍ତି। ଚଳିତ ବିଶ୍ଵକପର ପାକିସ୍ତାନ ବିପକ୍ଷ ମ୍ୟାଚରେ ଭୁବନେଶ୍ଵର କୁମାର ଆହତ ହୋଇ ମ୍ୟାଚରୁ ବାହାରିବା ପରେ ବିଜୟ ଶଙ୍କରଙ୍କୁ ସ୍ଥାନ ମିଳିଥିଲା। ପରେ ନିଜ ପ୍ରଥମ ବଲରେ ଇମାମ ଉଲ ହକଙ୍କୁ ପାଭିଲିୟନ ଫେରାଇ ଏହି ରେକର୍ଡ କରିଥିଲେ।

ଚଳିତ ବିଶ୍ଵକପରେ ପ୍ରଥମ ହାଟ୍ରିକ

ଭାରତୀୟ ପେସ ବୋଲର ମହମ୍ମଦ ସାମି ପ୍ରଥମ ଖେଳାଳି ଭାବେ ଚଳିତ ବିଶ୍ଵକପରେ ପ୍ରଥମ ହାଟ୍ରିକ ହାସଲ କରିଥିଲେ। ଏହି ସଫଳତା ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ହାସିଲ କରିଥିଲେ। ତାଙ୍କ ହାଟ୍ରିକର ଶିକାର ମହମ୍ମଦ ନବି, ଆଫତାବ ଆଲମ ଓ ମୁଜିବ ଉର ରେହମାନ ହୋଇଥିଲେ। ସେ ଦ୍ଵିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଚେତନ ଶର୍ମା ୧୯୮୭ ବିଶ୍ଵକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାଟ୍ରିକ ହାସଲ କରିଥିଲେ।

ଚଳିତ ବିଶ୍ଵକପରେ ସର୍ବାଧିକ ଓ୍ଵିକେଟ

ମିଚେଲ ଷ୍ଟାର୍କ ଚଳିତ ବିଶ୍ଵକପରେ ସର୍ବାଧିକ ୨୬ଟି ଓ୍ଵିକେଟ ହାସଲ କରି ରେକର୍ଡ କରିଛନ୍ତି। ଏହି ରେକର୍ଡ କରି ସେ ଅଷ୍ଟ୍ରେଲିଆର ପୂର୍ବତନ ବୋଲର ଗ୍ଲେନ ମ୍ୟକଗ୍ରାଥଙ୍କୁ ପଛରେ ପକାଇଛନ୍ତି। ଚଳିତ ବିଶ୍ଵକପରେ ସର୍ବାଧିକ ଓ୍ଵିକେଟ ନେବାରେ ଶୀର୍ଷ ସ୍ଥାନରେ ରହିଛନ୍ତି।

ବିଶ୍ଵକପର ଗୋଟିଏ ମ୍ୟାଚରେ ସର୍ବାଧିକ ଛକା

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ ଇୟନ ମୋର୍ଗାନ ୧୭ଟି ଛକା ମାରି ରେକର୍ଡ କରିଛନ୍ତି। ପୂର୍ବରୁ କ୍ରିସ ଗେଲ ୧୬ଟି ଛକାରେ ଆଗରେ ଥିଲା ବେଳେ ମୋର୍ଗାନ ତାଙ୍କୁ ପଛରେ ପକାଇଛନ୍ତି।

Comment