ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟ ସରକାରଙ୍କ ତଦନ୍ତ କମିସନ ଭେଳିକି। ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ।

୨୦୧୮ ଜୁନ୍ ୪ ତାରିଖ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ତଦନ୍ତ କମିସନର ଅଧ୍ୟକ୍ଷ କରାଯାଇଥିଲା। କମିସନ ତଦନ୍ତ ମଧ୍ୟ ଆରମ୍ଭ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଚାବି ହଜିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇପାରି ନାହାନ୍ତି ରାଜ୍ୟ ସରକାର।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଗତ ୧୦ ବର୍ଷ ଭିତରେ ରାଜ୍ୟ ସରକାର ୯ଟି ପୃଥକ ପୃଥକ ଘଟଣାରେ ବିଚାର ବିଭାଗୀୟତ ତଦନ୍ତ କମିସନ ଗଠନ କରିଥିଲେ। ବାରମ୍ବାର କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ସରକାର। ହେଲେ ଫଳ ଶୂନ। ଅର୍ଥାତ କୌଣସି ଘଟଣାରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ନେଇପାରି ନାହାନ୍ତି ସରକାର। ରାଜ୍ୟ ସରକାରଙ୍କ ଏହି ତଦନ୍ତ କମିସନକୁ ବିରୋଧୀ ସମାଲୋଚନା କରିଛନ୍ତି।

ରାଜ୍ୟ ସରକାର ଗତ ୧୦ ବର୍ଷ ଭିତରେ କେତେ ତଦନ୍ତ କମିସନ ଗଠନ କରିଛନ୍ତି ଏବଂ ତଦନ୍ତ କେଉଁ ସ୍ଥିତିରେ ଅଛି ତାହା ଜାଣିବା ପାଇଁ ବିଧାନସଭାରେ ଲିଖିତ ପ୍ରଶ୍ନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏହି ପ୍ରଶ୍ନର ଉତ୍ତର ଦେଇଥିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

‘‘୨୦୧୦ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଭିନ୍ନ ଭିନ୍ନ ଘଟଣାରେ ୯ଟି ତଦନ୍ତ କମିସନ ଗଠନ କରିଛନ୍ତି। କନ୍ଧମାଳ ଗୁମୁଡୁମାହ ଗୁଳିକାଣ୍ଡ, ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ, କୁନ୍ଦୁଲି ଗଣଦୁଷ୍କର୍ମ, ପିପିଲି ଗଣଦୁଷ୍କର୍ମ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା, ଚିଟଫଣ୍ଡ ଠକେଇ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର’’, କହିଛନ୍ତି ଦିବ୍ୟଶଙ୍କର ମିଶ୍ର।

୯ଟି ବିଚାର ବିଭାଗୀୟ ତଦନ୍ତ କମିସନ ମଧ୍ୟରୁ କେବଳ ପିପିଲି ଗଣଦୁଷ୍କର୍ମ ମାମଲାର ତଦନ୍ତ ରିପୋର୍ଟ ଆସିଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟ ୮ଟି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଜଣାପଡ଼ିଛି।

‘‘ରାଜ୍ୟ ସରକାର ତଦନ୍ତ କମିସନ ଭେଳିକି ଦେଖାଉଛନ୍ତି। ତଦନ୍ତ କମିସନ ଗଠନ କରି ଓଡ଼ିଶାବାସୀଙ୍କୁ ଠକିଛନ୍ତି। ତଦନ୍ତ କମିସନ ଗଠନ ଧୂଆଁବାଣ’’, କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ବିଜେଡି ବିଧାୟକ ଅମରପ୍ରସାଦ ଶତପଥୀ କହିଛନ୍ତି, ‘‘ବିଚାର ବିଭାଗୀୟ ତଦନ୍ତ ବିଳମ୍ବ ହେଲେ ବି ତଦନ୍ତ ଠିକ୍‌ରେ ହେଉଛି ଏବଂ ଉଚିତ ନ୍ୟାୟ ମିଳିବ ବୋଲି ସମସ୍ତେ ଆଶା ରଖିବା କଥା। ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ।’’

୨୦୧୬ରେ କନ୍ଧମାଳ ଗୁମୁଡୁମାହରେ ଏକ ଅଭାବନୀୟ ଘଟଣା ଘଟିଥିଲା। ୫ ଜଣ ସାଧାରଣ ଲୋକ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଓଡ଼ିଶା ଉଠିଥିଲା ପଡ଼ିଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ରାଜ୍ୟ ସରକାର କନ୍ଧମାଳ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କ ନେତୃତ୍ୱରେ ତଦନ୍ତ କମିସନ ଗଠନ କରିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। ହେଲେ ତଦନ୍ତ ରିପୋର୍ଟ କୁଆଡ଼େ ଗଲା ଏବଂ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସେହିପରି ଚିଟଫଣ୍ଡ ଠକେଇରେ ଜମାକାରୀଙ୍କୁ ନ୍ୟାୟ ଦେବା ପାଇଁ ସରକାର କମିସନ ବସାଇଥିଲେ ହେଁ ତାର ଚୂଡ଼ାନ୍ତ ରିପୋର୍ଟ ଆସିପାରି ନାହିଁ।

Comment