ଓଡ଼ିଶାଲାଇଭ ବ୍ୟୁରୋ

ଅନ୍ତର୍ଜାତୀୟ କ୍ରିକେଟରେ ବହୁତ ଗୁଡ଼ିଏ ଭାଇ-ଭାଇ ଯୋଡ଼ି ରହିଛନ୍ତି। ଭାରତୀୟ କ୍ରିକେଟରେ ମଧ୍ୟ ସେଭଳି କିଛି ଯୋଡ଼ି ରହିଛି। ସାଙ୍ଗ ହୋଇ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ମଧ୍ୟ ସେମାନେ ନଜରକୁ ଆସିଛନ୍ତି। ପଡ଼ିଆରେ ସେମାନଙ୍କ ରାଜୁତି ମଧ୍ୟ ରହିଛି। ଆଜି ପର୍ଯ୍ୟନ୍ତ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆରେ ୩ଟି ଭାଇ-ଭାଇ ଯୋଡ଼ି ଦେଖିବାକୁ ମିଳିଛି। ପ୍ରଥମେ ଅମରନାଥ ବ୍ରଦର୍ସ ପରେ ପଠାନ ବ୍ରଦର୍ସ ଓ ବର୍ତ୍ତମାନ ପାଣ୍ଡ୍ୟା ବ୍ରଦର୍ସ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।

ଅମରନାଥ ବ୍ରଦର୍ସ 

ପୂର୍ବତନ କ୍ରିକେଟର ଲାଲା ଅମରନାଥଙ୍କ ପରେ ତାଙ୍କର ଦୁଇ ପୁଅ ମୋହିନ୍ଦର ଅମରନାଥ ଓ ସୁରିନ୍ଦର ଅମରନାଥ ଭାରତୀୟ କ୍ରିକେଟରେ ସ୍ଥାନ ପାଇଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ସୁରିନ୍ଦର ଅମରନାଥ ଘରୋଇ କ୍ରିକେଟରେ ବେଶ ଭଲ ପ୍ରଦର୍ଶନ କରିଥିଲେ ମାତ୍ର ଅନ୍ତର୍ଜାତୀୟ କ୍ରିକେଟରେ ବେଶି ସମୟ ତିଷ୍ଠି ପାରିନଥିଲେ। ସେ ଭାରତ ପକ୍ଷରୁ ସେ ୧୦ଟି ଟେଷ୍ଟ ଖେଳିଥିଲେ।

ଅନ୍ୟପକ୍ଷରେ ମୋହିନ୍ଦର ଅମରନାଥ ତାଙ୍କ ସମୟର ଜଣେ ଦକ୍ଷ ଖେଳାଳି ଭାବେ ପରିଚିତ। ଗୋଟେ ଇଂନିସରେ ବହୁ ସମୟ ଧରି ବ୍ୟାଟିଂ କରିବାର କ୍ଷମତା ତାଙ୍କ ପାଖରେ ରହିଛି। ତାଙ୍କ ଦକ୍ଷତା ପାଇଁ ଇମ୍ରାନ ଖାନ ଓ ମଲକାମ ମାର୍ଶଲ ଭଳି ଖେଳାଳି ତାଙ୍କୁ ପ୍ରଶଂସା କରିଥିଲେ। ଗୋଟେ ସିଜନରେ ୧୦୦୦ ରନ କରିଥିବା ଖେଳାଳିଙ୍କ ମଧ୍ୟରେ ସେ ଜଣେ।

ପଠାନ ବ୍ରଦର୍ସ

ଅମରନାଥ ବ୍ରଦର୍ସଙ୍କ ପରେ ଆଉ ଏକ ଯୋଡ଼ି ଦେଖିବାକୁ ମିଳିଥିଲା। ଇର୍ଫାନ ପଠାନ ଓ ୟୁସୁଫ ପଠାନ। ଦୁଇ ଭାଇଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ଅବଦାନ ରହିଛି। ୟୁସୁଫ ଭାରତୀୟ ଦଳକୁ ବହୁତ ଡେରିରେ ଆସିଥିଲେ ହେଲେ ବେଶି ସମୟ ରହିପାରିନଥିଲେ। ମାତ୍ର ଯେତିକି ସମୟ ସେ କ୍ରିକେଟରେ ରହିଛନ୍ତି ତାଙ୍କ ଲମ୍ଵା ଲମ୍ଵା ଛକାରେ ବିପକ୍ଷ ଦଳ ମନରେ ଭୟ ସୃଷ୍ଟି କରିଥିଲେ। ସେ ୫୭ଟି ଦିନିକିଆ ଖେଳି ୮୧୦ ରନ କରିଥିଲେ। ଟି-୨୦ ରେ ୨୨ଟି ମ୍ୟାଚ ଖେଳି ୨୩୬ରନ କରିଛନ୍ତି।

ଅନ୍ୟପକ୍ଷରେ ଦ୍ରୁତ ବୋଲର ଇର୍ଫାନ ପଠାନ ଭାରତୀୟ ବୋଲିଂ ବିଭାଗର ମେରୁଦଣ୍ଡ ରହିଥିଲେ। ସେ ୨୯ଟି ଟେଷ୍ଟ ମ୍ୟାଚରୁ ୧,୧୦୫ ରନ ସହ ୧୦୦ଟି ଓ୍ଵିକେଟ ନେଇଥିଲେ। ଟି-୨୦ରେ ୧୨୦ଟି ମ୍ୟାଚ ଖେଳି ୧,୫୪୪ ରନ କରିଥିଲେ ଓ ୧୭୩ଟି ଓ୍ଵିକେଟ ନେଇଥିଲେ।

ପାଣ୍ଡ୍ୟା ବ୍ରଦର୍ସ

ଆଇପିଏଲରୁ ନିଜ ପରିଚୟ ସୃଷ୍ଟି କରିଛନ୍ତି ପାଣ୍ଡ୍ୟା ବ୍ରଦର୍ସ। ଏହି ଯୋଡ଼ି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଦଳରେ ରହିଛନ୍ତି। କୃନାଲ ପାଣ୍ଡ୍ୟା ଭାରତୀୟ ଦଳରେ ବହୁତ କମ ମ୍ୟାଚ ଖେଳିଛନ୍ତି। ସେ ମାତ୍ର ୧୧ଟି ଟି-୨୦ ଖେଳି ୭୦ ରନ କରିଛନ୍ତି ଓ ୧୧ଟି ଓ୍ଵିକେଟ ନେଇଛନ୍ତି। ହେଲେ ତାଙ୍କ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳରେ ଅଲରାଉଣ୍ଡର ଭାବେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ସେ ୧୧ ଟେଷ୍ଟରୁ ୫୩୨ରନ, ୪୫ ଦିନିକିଆରୁ ୭୫୭ ରନ, ୩୮ ଟି-୨୦ରୁ ୨୯୬ ରନ କରିଛନ୍ତି। ଏହାସହ ସବୁ ଫର୍ମାଟରେ ୯୮ ଓ୍ଵିକେଟ ନେବାରେ ସଫଳ ହୋଇଛନ୍ତି। ଦୁଇ ଭାଇ ଆଇପିଏଲରେ ମୁମ୍ଵାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳନ୍ତି।

Comment