ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜୁନ୍ ୧ରୁ ଜଲାଇ ୧୯ ଭିତରେ ରାଜ୍ୟରେ କମିଛି ବର୍ଷା। ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

ଶ୍ରାବଣ ମାସରେ ବର୍ଷା ଗାଏବ। ମୌସୁମୀ ବି ଲୁଚକାଳି ଖେଳୁଛି। ଚାଷଜମିରେ ଧାନ ରୁଆ ପୋତା ଯେମିତି ହେବା କଥା ତାହା ହୋଇ ପାରୁନି। ଯେଉଁଠି ଧାନ ବୁଣା ହୋଇଥିଲା ସେଠି ବର୍ଷା ଅଭାବରୁ ଗଜା ମରୁଡ଼ି ଭଳି ସ୍ଥିତି ଉପୁଜିଲାଣି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ଏପଟେ ବିଧାନସଭାରେ ମଧ୍ୟ ମନ୍ତ୍ରୀ ସତ ମାନିଛନ୍ତି। ଚଳିତ ବର୍ଷ ସ୍ୱାଭାବିକ ବର୍ଷାଠାରୁ କମ୍ ବୃଷ୍ଟିପାତ ହୋଇଥିବା ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ‘‘ଗତ ଜୁନ୍ ୧ରୁ ଜୁଲାଇ ୧୯ ତାରିଖ ଭିତରେ ରାଜ୍ୟରେ ବୃଷ୍ଟିପାତ ସ୍ୱାଭାବିକଠାରୁ ୨୬.୩ ପ୍ରତିଶତ କମ୍ ହୋଇଛି। ୨୧ଟି ଜିଲ୍ଲାର ୨୦୬ ବ୍ଳକରେ ବୃଷ୍ଟିପାତର ପରିମାଣ କମିଛି। ୨୪ଟି ବ୍ଲକରେ ୫୯ ପ୍ରତିଶତ ନିଅଣ୍ଟ ବର୍ଷା ହୋଇଛି। ଜୁନରେ ୩୧.୫ ପ୍ରତିଶତ ଏବଂ ଜୁଲାଇରେ ୨୦.୮ ପ୍ରତିଶତ କମ୍ ବର୍ଷା ହୋଇଛି। ଫଳରେ ଚାଷ କାମରେ ବାଧା ଉପୁଜିଛି।’’

ରାଜ୍ୟରେ କମ୍ ବର୍ଷା ଯୋଗୁ ଗଜା ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଶୁକ୍ରବାର ଦିନ ବିରୋଧୀ ବିଧାନସଭାରେ ଗର୍ଜିଥିଲେ। ମରୁଡ଼ି ପରିସ୍ଥିତିକୁ ଟାଳିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ବିରୋଧୀ କଂଗ୍ରେସ ଗୃହରେ ପ୍ରଶ୍ନ କରିଥିଲା। ଦୁଇ ଦିନ ଭିତରେ ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେବା ପରେ ସୁଦାମ ମାର୍ଣ୍ଡି ଆଜି ଗୃହରେ ବିବୃତି ରଖିଥିଲେ।

Comment