ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ରାଜସ୍ଥାନ ଦଳରୁ ୩ଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ତିନିଜଣ ହେଲେ ବାମହାତି ପେସ ବୋଲର ଖଲିଲ୍ଲ ଅହମ୍ମଦ, ଦିପକ ଚହର ଓ ସ୍ପିନର ରାହୁଲ ଚହର। ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷଣା ହୋଇଥିବା ୧୫ ଜଣିଆ ଦଳରେ ଏମାନେ ସାମିଲ ହୋଇଛନ୍ତି।

ବିସିସିଆଇ ଦ୍ଵାରା ରାଜସ୍ଥାନ କ୍ରିକେଟ ବୋର୍ଡ ନିଲମ୍ଵିତ ହେବା ପରେ କୌଣସି ଖେଳାଳି ଭାରତୀୟ ଦଳରେ ସାମିଲ ହୋଇପାରିନଥିଲେ। ଏହାପରେ ବର୍ତ୍ତମାନ ରାଜସ୍ଥାନରୁ ପ୍ରଥମଥର ଏହି ୩ ଖେଳାଳିଙ୍କୁ ଅନ୍ତର୍ଜାତୀୟ ଦଳରେ ସାମିଲ କରାଯାଇଛି। ଖଲିଲ୍ଲ ଅହମ୍ମଦ ବିଶ୍ଵକପରେ ଚୟନକୁ ନେଇ ବିବାଦରେ ଥିଲେ। ପରେ ବିଶ୍ଵକପ ନେଟ ବୋଲର ପାଇଁ ଚୟନ ହୋଇଥିଲେ ମାତ୍ର ବିଳମ୍ଵରେ ବିମାନ ବନ୍ଦରରେ ପହଞ୍ଚିବାରୁ ବିମାନ ଛାଡି ସାରିଥିଲା। ସେଥିପାଇଁ ସେ ବିଶ୍ଵକପରୁ ବାଦ ପଡ଼ିଥିଲେ। ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଚୟନ ହୋଇ କ୍ୟାରିୟରର ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନ କ୍ରିକେଟ ବୋର୍ଡରୁ ଦୁଇ ଭାଇ ଦିପକ ଚହର ଓ ରାହୁଲ ଚହର ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଦିପକ ଚହର ଗୋଟିଏ ଲେଖାଏଁ ଦିନିକିଆ ଓ ଟି-୨୦ ଖେଳିଥିବା ବେଳେ ରାହୁଲ ପ୍ରଥମ ଥର ଅନ୍ତର୍ଜାତୀୟ ମ୍ୟାଚରେ ସାମିଲ ହୋଇଛନ୍ତି। ଏହି ସିରିଜରେ ୩ ଖେଳାଳି ଭଲ ପ୍ରଦର୍ଶନ କରି ଦଳରେ ସ୍ଥାନ ବଜାୟ ରଖିବାର ସୁଯୋଗ ରହିଛି।

ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ସରିଛି। ଏଥିରେ ସମସ୍ତ ପ୍ଲାଟଫର୍ମରେ ବିରାଟ କୋହଲି ଅଧିନାୟକ ରହିବେ। ଧୋନି ଓ ପାଣ୍ଡ୍ୟାଙ୍କୁ ଏହି ସରିଜରେ ବିଶ୍ରାମ ଦିଆଯାଇଛି।

Comment