ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵକପରେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବର୍ତ୍ତମାନ ଚିନ୍ତାରେ ରହିଛି ଦଳ। ଧୋନି ଓ ଦାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳ କହାକୁ ଚତୁର୍ଥ ନମ୍ଵରରେ ବ୍ୟାଟିଂ ଛାଡ଼ିବ ତାକୁ ନେଇ ଚାଲିଛି ଚର୍ଚ୍ଚା। ବିଶ୍ଵକପରେ ଦଳ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କୁ ନେଇ ଚିନ୍ତାରେ ରହିଥିଲା। ବର୍ତ୍ତମାନ ଦଳରେ ସାମିଲ ହୋଇଥିବା ଯୁବ ବ୍ୟାଟ୍ସମ୍ୟାନମାନେ ସଫଳ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ତେବେ ଚତୁର୍ଥ ନମ୍ଵର ବ୍ୟାଟିଂ ପାଇଁ ରିଶବ ପନ୍ତ, ଶ୍ରେୟାସ ଆୟର, ମନିଷ ପାଣ୍ଡେ, କେଏଲ ରାହୁଲଙ୍କ ନାମ ଚର୍ଚ୍ଚାରେ ରହିଛି।

ରିଶବ ପନ୍ତ

ମହେନ୍ଦ୍ର ସିଂ ଧୋନିଙ୍କ ଅନୁପସ୍ଥିତିରେ ଦଳରେ ଓ୍ଵିକେଟ କିପର ଅଭାବ ପୂରଣ କରିବେ ରିଶବ ପନ୍ତ। ପନ୍ତ ଆଇପିଏଲରେ ଦିଲ୍ଲୀ ପକ୍ଷରୁ ଖେଳି ବେଶ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶ୍ଵକପରୁ ଶିଖର ଧାଓ୍ଵନ ବିଦା ହେବା ପରେ ରିଶବ ପନ୍ତଙ୍କୁ ଦଳରେ ସ୍ଥାନ ମିଲିଥିଲା। ରିଶବ ଟିମରେ ଯୋଗ ଦେଇ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିଥିଲେ। ସେ ଦିନିକିଆ କ୍ରିକେଟରେ ମାତ୍ର ୯ଟି ମ୍ୟାଚ ଖେଳି ୨୦୯ ରନ କରିଛନ୍ତି। ତେବେ ଏହି ସିରିଜରେ ରିଶବ ପନ୍ତ ଚତୁର୍ଥ ନମ୍ଵରେ ବ୍ୟାଟିଂ କରିପାରନ୍ତି।

କେଏଲ ରାହୁଲ

ରାହୁଲ ବିଶ୍ଵକପରେ ଶିଖର ଧାଓ୍ଵନଙ୍କ ସ୍ଥାନରେ ଓପନିଂ କରିଥିଲେ। ହେଲେ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଶିଖରଙ୍କ ଉପସ୍ଥିତିରେ ରାହୁଲଙ୍କୁ ଓପନିଂର ସୁଯୋଗ ମିଳିବ ନାହିଁ। ବିଶ୍ଵକପ ଓ୍ଵାର୍ମ ଅପ ମ୍ୟାଚରେ ରାହୁଲ ଚତୁର୍ଥ ନମ୍ଵରରେ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ତେବେ ଏହି ସିରିଜରେ ଚତୁର୍ଥ ନମ୍ଵର ବ୍ୟାଟିଂ ପାଇଁ ତାଙ୍କ ଉପରେ ନଜର ରହିଛି। ରାହୁଲ ୨୨ଟି ଦିନିକିଆ ମ୍ୟାଚ ଖେଳି ୭୦୩ ରନ କରିଛନ୍ତି। ଏଥିରେ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି।

ମନିଷ ପାଣ୍ଡେ

ମନିଷ ପାଣ୍ଡେ ଭାରତୀୟ ଦଳର ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ। ଜାତୀୟ ଦଳରୁ ବହୁ ସମୟ ଧରି ଦୂରେଇ ରହି ମଧ୍ୟ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିପାରିଛନ୍ତି। ଏହି ସିରିଜରେ ନିଜ ଦକ୍ଷତା ପ୍ରଦର୍ଶନ କରି ଦଳରେ ସ୍ଥାନ ବଜାୟ ରଖିବାର ସୁଯୋଗ ତାଙ୍କ ପାଖରେ ରହିଛି। ଅନ୍ୟମାନଙ୍କ ମଧ୍ୟରେ ମନିଷ ମଧ୍ୟ ଚତୁର୍ଥ ନମ୍ଵର ବ୍ୟାଟ୍ସମ୍ୟାନ ପାଇଁ ଦାବିଦାର ଅଛନ୍ତି। ଆଇପିଏଲରେ କୋଲକତା ନାଇଟ ରାଇଡର ପକ୍ଷରୁ ସେ ବେଶ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୨୩ଟି ଦିନିକିଆ ମ୍ୟାଚ ଖେଳି ୪୪୦ ରନ କରିଛନ୍ତି।

ଶ୍ରେୟାସ ଆୟର

ମୁମ୍ଵାଇର ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ପାଖରେ ଅନେକ ପ୍ରତିଭା ରହିଛି। ବେଶି ଅନ୍ତର୍ଜାତୀୟ ମ୍ୟାଚ ଖେଳିନଥିବା ଏହି ଖେଳାଳି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଅଛନ୍ତି। ଗତ ଆଇପିଏଲରେ ଶ୍ରେୟାସଙ୍କ ୧୬ଟି ମ୍ୟାଚରୁ ୪୭୩ ରନ କରିଥିଲେ। ସେହିପରି ଅନ୍ତର୍ଜାତୀୟ ଦିନିକିଆରେ ୬ଟି ମ୍ୟାଚରୁ ୨୧୦ ରନ କରିଛନ୍ତି। ଏଥିରେ ୨ଟି ଅର୍ଦ୍ଧଶତକ ରହିଛି। ୪ ନମ୍ଵର ବ୍ୟାଟ୍ସମ୍ୟାନ ପାଇଁ ଶ୍ରେୟାସ ମଧ୍ୟ ଚର୍ଚ୍ଚାରେ ଅଛନ୍ତି।

Comment