ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଗୋଠପାଟଣା ଅଞ୍ଚଳରେ ଏବେ ଅଟୋ ଚାଳକଙ୍କ ଦାଦାଗିରି ପାଇଁ କ୍ୟାବ୍‌ରେ ଯିବା ଆସିବା କରିବାକୁ ଚାହୁଁଥିବା ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ବିଶେଷକରି, ଏହି ଅଞ୍ଚଳରୁ କୌଣସି ଯାତ୍ରୀଙ୍କୁ ପିକ୍‌ଅପ୍‌ ନକରିବାକୁ ସ୍ଥାନୀୟ ଅଟୋ ସଂଘ ଏକ ପ୍ରକାର ଫତୁଆ ଜାରି କରିଛନ୍ତି।

ଅଟୋବାଲାଙ୍କ ଡରରେ କୌଣସି କ୍ୟାବ୍‌ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଅଫିସ୍‌ ଏବଂ ଶିକ୍ଷାଅନୁଷ୍ଠାନରୁ ଯାତ୍ରୀମାନଙ୍କୁ ନେବା ପାଇଁ ଅମଙ୍ଗ ହେଉଛନ୍ତି। ତେଣୁ, ଯାତ୍ରୀମାନେ ସ୍ଥାନୀୟ ଅଟୋ ଭଡ଼ା କରି ଯିବାକୁ ବାଧ୍ୟ ହେଉଛନ୍ତି।

ତେବେ ଯେଉଁମାନେ କ୍ୟାବ୍‌ରେ ଯିବାକୁ ଚାହୁଁଛନ୍ତି, ସେମାବେ ପାଖାପାଖି ଅଧ କିଲୋମିଟର କିମ୍ବା ଏକ କିଲୋମିଟର ଚାଲି ଚାଲି ଯାଇ ମୁଖ୍ୟ ରାସ୍ତାରୁ କ୍ୟାବ୍‌ ଧରୁଛନ୍ତି। ଅଟୋବାଲାଙ୍କ ନଜରରେ ପଡ଼ିଲେ କ୍ୟାବ୍‌ ଚାଳକଙ୍କ ଉପରେ ଆକ୍ରମଣ ହେବାର ଭୟ ରହିଥିବା ବିଷୟ ଆଲୋଚନ ହେଉଛି।

ଗୋଠପାଟଣା ହେଉଛି ତଥାକଥିତ ସ୍ମାର୍ଟସିଟି ଭୁବନେଶ୍ୱରର ଏକ ଆଧୁନିକ ଶିଳ୍ପାଞ୍ଚଳ। ଏଠାରେ ଏସ୍‌ଟିପିଆଇର ଇନ୍‌କୁବେସନ ସେଣ୍ଟର ଏଲିଟ୍‌ ରହିଛି। ତା’ ସହିତ ବିର୍ଲା ଗ୍ଲୋବଲ ବିଶ୍ୱବିଦ୍ୟାଳୟ, ଟ୍ରିପଲ୍‌ ଆଇଟି, ନାଲ୍‌କୋର ପାରଦର୍ଶିତା କେନ୍ଦ୍ର, ଇଣ୍ଡିଆନ୍‌ ମ୍ୟାନେଜ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଥମେଟିକ୍‌ସ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ କେନ୍ଦ୍ର ରହିଛି। ତେଣୁ ପ୍ରତିଦିନ ସ୍ଥାନୀୟ ଅଟୋବାଲାଙ୍କ ଦାଦାଗିରିର ସମୁଖୀନ ହେଉଛନ୍ତି ଓଡ଼ିଶା ତଥା ବାହାରୁ ଆସୁଥିବା ଶହ ଶହ ଛାତ୍ରଛାତ୍ରୀ, ଅବିଭାବକ ଏବଂ କର୍ମଜୀବି।

କେବଳ ଗୋଠପାଟଣା ଶିଳ୍ପାଞ୍ଚଳ ନୁହେଁ, ରାଜଧାନୀରେ ଏଭଳି ଅନେକ ଅଞ୍ଚଳ ରହିଛି ଯେଉଁଠି ଯାତ୍ରୀମାନେ ଅଟୋଚାଳକଙ୍କ ମର୍ଜିରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଅତୀତରେ ଏବାବଦରେ ବାରମ୍ବାର ଅଭିଯୋଗ ହୋଇଛି। କେତେକ ସ୍ଥାନରେ ସ୍ଥାନୀୟ ପୋଲିସ୍‌ର ହସ୍ତକ୍ଷେପ ପରେ ପରିସ୍ଥିତିରେ କିଛିଟା ଉନ୍ନତି ଆସିଛି।

ଭୁବନେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ଏହି ସମସ୍ୟା ଯୋଗୁଁ ଅଧିକ ପ୍ରଭାବିତ ହେଉଛନ୍ତି ଛାତ୍ରୀ ଏବଂ କର୍ମଜୀବି ମହିଳା। ତେବେ ଏବାବଦରେ ସେମାନେ ପାଠପଢ଼ୁଥିବା ବା ଚାକିରି କରୁଥିବା ଅନୁଷ୍ଠାନ ସମସ୍ୟାର କୌଣସି ସମାଧାନ କରିପାରୁଥିବାରୁ ସେମାନେ ଚୁପ୍‌ ରହିବାକୁ ବାଧ୍ୟ ହେଉଛନ୍ତି।

ଏହି ସମସ୍ୟାର ସମାଧାନ ପାଇଁ ନିଜେ ପୋଲିସ୍‌ କମିସନର ହସ୍ତକ୍ଷେପ କରିବାକୁ ବହୁଯାତ୍ରୀ ଅନୁରୋଧ କରିଛନ୍ତି।

Comment