ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରକାଶ ପାଇଛି ପାଟକୁରା ନିର୍ବାଚନ ଫଳ। ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରି ସାବିତ୍ରୀ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହାକୁ ନେଇ ବିଜେଡି ଶିବିରରେ ଉତ୍ସାହ ଲାଗି ରହିଥିବା ବେଳେ ବିଜେପି ଶିବିରରେ ନିରାଶା ଖେଳି ଯାଇଛି। କଂଗ୍ରେସ ଅମାନତ ହରାଇଛି ପାଟକୁରାରେ।

କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାଟକୁରା ବିଧାନସଭା ଆସନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ପ୍ରଥମେ ଡେରାବିଶ ବ୍ଲକରୁ ଗଣନା ଆରମ୍ଭ ହୋଇଥିଲା। ପ୍ରଥମ ୧୦ ରାଉଣ୍ଡ ଡେରାବିଶ ବ୍ଲକରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲା ପ୍ରାୟ ୧୫ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପଛରେ ପକାଇଥିଲେ। ପରେ ଅବଶିଷ୍ଟ ୮ ରାଉଣ୍ଡ ଗଣନା ହୋଇଥିଲା। ଏହି ରାଉଣ୍ଡରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣତି ହୋଇଥିଲା।

ବିଜେଡି ପ୍ରାର୍ଥୀ ଏହି ରାଉଣ୍ଡରେ ୨୯୨୦ ଖଣ୍ଡ ଭୋଟ ଅଧିକ ପାଇଥିଲେ। ଭୋଟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀଙ୍କୁ ୯୬ ହଜାର ୧୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୮ ହଜାର ୯୭ ଖଣ୍ଡ ଭୋଟ ମିଳିଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ବିଜୟଙ୍କୁ ୧୭ ହଜାର ୯୨୦ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୨ ହଜାର ୧୦୪ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି।

ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇଛି। ନାଚି ନାଚି ବିଜୟ ଉତ୍ସବ ପାଳିଛନ୍ତି କର୍ମୀ।  ସାବିତ୍ରୀ ଏହି ବିଜୟର ଶ୍ରେୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପାଟକୁରାବାସୀଙ୍କୁ ଦେଇଛନ୍ତି। ପାଟକୁରାର ବିକାଶ ସହିତ ଅଧିକ ଯୋଡ଼ି ହୋଇ ରହିବେ ବୋଲି ସାବିତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଲଗାତର ବିଜୁ ଜନତା ଦଳଠାରୁ ଚତୁର୍ଥ ଥର ପାଇଁ ପରାଜିତ ହୋଇଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ବିଜୟଙ୍କ ପରାଜୟର କାରଣ ନବୀନଙ୍କ ଲୋକପ୍ରିୟତା ବୋଲି ବିଜେଡି କହୁଥିବା ବେଳେ ବିଜେପି ବିଜେଡିର ଅର୍ଥବଳ ଓ ବାହୁବଳକୁ ଦାୟୀ କରିଛି।

LEAVE A REPLY

Please enter your comment!
Please enter your name here