ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରାରେ ବିଜେଡି ଜିତିଲା। ହେଲେ ଭୋଟ ବ୍ୟବଧାନକୁ ନେଇ ନବୀନଙ୍କ ଶିବିରରେ ଅସନ୍ତୋଷ।

ପାଟକୁରାରେ କାହିଁକି କମିଲା ବିଜେଡିର ଭୋଟ ହାର? ଯେତିକି ଆକଳନ କରାଯାଇଥିଲା କାହିଁକି ସେତିକି ପରିମାଣ ଭୋଟ ବିଜେଡି ଖାତାକୁ ଆସିଲା ନାହିଁ? ଏସବୁ କାହିଁକିର ଆଜି ନବୀନ ନିବାସରେ କାରଣ ଖୋଜା ଯାଇଥିଲା।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ପ୍ରମୁଖ ନେତା ଏବଂ ପ୍ରଚାର ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ମାନସ ମନ୍ଥନ କରିଥିଲେ। ଏହାସହ ନିର୍ବାଚନ ବେଳେ ପାଟକୁରାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ପୂରଣ କରିବା ପାଇଁ କହିଥିଲେ।

ଜୁଲାଇ ୨୦ ତାରିଖରେ ପାଟକୁରାରେ ହୋଇଥିଲା ଭୋଟ। ୨୪ରେ ବାହାରିଛି ଫଳ। ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯାଇଛି। ୧୯ ବର୍ଷ ଧରି କ୍ଷମତାରୁ ଦୂରରେ ଥିବା ବିଜୟ ମହାପାତ୍ରଙ୍କ ବିଧାନସଭା ଆସିବାର ସ୍ୱପ୍ନ ପୁଣି ଭାଙ୍ଗି ଯାଇଛି।

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ୯୬ ହଜାର ୧୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୮ ହଜାର ୯୭ ଖଣ୍ଡ ଭୋଟ ମିଳିଥିଲା। ବିଜେଡି ପ୍ରାର୍ଥୀ ସାବିତ୍ରୀ ବିଜୟଙ୍କୁ ୧୭ ହଜାର ୯୨୦ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ହେଲେ ଏହି ଭୋଟ ବ୍ୟବଧାନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ନବୀନଙ୍କ ଶିବିର।

କେବଳ ଡେରାବାଇଶ ବ୍ଲକରୁ ବିଜେଡି ୩୦ ହଜାରରୁ ଅଧିକ ଭୋଟ ପାଇବ ବୋଲି ବିଜେଡି ନେତାମାନେ କହିଥିଲେ। କିନ୍ତୁ ଏହି ବ୍ଲକରୁ ମାତ୍ର ବିଜେଡିକୁ ୧୩ ହଜାର ୫୦୦ ଭୋଟ ମିଳିଥିଲା। ଏହା ନବୀନ ଶିବୀରକୁ ନିରାଶ କରିଛି। ପାଟକୁରାରେ ୫୦ ହଜାରରୁ ଅଧିକ ଭୋଟରେ ବିଜେଡି ବିଜୟୀ ହେବ ବୋଲି ନେତାମାନେ ଯେଉଁ ଦମ୍ଭୋକ୍ତି ଦେଖାଇଥିଲେ ତାହା ସମ୍ଭବପର ହୋଇନାହିଁ।

ସବୁଠୁ ବଡ଼ କଥା ହେଉଛି ପାଟକୁରାରେ ଏଥର ବିଜେପି ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର। ବିଜୟ ହେଉଛନ୍ତି ନବୀନ ଶତ୍ରୁ। ବିଜୟଙ୍କୁ ବହୁ ଭୋଟରେ ହରାଇବା ପାଇଁ ବିଜେଡି ନିର୍ବାଚନର ପ୍ରାୟ ମାସେ ପୂର୍ବରୁ କସରତ ଆରମ୍ଭ କରିଥିଲା। ପ୍ରତି ପଞ୍ଚାୟତରେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ମାସେ କାଳ ମନ୍ତ୍ରୀ ଓ ବିଧାୟକମାନେ ପାଟକୁରାରେ ଡେରା ପକାଇଥିଲେ। ନିଜେ ନବୀନ ମଧ୍ୟ ନିର୍ବାଚନର ଦିନକ ପୂର୍ବରୁ ପାଟକୁରା ଯାଇ ପ୍ରଚାର କଲେ। ବିଜେଡି ଜିତିଲା ସତ, ହେଲେ ବିଜେଡିର ଅନ୍ଦର ମହଲ ଯେଉଁ ଭୋଟ ବ୍ୟବଧାନ ଆକଳନ କରିଥିଲେ ତାହା ହୋଇନାହିଁ। ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଜେଡିର ଛାମୁଆ ନେତାମାନଙ୍କୁ ଡାକି ନବୀନ ଆଜି ଆଲୋଚନା କରିଥିଲେ।

ଭୋଟ ବ୍ୟବଧାନ କମିବା ପଛର କାରଣ ପଚାରିଥିଲେ। କିନ୍ତୁ ନେତା ଯାହା ଉତ୍ତର ଦେଲେ ତାହା ନବୀନଙ୍କୁ ସନ୍ତୁଷ୍ଟ କରିପାରି ନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

Comment