ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଆର୍ମି ଟ୍ରେନିଂରେ ଭାଗ ନେଇଛନ୍ତି। ସେନା ସହ ସମୟ ବତାଇବା ପାଇଁ ଧୋନି ବିସିସିଆଇକୁ ଜଣାଇଥିବା ପରେ ଟିମ୍‌ ତାଙ୍କୁ ୨ ମାସର ଛୁଟି ପ୍ରଦାନ କରିଛନ୍ତି। ଏଥିସହିତ ଆଗାମୀ ଓ୍ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳରେ ତାଙ୍କ ନାଁକୁ ବାଦ ଦିଆଯାଇଛି।

ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ ଧୋନିଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ଟ୍ରେନିଂ ପାଇଁ ମଞ୍ଜୁରୀ ଦେଇଛନ୍ତି। ବର୍ତ୍ତମାନ ଧୋନି ୧୫ ଦିନ ପର୍ଯ୍ୟନ୍ତ ଟେରିଟୋରିଆଲ୍ ସେନାର ପ୍ରଶିକ୍ଷଣ ନେଉଛନ୍ତି। ଏହି ଟ୍ରେନିଂ ୩୧ ଜୁଲାଇରୁ ଅଗଷ୍ଟ ୧୫ ଯାଏଁ ଚାଲିବ। ଏହି ସମୟରେ ସେ କାଶ୍ମୀରରେ ଥିଵା ଟେରିଟୋରିଆଲ୍ ଆର୍ମିର ୧୦୬ ତମ ପାରାଚ୍ୟୁଟ୍ ଵାଟାଲିୟନ୍‌ର ଖତରନାକ୍‌ ଭିକ୍ଟର ଫୋର୍ସ ସହ କାମ କରିବେ।

ସେନା ସହ ମିଶି ଧୋନି ଗାର୍ଡ, ପୋଷ୍ଟ ଡ୍ୟୁଟି, ପାଟ୍ରୋଲିଂ ଆଦି କାର୍ଯ୍ୟରେ ଯୋଗ ଦେବେ।

ସୂଚନାଯୋଗ୍ୟ, ୨୦୧୧ ମସିହାରେ ଧୋନିଙ୍କୁ ଭାରତୀୟ ସ୍ଥଳ ସେନାର ଲେଫ୍ଟନାଣ୍ଟ କର୍ଣ୍ଣଲ ଉପାଧିରେ ସମ୍ମାନିତ କରାଯାଇଥିଲା। ଏହା ପରଠୁ ଧୋନି ଥରେ ମାତ୍ର ତାଲିମ୍ ନେଇଛନ୍ତି। ୨୦୧୫ରେ ଧୋନି ଆଗ୍ରାର ପାରା ଟ୍ରେନିଂ ସ୍କୁଲ୍ ଯାଇ ପାରା ଗ୍ଲାଇଡିଂ ଅଭ୍ୟାସ କରିଥିଲେ। ଏହି ଟ୍ରେନିଂରେ ଧୋନି ୧୨୦୦ ଫୁଟ୍ ଉଚ୍ଚତାରୁ ଡେଇଁ ସମସ୍ତଙ୍କୁ ସ୍ତଵ୍ଧ କରିଦେଇଥିଲେ। ଯାହା ସେ ସମୟର ଚର୍ଚ୍ଚାର ବିଷୟ ଥିଲା।

୨୦୧୮  ମସିହାରେ ଧୋନିଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ଗ୍ରହଣ ସମୟରେ ମଧ୍ୟ ଧୋନି ସେନା ପୋଷାକରେ ନଜର ଆସିଥିଲେ।

ବିଶ୍ଵକପ ସେମିଫାଇନାଲରୁ ବାଦ ପଡ଼ିବା ପରେ ଧୋନିଙ୍କ କ୍ରିକେଟ୍ ଜଗତରୁ ସନ୍ୟାସ ନେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହା ଉପରେ ଧୋନି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଅନ୍ୟପଟେ ଧୋନି ଆଗାମୀ କ୍ରିକେଟ୍‌ ଟି-୨୦ ବିଶ୍ୱକପ ଯାଏଁ କ୍ରିକେଟ୍‌ରୁ ସନ୍ୟାସ ନେବେ ନାହିଁ ବୋଲି ଶୁଣିବାକୁ ମିଳୁଛି।

Comment