ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରେନ୍‌ରେ ପଡ଼ି ଆଖି ବୁଜିଲେ ୬୦ ବର୍ଷିଆ ବୃଦ୍ଧା।

ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ। ୬୦ ବର୍ଷ ବୃଦ୍ଧା ଟି. ଆକାମ୍ମା ପ୍ରବଳ ବର୍ଷା ବେଳେ ନିଜ ଘରକୁ ଫେରୁଥିବା ସମୟରେ ଆଁ ମେଲା କରି ରହିଥିବା ମରଣ ଯନ୍ତାରେ ପଡ଼ିଯାଇଥିଲେ ସେ। କିଛି ଭାବିବା ଆଗରୁ ପ୍ରାଣବାୟୁ ଉଡ଼ିଯାଇଥିଲା ତାଙ୍କର। କେହି ଜଣେ ଭାସିଗଲା ଭାସିଗଲା ବୋଲି ଚିତ୍କାର କରିବା ବେଳକୁ ଟି. ଆକାମ୍ମା ଆଉ ନଥିଲେ।

ନୂଆପଲ୍ଲି ଥାନା ଅଧୀନ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଘଟିଛି ଏଭଳି ଏକ ଅଭାବନୀୟ ଅଘଟଣ। ମୃତ ବୃଦ୍ଧା ଜଣଙ୍କ ହେଲେ ଆନ୍ଧ୍ରପ୍ରଦେଶ ଟି. ଆକାମ୍ମା। ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ରହୁଥିଲେ। ଭାସି ଯାଇ ପ୍ରାଣ ହରାଇଥିବା ଖବର ପାଇ ପରିବାର ଲୋକ ଟି.ଆକମ୍ମାଙ୍କ ଶବକୁ ଡ୍ରେନ୍‌ ଭିତରୁ ଉଦ୍ଧାର କରିଛନ୍ତି। ତେବେ ବୃଦ୍ଧାଙ୍କ ଏଭଳି ମୃତ୍ୟୁକୁ ସ୍ଥାନୀୟ ଲୋକ ଓ ପରିବାରବର୍ଗ ସହଜରେ ଗ୍ରହଣ କରିପାରିନାହାନ୍ତି।

ବିଏମ୍‌ସିର ଅବହେଳା କାରଣରୁ ଏହି ଅଘଟଣ ଘଟିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକ ଟି.ଆକାମ୍ମାଙ୍କ ମୃତଦେହକୁ ନୂଆପଲ୍ଲି ଭିଆଇପି ରାସ୍ତାରେ ରଖି ଅବରୋଧ କରିଥିଲେ। ଏହାସହ ମୃତ ବୃଦ୍ଧାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ।

ନୂଆପଲ୍ଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ପୋଲିସକୁ ଦେଖି ସ୍ଥାନୀୟ ଲୋକ ଧସ୍ତାଧସ୍ତି କରିଥିଲେ। ଶେଷରେ ମୃତକଙ୍କ ପରିବାରକୁ ଏକଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗୁରୁବାର ମୃତଦେହର ବ୍ୟବଚ୍ଛେଦ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା।

ପୂର୍ବରୁ ଡ୍ରେନ୍‌ରେ ଭାସି ତିନି ଜଣଭ୍କ ମୃତ୍ୟୁ ଘଟିଥିଲା। ଏବେ ଅନେକ ସ୍ଥାନରେ ମୁକୁଳା ଡ୍ରେନ୍‌ ରହିଥିବାରୁ  ବର୍ଷା ହେଲେ ସହରବାସୀଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଛି।

Comment