ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରସ୍ଥିତ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ ୟୁନିଭର୍ସିଟି
  • ଜନସ୍ୱାସ୍ଥ୍ୟ ବିଷୟରେ ଶିକ୍ଷାଦାନ ଲାଗି ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ
  • ପିଏଚଡି, ମାଷ୍ଟର ଏବଂ ଅଣ୍ଡର ଗ୍ରାଜୁଏଟ୍ ତଥା ଏମବିଏ ବିବିଏ ପାଠ୍ୟକ୍ରମ

Asian Institute of Public Health (AIPH) University, Bhubaneswar

ଆଜିର ଦିନରେ ଚିକିତ୍ସା ସେବା କ୍ଷେତ୍ରରେ ନୂଆ ନୂଆ ଆହ୍ୱାନ ଦେଖିବାକୁ ମିଳୁଛି। ଅତ୍ୟାଧୁନିକ ଜୀବନଶୈଳୀ, ପରିବେଶ ପ୍ରଦୂଷଣ, ଜନସଂଖ୍ୟା ବିସ୍ଫୋରଣ ଏବଂ ବିଭିନ୍ନ ପାରିପାର୍ଶ୍ୱିକ କାରଣରୁ ଏପରି କେତେକ ବୃହତ୍ତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି ଯାହାକୁ ପ୍ରଚଳିତ ଡାକ୍ତରୀ ବିଜ୍ଞାନ ମାଧ୍ୟମରେ ନିୟନ୍ତ୍ରଣ କରିବା ସମ୍ଭବପର ହେଉନାହିଁ। ତେଣୁ ବୃହତ୍ତ ଜନସଂଖ୍ୟାକୁ ପ୍ରଭାବିତ କରୁଥିବା ଏହିସବୁ ସ୍ୱାସ୍ଥ୍ୟ ଓ ପାରିବେଶିକ ସମସ୍ୟାକୁ ଜନସ୍ୱାସ୍ଥ୍ୟ ବିଭାଗରେ ସାମିଲ୍ କରାଯାଇ ଏ ଦିଗରେ ଲଗାତାର ଭାବେ ଗବେଷଣା କରିବାର ଆବଶ୍ୟକତା ସୃଷ୍ଟି ହୋଇଛି ବୋଲି ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ସଭାପତି ଡାକ୍ତର ପିନାକୀ ପାଣିଗ୍ରାହୀ କହିଛନ୍ତି।

ଡାକ୍ତର ପାଣିଗ୍ରାହୀ ଓଡ଼ିଶାଲାଇଭକୁ କହିଛନ୍ତି ଯେ ଡାକ୍ତରୀ ଶିକ୍ଷା ଲାଗି ଆଜି ଆମ ଦେଶରେ ଅନେକ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚତର ଗବେଷଣା ପ୍ରତିଷ୍ଠାନ ରହିଛି। ସେହିପରି ଡାକ୍ତରୀ ସେବା ସହିତ ଜଡ଼ିତ ବିଭିନ୍ନ ସହଯୋଗୀ ସେବା କ୍ଷେତ୍ର (ପାରାମେଡିକାଲ୍ ସର୍ଭିସେସ୍) ପାଇଁ ବିଶେଷଜ୍ଞ ଓ ଟେକ୍ନିସିଆନ୍ ପ୍ରସ୍ତୁତ କରିବାକୁ ଅନେକ ଶିକ୍ଷାନୁଷ୍ଠାନ ଗଢ଼ିଉଠିଛି। ତେବେ ଜନସ୍ୱାସ୍ଥ୍ୟ ଏକ ବିରାଟ କ୍ଷେତ୍ର ହୋଇଥିଲେ ମଧ୍ୟ ଏହି ବିଷୟରେ ବିଶେଷଜ୍ଞ, ଗବେଷକ ଏବଂ ପେସାଦାର ସୃଷ୍ଟି କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଇ ନାହିଁ। ତେଣୁ ଜନସ୍ୱାସ୍ଥ୍ୟ ବା ପବ୍ଲିକ୍ ହେଲ୍‌ଥ ଉପରେ ଅତ୍ୟାଧୁନିକ ପାଠ୍ୟକ୍ରମ, ଗବେଷଣା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବା ସହ ଆଗାମୀ ଦିନରେ ଏହି କ୍ଷେତ୍ର ପାଇଁ ଆବଶ୍ୟକ ହେଉଥିବା ପେସାଦାରମାନଙ୍କୁ ପ୍ରସ୍ତୁତ କରିବାର ଏବେ ସମୟ ଆସିଛି।

Dr. Pinaki Panigrahi, Founder and President, Asian Institute of Public Health (AIPH) University, Bhubaneswar

ପ୍ରବାସୀ ଓଡ଼ିଆ ଡାକ୍ତରଙ୍କ ଉଦ୍ୟମ

ଡାକ୍ତର ପିନାକୀ ପାଣିଗ୍ରାହୀ ହେଉଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଶୁ ରୋଗ ବିଶେଷଜ୍ଞ। ସେ ଦୀର୍ଘ ବର୍ଷ ହେଲା ଆମେରିକାରେ ରହୁଛନ୍ତି। ଆମେରିକାର ୱାସିଂଟନ ଡିସି ସହରରେ ଥିବା ଜର୍ଜଟାଉନ ୟୁନିଭର୍‌ସିଟି ମେଡିକାଲ ସେଣ୍ଟରର ଇଣ୍ଟରନାସନାଲ ମାଇକ୍ରୋବୋମ୍ ରିସର୍ଚ୍ଚ ବିଭାଗର ସେ ନିର୍ଦ୍ଦେଶକ ଅଛନ୍ତି।

ନବଜାତ ଶିଶୁଙ୍କ ମଧ୍ୟରେ ଦେଖା ଦେଉଥିବା ସଂକ୍ରମଣ ଯୋଗୁଁ ପ୍ରତିବର୍ଷ ପୃଥିବୀରେ, ବିଶେଷକରି ଭାରତ ଭଳି ବିକାଶଶୀଳ ଦେଶରେ ଅନେକ ଶିଶୁ ପ୍ରାଣ ହରାଉଛନ୍ତି। ଡାକ୍ତର ପାଣିଗ୍ରାହୀ ଏ ସମ୍ପର୍କରେ ଦୀର୍ଘ ଗବେଷଣା କରି ଯେଉଁ ‘ପ୍ରୋବାୟୋଟିକ୍’ ସମାଧାନ ବାହାର କରିଛନ୍ତି ତାହା ଆଜି ପିଲାଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

Odisha CM Naveen Patnaik at the foundation stone laying ceremony of Asian Institute of Public Health (AIPH) University, Bhubaneswar

ପବ୍ଲିକ୍ ହେଲ୍‌ଥ ବିଷୟକୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ଯାଇ ଡାକ୍ତର ପିନାକୀ ପାଣିଗ୍ରାହୀ ତାଙ୍କର ଆମେରିକୀୟ ସହଯୋଗୀମାନଙ୍କ ସହ ମିଶି ଓଡ଼ିଶାରେ ପ୍ରତିଷ୍ଠା କରିଛନ୍ତି ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ ୟୁନିଭର୍ସିଟି। ୨୦୦୮ ମସିହାରେ ପ୍ରଥମେ ଆରମ୍ଭ ହୋଇଥିବା ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ ଆଜି ଏକ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟର ରୂପ ନେବାକୁ ଯାଉଛି। ୨୦୧୮ ମସିହାରେ ଓଡ଼ିଶା ବିଧାନସଭାରେ ଅନୁମୋଦିତ ଏକ ସ୍ୱତନ୍ତ୍ର ଆଇନ ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏହା ଭାରତର ଦ୍ୱିତୀୟ ପବ୍ଲିକ୍ ହେଲ୍‌ଥ ବିଶ୍ୱବିଦ୍ୟାଳୟ ଏବଂ ସମଗ୍ର ପୂର୍ବ ଭାରତର ଏକମାତ୍ର ପବ୍ଲିକ୍ ହେଲଥ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ବୋଲି କହିଲେ ଭୁଲ୍ ହେବ ନାହିଁ।

ଜନସ୍ୱାସ୍ଥ୍ୟ ବା ପବ୍ଲିକ୍ ହେଲଥ ବିଷୟରେ ଶିକ୍ଷାଦାନ କାହିଁକି?

‘‘ଜଣେ ରୋଗୀ ଡାକ୍ତରଙ୍କ ପାଖକୁ ଯାଏ। ତା’ର ରୋଗର କାରଣ ନିର୍ଣ୍ଣୟ କରି ସମ୍ପୃକ୍ତ ଡାକ୍ତର ଚିକିତ୍ସା କରିଥାନ୍ତି। ଏହାକୁ ଆମେ ମୁଖ୍ୟତଃ ସ୍ୱାସ୍ଥ୍ୟ ସେବା ବା ଡାକ୍ତରୀ ସେବା ବୋଲି କହିବା। ତେବେ ଜନସ୍ୱାସ୍ଥ୍ୟ ବା ପବ୍ଲିକ୍ ହେଲ୍‌ଥ ହେଉଛି ଏକ ବ୍ୟାପକ ବିଷୟ। ଗୋଟିଏ ଗୋଷ୍ଠୀ, ଅଞ୍ଚଳ ବା ବର୍ଗର ଶହ ଶହ ବା ହଜାର ହଜାର ଜନତାଙ୍କ ବୃହତ୍ତର ସ୍ୱାସ୍ଥ୍ୟ ସମସ୍ୟା ଜନସ୍ୱାସ୍ଥ୍ୟ ଅଧୀନରେ ଆସେ। ତେଣୁ ଆଜିର ସମୟରେ ପବ୍ଲିକ୍ ହେଲ୍‌ଥ ଏକ ବିରାଟ ବିଷୟ ରୂପେ ଠିଆ ହୋଇଛି। ଏହି ବିଷୟ ଅଧୀନରେ ପିଏଚଡି, ସ୍ନାତକୋତ୍ତର, ସ୍ନାତକ ତଥା ବିଭିନ୍ନ ସ୍ୱଳ୍ପ ଅବଧି ପାଠ୍ୟକ୍ରମ ପ୍ରଚଳନ କରି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଦେଶରେ ଏକ ନୂଆ ଧାରା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି’’, କହିଛନ୍ତି ଡାକ୍ତର ପାଣିଗ୍ରାହୀ।

Dr Pinaki Panigrahi, pediatrician and public health expert at a field site in Odisha

ଭୁବନେଶ୍ୱର ଓ କଟକ ମଝିରେ ପାହାଳ ନିକଟରେ ବର୍ତ୍ତମାନ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍ ଚାଲିଛି। ଜଟଣୀ, ଅରୁଗୁଳ ନିକଟରେ ଥିବା ଆଇଆଇଟି କ୍ୟାମ୍ପସ୍ ପାଖରେ ଏକ କୋଡିଏ ଏକର ଜାଗାରେ ଏହି ବିଶ୍ୱବିଦ୍ୟାଳୟର ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ତିଆରି ହେବାକୁ ଯାଉଛି।

ପବ୍ଲିକ୍ ହେଲ୍ ବିଷୟରେ ପିଏଚଡି, ସ୍ନାତକୋତ୍ତର, ସ୍ନାତକ ପାଠ୍ୟକ୍ରମ

ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ ୟୁନିଭର୍ସିଟିର ଚାରିଟି ପ୍ରମୁଖ ବିଭାଗ ରହିଛି। ସେଗୁଡ଼ିକ ହେଲା (୧) ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ (୨)ସ୍କୁଲ୍ ଅଫ୍ ବାୟୋଲୋଜିକାଲ୍ ସାଇନ୍ସେସ୍ (୩) ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ (୪) ସ୍କୁଲ୍ ଅଫ୍ ଆଲାଏଡ୍ ହେଲଥ ସାଇନ୍ସେସ୍।

ଏହି ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ପିଏଚଡି, ସ୍ନାତକୋତ୍ତର ଏବଂ ସ୍ନାତକ ବିଷୟରେ ବିଭିନ୍ନ ପାଠ୍ୟକ୍ରମ ରହିଛି। ସେଗୁଡ଼ିକ ମଧ୍ୟରେ ଆଗଧାଡ଼ିର ପାଠ୍ୟକ୍ରମଗୁଡ଼ିକ ହେଉଛି (୧)ମାଷ୍ଟର ଇନ୍ ପବ୍ଲିକ୍ ହେଲଥ୍ (ଏମପିଏଚ୍), (୨) ମାଷ୍ଟର ଅଫ୍ ସାଇନ୍ସ (ଆପ୍ଲାଏଡ୍ ମାଇକ୍ରୋ ବାୟୋଲୋଜି) ଏବଂ (୩) ମାଷ୍ଟର ଅଫ୍ ସାଇନ୍ସ (ଲାଇଫ୍ ସାଇନ୍ସେସ୍)।

Students on the lab at Asian Institute of Public Health (AIPH) University, Bhubaneswar

ସେହିପରି ପ୍ରାଣୀବିଜ୍ଞାନ (ଜୁଲୋଜି) ଏବଂ ଉଦ୍ଭିଦ ବିଜ୍ଞାନ (ବଟାନି) ପାଇଁ ମଧ୍ୟ ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। ଏହାଛଡ଼ା ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ଏମବିଏ ଏବଂ ବିବିଏ ଚଳିତ ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି। ବିଶେଷକରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶିକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେଲ୍‌ଥ କେୟାର ମ୍ୟାନେଜମେଣ୍ଟ, ହସ୍ପିଟାଲ୍ ମ୍ୟାନେଜମେଣ୍ଟ ଏବଂ ପବ୍ଲିକ୍ ହେଲ୍‌ଥ ଆଦି ବିଷୟରେ ଏକଜିକ୍ୟୁଟିଭ୍ ଏମବିଏ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି।

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ଆଜି ଓଡ଼ିଶା, ପଶ୍ଚିମବଙ୍ଗ, ବିଭିନ୍ନ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଏବଂ ଦେଶର ଅନ୍ୟ କେତେକ ରାଜ୍ୟରୁ ଛାତ୍ରଛାତ୍ରୀମାନେ ଆସି ପଢ଼ୁଛନ୍ତି।

Students of Asian Institute of Public Health (AIPH) University, Bhubaneswar at the campus

‘‘ଏଆଇପିଏଚ୍ ହେଉଛି ଦେଶର ଏକମାତ୍ର ପବ୍ଲିକ୍ ହେଲ୍‌ଥ ବିଶ୍ୱବିଦ୍ୟାଳୟ। ଆମର ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ବ୍ୟବସ୍ଥା ବେସ୍ ଭିନ୍ନ। ଯେଉଁଠି କ୍ଲାସରୁମ୍ ପାଠପଢ଼ା ସହିତ ଡାକ୍ତରଖାନାରେ ନିୟମିତ ପ୍ରାକ୍ଟିକାଲ୍ ବ୍ୟବସ୍ଥା ରହିଛି। ସେହିପରି ଆମର  ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରୋଜେକ୍ଟ କ୍ଷେତ୍ରକୁ ଯାଇ ସିଧାସଳଖ ଭାବେ ଜନସାଧାରଣଙ୍କୁ ଭେଟି ବିଭିନ୍ନ ରୋଗ ଓ ତା’ର ନିରାକରଣ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବାର ସୁଯୋଗ ପାଉଛନ୍ତି। ତା’ ଛଡା ଆମେରିକାର ବିଭିନ୍ନ ପ୍ରତିଷ୍ଠିତ ଗବେଷକ, ଡାକ୍ତର ଏବଂ ପ୍ରଫେସରମାନେ ଏଠିକୁ ଆସି ଆମ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି’’, କହିଛନ୍ତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ବୋର୍ଡର ପ୍ରେସିଡେଣ୍ଟ ପ୍ରବାସୀ ଓଡ଼ିଆ ଡାକ୍ତର ପିନାକୀ ପାଣିଗ୍ରାହୀ।

Comment