ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡା :  ଆନ୍ଧ୍ର-ଓଡ଼ିଶାର ଲାଇଫଲାଇନ କୁହାଯାଉଥିବା ଝଞ୍ଜାବତୀ ବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଅବାଧରେ ଭାରିଯାନ ଚଳାଚଳ କରୁଥିବାରୁ ତାହା ଭୁଶୁଡ଼ି ଯିବାର ଆଶଙ୍କା କରାଯାଉଛି। ରାୟଗଡା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଝଞ୍ଜାବତୀ ନଦୀ ଉପରେ ଥିବା ବ୍ରିଜ ଉପରେ ଦୈନିକ ବହୁ ସଂଖ୍ୟାରେ ଭାରିଯାନ ଯାତାୟାତ କରୁଛି। ୧୦ ଟନରୁ କମ୍ ଓଜନ ବିଶିଷ୍ଟ ଭାରିଯାନ ଏହି ବ୍ରିଜ ଉପରେ ଯିବା ଆସିବା କରିବାର ନିୟମ ରହିଥିବା ଏହା ଉଲ୍ଲଙ୍ଘନ ହେଉଛି। ପରିବହନ ବିଭାଗର ଅଣଦେଖା ଯୋଗୁଁ ଉକ୍ତ ବ୍ରିଜରେ ୪୦ଟନରୁ ଅଧିକ ଓଜନ ଭାରିଯାନ ଯାତାୟତ କରୁଛି।

୧୯୦୬ ମସିହାରେ ନିର୍ମିତ ଏହି ବ୍ରିଜର କୌଣସି ମରାମତି କାର୍ଯ୍ୟ ଏଯାଏଁ କରାଯାଇ ନାହଁ। ଶିଳ୍ପାଞ୍ଚଳ ଜିଲ୍ଲା ରାୟଗଡାକୁ ଦୈନିକ ଉକ୍ତ ବ୍ରିଜ ଦେଇ ଶହ ଶହ ଟ୍ରକ ପଡ଼ୋଶୀ ଆନ୍ଧ୍ରରୁ କାଠ ବୋଝେଇ ହୋଇ ଜେକେ କାଗଜକଳକୁ ଆସୁଛି। ଅନ୍ୟ ରାଷ୍ଟ୍ରାୟତ୍ତ କମ୍ପାନିକୁ କଞ୍ଚାମାଲ ମଧ୍ୟ ଏହି ରାସ୍ତା ଦେଇ ଆସୁଛି। କେତେବେଳେ କ’ଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ।

ଗତ ଦୁଇ ବର୍ଷ ହେଲା ଆଉ ଏକ ବ୍ରିଜ ଏଠାରେ ନିର୍ମାଣ ହେଉଛି। ଦୀର୍ଘ ଦିନରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଭାରିଯାନ ଯିବା ଆସିବା କଲେ ବ୍ରିଜର ସାଇଡ୍‍ ୱାଲ ଅନେକ ସମୟରେ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ପୂର୍ତ୍ତ ବିଭାଗ ଏହାକୁ ଅଣଦେଖା କରି ମରାମତି କରୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୁଦ୍ଧିଆ ମାରାଣ୍ଡି କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ନୂତନ ବ୍ରିଜ ନିର୍ମାଣ ଶେଷ ହୋଇଯିବ। ଏଥିପାଇଁ କାମ ଚାଲିଛି।

Comment