ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଆଜି ଦ୍ଵିତୀୟ ବଡ଼ଦାଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଛି। ଆଜି ସକାଳୁ ସିଂହଦ୍ଵାର ଅରୁଣ ସ୍ତମ୍ଭ ନିକଟରେ ସମୂହ ଦୀପଦାନ କରାଯାଇଥିଲା। ପରେ ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଶ୍ରୀମନ୍ଦିର ସମ୍ମୁଖରେ ଆକର୍ଷଣୀୟ ରଙ୍ଗୋଲି ଓ ଝୋଟି ଅଙ୍କନ କରିଥିଲେ।

ଏହାସହ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଏଥିରେ ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା। ଶ୍ରୀମନ୍ଦିରର ପରିଚ୍ଛନ୍ନତା, ସୁରକ୍ଷା ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ପ୍ରତ୍ୟେକ ରବିବାର ଏହି ମହୋତ୍ସବ ପାଳନ କରାଯାଉଛି।

ପୁରୀର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଏକ ପ୍ରୟାସ ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇଛି। ଏହି କାର୍ଯକ୍ରମ ଜରିଆରେ ସବୁ ରବିବାର ପୁରୀ ବଡ଼ଦାଣ୍ଡରେ ଭଜନ, ସଂକୀର୍ତ୍ତନ, ଓଡ଼ିଶୀ, ଗୋଟିପୁଅ ନୃତ୍ୟ, ଝୋଟି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।

ପ୍ରଥମ ବଡ଼ଦାଣ୍ଡ ମହୋତ୍ସବ ଜୁଲାଇ ୨୧ ତାରିଖ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ଝୋଟି ଆଙ୍କିବା ସହ ଓଡ଼ିଶୀ, ଗୋଟିପୁଅ ନୃତ୍ୟରେ ପରିବେଷଣ ହୋଇଥିଲା।

ଏହି ଉତ୍ସବକୁ ଜୁଲାଇ ୨୧ରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ବିଶାଲ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ ଶୁଭାରମ୍ଭ କରିଥିଲେ। ବଡ଼ଦାଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

 

Comment