ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ପରେ ଏବେ ଆରିସା, ଛେନାପୋଡ଼ ଏବଂ ରସାବଳି ପାଇଁ ଜିଆଇ ଟ୍ୟାଗ୍ ଆବେଦନ କରାଯିବ। ଏହା କହିଛନ୍ତି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

‘‘ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ଆମ ପାଇଁ ଗର୍ବର ବିଷୟ। ରସଗୋଲା ପରେ ଆରିସା, ଛେନାପୋଡ଼ ଏବଂ ରସାବଳିକୁ ଜିଆଇ ଟ୍ୟାଗ୍‌ ମିଳିବା ନେଇ ଆବେଦନ କରାଯିବ। ଏଥିପାଇଁ ତଥ୍ୟ ସଂଗ୍ରହ କରାଯିବ’’, କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଓଡ଼ିଶା ରସଗୋଲାକୁ ମିଶାଇ ୧୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିଛି। ୨୦୧୯-୨୦ରେ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍ ମିଳିଥିଲା। ୨୦୦୫-୦୬ରେ କୋଟପାଡ ହ୍ୟାଣ୍ଡଲୁମ୍ ଏବଂ ଓଡ଼ିଶା ଇକାଟ୍‌କୁ ଜିଆଇ ଟ୍ୟାଗ ମିଳିଥିଲା।

୨୦୦୮-୦୯ରେ କୋଣାର୍କ ଷ୍ଟେସନ କାର୍ଭିଙ୍ଗ, ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ତିଆରି କାର୍ଯ୍ୟ, ୨୦୧୦-୧୧ରେ ଖଣ୍ଡୁଆ ଶାଢ଼ି ଓ ପରିଧାନ, ୨୦୧୧-୧୨ରେ ଗୋପାଳପୁର ଟସର, ଗଞ୍ଜାମ କିଆଫୁଲ ତେଲ, ଗଞ୍ଜାମ କିଆଫୁଲକୁ ଜିଆଇ ଟ୍ୟାଗ୍ ମିଳିଛି।

ସେହିପରି ୨୦୧୨-୧୩ରେ ଧଳାପଥର ପରଦା ଓ ପରିଧାନ, ସମ୍ବଲପୁରୀ ବାନ୍ଧ ଶାଢ଼ି ଓ ପରିଧାନ, ବୋମକେଈ ଶାଢ଼ି ଓ ପରିଧାନ, ହବସପରୀ ଶାଢ଼ି ଓ ପରିଧାନ, ବ୍ରହ୍ମପୁର ପାଟ ଶାଢ଼ି ଓ ଯୋଡ଼, ୨୦୧୩-୧୪ରେ ଓଡ଼ିଶା ପଟ୍ଟଚିତ୍ର ଲୋଗୋ, ଆରାକୁ ଭ୍ୟାଲି ଓ ଆରବିକ କଫିକୁ ଜିଆଇ ଟ୍ୟାଗ୍ ମିଳିଛି।

Comment