ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୁଇନ୍‌ ସିଟିରେ ଆତଙ୍କ ମଚାଇଥିବା ସାଇକୋ କିଲର ନାରାୟଣ ସାହୁକୁ କମିସନରେଟ ପୋଲିସ ଗିରଫ କରିଛି। ଗରିଫ ହେବାର ତିନି ଦିନ ପରେ ଏ ମାମଲାରେ ଏକ ନୂଆ ମୋଡ଼ ନେଇଛି। ଅଭିଯୁକ୍ତ ନାରାୟଣ ସାହୁ ନିର୍ଦ୍ଦୋଶ, ପୋଲିସ୍‌ ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଉଥିବା ଅଭିଯୋଗ ଆଣିଛନ୍ତି ନାରାୟଣ ସାହୁଙ୍କ ପତ୍ନୀ।

ଅଭିଯୁକ୍ତ ନାରାୟଣଙ୍କ ପତ୍ନୀ ଗିତାଞ୍ଜଳି ସାହୁ କିଛି ଗ୍ରାମବାସୀଙ୍କୁ ଧରି ବୁଧବାର ନୟାଗଡ଼ ଏସ୍‌ପିଙ୍କୁ ଭେଟିଥିଲେ। ପୋଲିସ ମିଥ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ଫସାଉଥିବା ଗୀତାଞ୍ଜଳି ନୟାଗଡ଼ ଏସ୍‌ପିଙ୍କ ଆଗରେ କହି ନ୍ୟାୟ ଭିକ୍ଷା କରିଛନ୍ତି।

ଗୀତାଞ୍ଜଳି କହିଛନ୍ତି, “ଗତ ୨୨ ତାରିଖରେ ନାରାୟଣ ଭୁବନେଶ୍ୱରସ୍ଥିତ ତାଙ୍କ ଭଉଣୀ ଘରେ ରହିଥିଲେ। ଏହା ପରଦିନ ଅର୍ଥାତ୍‌ ୨୩ ତାରିଖରେ ନାରାୟଣ ନିଜ ଗାଁ ଗଞ୍ଜାମ ଜିଲ୍ଲା କୁମ୍ପାପଡ଼ାକୁ ଫେରିଆସିଥିଲେ। ଏଭଳି କ୍ଷେତ୍ରରେ ସେ କଟକରେ କିପରି ହତ୍ୟା କରିପାରିବେ? ମୋ ସ୍ୱାମୀଙ୍କୁ ଫସେଇ ଦିଆଯାଉଛି।”

ଗତ ୨୮ ତାରିଖ ରାତିରେ ନାରାୟାଣ ସାହୁକୁ ସନ୍ଦେହ କରି କିଛି ଯୁବକ କଟକ ମଙ୍ଗଳାବାଗରୁ ତାକୁ ଧରି ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ତାକୁ ଅଟକ ରଖି ପଚରାଉଚରା କରିଥିଲା। ଏହା ପରେ ପୋଲିସ୍‌ ତାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

୩ଟି ହତ୍ୟାକାଣ୍ଡରେ ନାରାୟାଣ ସାହୁ ସାମିଲ ରହିଥିବା ପୋଲିସ ସୂଚନା ଦେଇଛି। ଜୁଲାଇ ୨୨ ତାରିଖରେ ରାଣୀହାଟ, ୨୩ ତାରିଖରେ ଓଏମପି ଓ ମଙ୍ଗଳାବାଗରେ ତିନିଜଣଙ୍କୁ ଗଳାକାଟି ହତ୍ୟା କରିଥିବା ପୋଲିସ୍‌ ପ୍ରକାଶ କରିଛି। ଅପରାଧି କେବଳ କଟକ ନୁହେଁ, ଗଞ୍ଜାମର ବେଲଗୁଣ୍ଠ ଅଞ୍ଚଳରେ ମଧ୍ୟ ଏପରି କାଣ୍ଡ କରିଥିବା ବୋଲି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ ନାରାୟଣ ସାହୁଙ୍କ ପୈତୃକ ଗାଁ ହେଉଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନାମୁହିଁ। ଏଠାରେ ତାଙ୍କ ବାପା- ମାଆ ରହୁଥିବା ବେଳେ ନାରାୟଣ ନିଜ ପତ୍ନୀଙ୍କ ସହ ଗଞ୍ଜାମ ଜିଲ୍ଲା କୁମ୍ପାପଡ଼ାରେ ଗାଁ ରୁହନ୍ତି।

Comment