ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡୋପ୍ ଟେଷ୍ଟରେ ବିଫଳ ହେବାରୁ ପୃଥ୍ୱୀ ଶ’ଙ୍କୁ ୮ ମାସର ବାସନ୍ଦାଦେଶ ଜାରି କଲା ବିସିସିଆଇ।।

ଯୁବ ଭାରତୀୟ ଓପନର୍ ପୃଥ୍ୱୀ ଶ’ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ଡୋପ୍ ଟେଷ୍ଟରେ ବିଫଳ ହେବାପରେ ପୃଥ୍ୱୀଙ୍କ ଉପରେ ବିସିସିଆଇ ୮ ମାସର ବାସନ୍ଦାଦେଶ ଜାରି କରିଛି। ଏହି ବାସନ୍ଦାଦେଶ ଆଗାମୀ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ଫେବୃଆରୀ ମାସରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳାଯିବା ସମୟରେ ଡୋପ୍‌ ଟେଷ୍ଟ ପାଇଁ ପୃଥ୍ୱୀଙ୍କ ମୁତ୍ର ନମୁନା ସଂଗ୍ରହ କରାଯାଇଥିଲା। ଏହାର ପରୀକ୍ଷା କରାଯିବା ପରେ ତାଙ୍କ ମୁତ୍ର ନମୁନାରୁ ‘ଟର୍ବୁଟାଲାଇନ୍’ ନାମକ ଏକ ଔଷଧର ମିଳିଛି। ଯାହା ଉପରେ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା (ୱାଡା) ବହୁ ପୂର୍ବରୁ ପ୍ରତିବନ୍ଧକ ଲଗାଇଥିଲା। ଏଥିସହିତ ପୃଥ୍ୱୀ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି।

ଅନ୍ୟପକ୍ଷରେ ଡୋପ୍ ଟେଷ୍ଟରେ ବିଫଳ ହେବାପରେ ପୃଥ୍ୱୀ ନିଜର ଦୋଷ ସ୍ୱୀକାର କରିନେଇଛନ୍ତି। ସେ ଜାଣିଶୁଣି ଏପରି ଭୁଲ କରିନାହାନ୍ତି ବୋଲି ପୃଥ୍ୱୀ ବିସିସିଆଇକୁ କହିଛନ୍ତି। ଶ୍ୱାସନଳୀ ସଂକ୍ରମଣ ହେବା କାରଣରୁ ସେ ଏପରି ଔଷଧର ବ୍ୟବହାର କରିଥିବା କହିଛନ୍ତି। ଏହି ଔଷଧରେ ‘ଟର୍ବୁଟାଲାଇନ୍’  ରହିଥିବା କାରଣରୁ ସେ ଡୋପ୍ ଟେଷ୍ଟରେ  ବିଫଳ ହୋଇଥିବା କହିଛନ୍ତି।

ଡୋପ୍ ଟେଷ୍ଟରେ ବିଫଳ ହେବାପରେ ପୃଥ୍ୱୀ ଶ’ ଆଗାମୀ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଖେଳିପାରିବେ ନାହିଁ। ପୃଥ୍ୱୀଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ମିଳିନି। ଡୋପ୍ ଟେଷ୍ଟରେ ବିଫଳ ପୃଥ୍ୱୀ କିନ୍ତୁ ସେପ୍ଟେମ୍ବର ୧୬ରୁ ଘରୋଇ ମୁମ୍ବାଇ ଦଳ ସହ ଅଭ୍ୟାସ କରିପାରିବେ। ସେହିଭଳି ବିସିସିଆଇ ଦ୍ୱାରା ପରିଚାଳିତ ବିଭିନ୍ନ କ୍ଲବରେ ମଧ୍ୟ ଅଭ୍ୟାସ କରିପାରିବେ କିନ୍ତୁ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ।

ପୃଥ୍ୱୀଙ୍କ ସହ ରାଜସ୍ଥାନର ଦିବ୍ୟ ଗଜରାଜ ଓ ବିଦର୍ଭର ଅକ୍ଷୟ ଦୁଲାରୱାର ମଧ୍ୟ ଡୋପ୍ ଟେଷ୍ଟରେ ବିଫଳ ହୋଇ ନିଲମ୍ବିତ ହୋଇଛନ୍ତି।

Comment