ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୨୦୨୦ରେ ବନ୍ଦ ହେବ ବିଏସ୍-୪ ଇଞ୍ଜିନଯୁକ୍ତ ଗାଡ଼ି। ତେବେ ଆସନ୍ତୁ ଜାଣିବା, ବିଏସ୍-୪ ଓ ବିଏସ୍-୬ ଇଞ୍ଜିନ ମଧ୍ୟରେ କ’ଣ ରହିଛି ଫରକ?
ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର ଇଞ୍ଜିନରୁ ବାହାରୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏସ୍(ଭାରତ ଷ୍ଟେଜ୍ ଏମିସନ ଷ୍ଟାଣ୍ଡାର୍ଡ) ବ୍ୟବସ୍ଥା ଲାଗୁ କରାଯାଇଛି। ଭାରତରେ ପ୍ରଥମଥର ପାଇଁ ବିଏସ୍ ବ୍ୟବସ୍ଥା ୨୦୦୦ ମସିହାରେ ଅଣାଯାଇଥିଲା।
ତେବେ ସମୟ ଅନୁସାରେ ବିଏସ୍କୁ ଅପଡେଟ୍ କରାଯାଇଛି। ବର୍ତ୍ତମାନ ଭାରତରେ ବିଏସ୍-୪ ଇଞ୍ଜିନ ଚଳାଚଳ ହେଉଛି। ତେବେ ଆସନ୍ତା ୨୦୨୦ ମସିହା ଏପ୍ରିଲ ସୁଦ୍ଧା ଭାରତରେ ବିଏସ୍-୪ ଇଞ୍ଜିନଯୁକ୍ତ ଗାଡ଼ି ବିକ୍ରି ବନ୍ଦ କରି ବିଏସ୍-୬ ଇଞ୍ଜିନ୍ ଗାଡ଼ି ବିକ୍ରି ହେବ। ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା, ଗାଡ଼ିରେ ଲାଗୁଥିବା ବିଏସ୍-୪ ଏବଂ ବିଏସ୍-୬ ଇଞ୍ଜିନ ମଧ୍ୟରେ କ’ଣ ଫରକ ରହିଛି?
ବିଏସ୍-୬ ଗାଡ଼ିର ଇଞ୍ଜିନରୁ ବାହାରୁଥିବା ଧୂଆଁରେ ସଲଫରର ମାତ୍ରା ବିଏସ୍-୪ ତୁଳନାରେ କମ୍ ରହିଥାଏ। ବିଏସ୍-୪ ଇଞ୍ଜିନରୁ ୫୦ ପିପିଏମ୍(ପାର୍ଟ୍ସ ପର୍ ମିଲିଅନ୍) ସଲଫର ନିର୍ଗମ ହେଉଥିବା ବେଳେ ବିଏସ୍- ୬ରୁ ମାତ୍ର ୧୦ ପିପିଏମ ସଲଫର ବାହାରିଥାଏ।
ଗାଡ଼ିରୁ ସଲଫର ମାତ୍ରା କମ ବାହାରିଲେ ଇଞ୍ଜିନ୍ର ଏସିଡି ଲେବଲ୍ କମ୍ ରହିବ। ଏହା ଦ୍ୱାରା ଇଞ୍ଜିନ ଅୟଲର ଲାଇଫ୍ ଅଧିକ ଦିନ ପର୍ଯ୍ୟନ୍ତ ରହିବ। ଯାହା ଫଳରେ କି, ଆପଣଙ୍କ ଗାଡ଼ିର ମାଇଲେଜ୍ ମଧ୍ୟ ବଢ଼ିବ।
ଅନ୍ୟପକ୍ଷରେ ବିଏସ୍- ୬ ଯୋଗୁଁ ଡିଜେଲ କାରରେ ପିଏଫ୍(ପାର୍ଟିକୁଲେଟ ଫିଲ୍ଟର)ର ସ୍ତର ୮୦ ପ୍ରତିଶତ କମିଯାଇଥାଏ। ଏଥିସହ ବିଏସ୍- ୬ ଗାଡ଼ିରେ ଅନ-ବୋର୍ଡ ଡାଇଗ୍ନୋଷ୍ଟିକ (ଓବିଡି) ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏହାଦ୍ୱାରା ଗାଡ଼ିର ଇଞ୍ଜିନ କେତେ ଠିକ୍ ରହିଛି ତାହା ସହଜରେ ଗାଡ଼ି ମାଲିକ ଜାଣି ପାରିବେ।
ଗତ ଏପ୍ରିଲ ୨୦୧୭ରେ ଭାରତରେ ବିଏସ୍-୪ ଇଞ୍ଜିନ ଗାଡ଼ି ବାଧ୍ୟତାମୂଳକ କରାଯାଇଥିଲା। ତେବେ ବର୍ତ୍ତମାନ ଭାରତରେ ବିଏସ୍-୪ ଇଞ୍ଜିନ ଗାଡ଼ି ଚଳାଚଳ କରୁଛି। ତେବେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୨୦ ଏପ୍ରିଲ ସୁଦ୍ଧା ଭାରତରେ ବିଏସ୍-୪ ଇଞ୍ଜିନ ଗାଡ଼ିର ବିକ୍ରି ନିଷିଦ୍ଧ କରାଯାଇ ବିଏସ୍-୬ ଇଞ୍ଜିନ ଗାଡ଼ି ବିକ୍ରି ଆରମ୍ଭ ହେବ।