ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବିଶ୍ୱ ଜୁନିୟର ରୋଇଂ ଚାମ୍ପିଅନ୍‌ସିପ୍‌ ଜାପାନର ଟୋକିଓଠାରେ ଅନୁଷ୍ଠିତ ହେବ। ଅଗଷ୍ଟ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୪ଜଣିଆ ଭାରତ ଦଳ ଭାଗ ନେବ। ଏଥିରେ ୮ଜଣ ବାଳକ ଓ ୪ଜଣ ବାଳିକା ସ୍ଥାନ ପାଇଥିବା ବେଳେ ୨ଜଣ କୋଚ୍ ଦଳ ସହ ଯାତ୍ରା କରିବେ।

ଭାରତୀୟ ରୋଇଂ ମହାସଂଘ ତରଫରୁ ଘୋଷିତ ଏହି ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଶାରୁ ତିନି ଖେଳାଳି। ସେମାନେ ହେଲେ ଦୀପିକା ଖେସ୍, ରିତୁ କଉଡି ଓ ସୋନାଲି ସ୍ୱାଇଁ। ଏମାନେ ଜଗତପୁର ସାଇ କେନ୍ଦ୍ରରେ କୋଚ୍ ପି.ଟି.ପୌଲସଙ୍କ ନେତୃତ୍ୱରେ ଅଭ୍ୟାସ କରୁଛନ୍ତି।

୨୦୧୮ ମସିହାରେ ଏହି ମହିଳା ଖେଳାଳିମାନେ ଜୁନିୟର ଏସିଆନ୍ ରୋଇଂ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ପଞ୍ଜାବର ସଗନଦୀପ ସିଂ ଏବଂ ମହାରାଷ୍ଟ୍ରର ମୃଣ୍ମୟୀ ନିଲେଶ ସଲଗାଓଁକର ମଧ୍ୟ କଟକରେ ରହି ଅଭ୍ୟାସ କରୁଛନ୍ତି। ତାଙ୍କୁ ମଧ୍ୟ ଟିମ୍‌ରେ ସୁଯୋଗ ଦିଆଯାଇଛି।

ଏମାନଙ୍କ ବ୍ୟତୀତ ପଶ୍ଚିମବଙ୍ଗରୁ ପ୍ରତୀକ ଗୁପ୍ତା, ଉତ୍ତରାଖଣ୍ଡର ଆଶିଷ ଗୋଲିୟାଁ, ସଞ୍ଜୟ, ମଧ୍ୟପ୍ରଦେଶର ନିତେଶ ଭରଦ୍ୱାଜ, କର୍ଣ୍ଣାଟକର ଜି.ତରୁଣ କ୍ରୀଷ୍ଣା ପ୍ରସାଦ ପ୍ରମୁଖ ସାମିଲ୍ ହୋଇଛନ୍ତି। ଜେନିଲ୍ କ୍ରୀଷ୍ଣା ମୁଖ୍ୟକୋଚ୍ ଏବଂ ଭି.ଭେଙ୍କଟେଶ୍ୱର ରାଓ ସହକାରୀ କୋଚ୍ ଭାବେ ଭାରତୀୟ ଦଳ ସହ ଯାତ୍ରା କରିବେ ବୋଲି ସୂଚନା ମିଳିଛି।

Comment