ଓଡ଼ିଶାଲାଇଭ ବ୍ୟୁରୋ

ତିନି ମାସ ତଳେ କରିଥିଲେ ପ୍ରେମ ବିବାହ। ହେଲେ ହସଖୁସିର ସଂସାର ବେଶି ସମୟ ରହିପାରିଲା ନାହିଁ। ସାମାନ୍ୟ କଳିରୁ ଘଟି ଗଲା ବହୁତ ବଡ଼ କାଣ୍ଡ। ଛୋଟ ଝଗଡ଼ାକୁ କେନ୍ଦ୍ର କରି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଟ୍ରେନକୁ ଡେଇଁ ଆତ୍ମହତ୍ୟା କରିଛି ସ୍ଵାମୀ।

ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ନବକଳେବର ରୋଡସ୍ଥିତ ନୂଆସାହିରେ। ମୃତ ଦମ୍ପତି ହେଲେ ନୂଆସାହିର ସନ୍ତୋଷ ବେହେରା ଓ ତାଙ୍କ ପତ୍ନୀ ଶୁଭସ୍ମିତା ମହାନ୍ତି। ଗତ ମେ ୮ ତାରିଖରେ ଉଭୟ ପ୍ରେମ ବିବାହ କରିଥିଲେ।

କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ହୋଟେଲ ତ୍ରିମୂର୍ତ୍ତିରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ ଶୁଭସ୍ମିତା ଓ ସନ୍ତୋଷ ତୋଷାଳି ସ୍ୟାଣ୍ଡରେ କାମ କରୁଥିଲେ। ୪ବର୍ଷ ପ୍ରେମ ସମ୍ପର୍କ ପରେ ପରିବାରର ସ୍ଵୀକୃତିରେ ବିବାହ କରିଥିଲେ। ବିବାହ କିଛିଦିନ ପରେ ସନ୍ତୋଷ ପୁନେ ଚାଲିଯାଇଥିଲା। ଗତ ଶୁକ୍ରବାର ସନ୍ତୋଷ ପୁନେରୁ ଆସି ନିଜ ଶଳା ପାଖରେ ଭୁବନେଶ୍ଵରରେ ରହିଥିଲେ।

ଅନ୍ୟପଟରେ ଶୁଭସ୍ମିତା ଶ୍ଵଶୁରଙ୍କ ସହ ତାଙ୍କ ଗାଁ ଜଗତସିଂହପୁର ଯାଇଥିଲେ। ସ୍ଵାମୀ ଫେରିବା ଜାଣି ଶୁଭସ୍ମିତା ସେହିଦିନ ରାତିରେ ଶାଶୁଙ୍କ ସହ ପୁରୀ ଫେରିଥିଲେ। ସନ୍ତୋଷ ଘରେ ପହଞ୍ଚିବା ପରେ ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ସନ୍ତୋଷ ଶୁଭସ୍ମିତାର ତଣ୍ଟି ଚିପି ହତ୍ୟା କରିଥିଲା।

ଏହାପରେ ସନ୍ତୋଷ ସ୍ତ୍ରୀ ଫୋନରୁ ଶ୍ଵଶୁର ଘରକୁ ଫୋନ କରି ଘଟଣା ବିଷୟରେ କହିଥିଲା। ଶୁଭସ୍ମିତାର ଘର ଲୋକ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ବେହୋସ ପାଇ ଡାକ୍ତରଖାନା ନେଇଥିଲେ ହେଲେ ସେଠାରେ ତା’ର ମୃତ୍ୟୁ ହୋଇଥିଲା। ସ୍ତ୍ରୀକୁ ହତ୍ୟା କରିବା ପରେ ବିଚଳିତ ହୋଇ ପଡ଼ିଥିଲା ସନ୍ତୋଷ ଘର ପଛ ପଟେ ଯାଇଥିବା ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିଲା।

ଟ୍ରେନ ଡ୍ରାଇଭରଙ୍କଠୁ ଖବର ପାଇ ପୁରୀ ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା।

Comment