ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ପାସ୍ ହୋଇଛି। ସପକ୍ଷରେ ୧୨୫ଟି ଏବଂ ବିପକ୍ଷରେ ୬୧ଟି ଭୋଟ ପଡ଼ିଥିଲା। ସୋମବାର ଦିନ ସାରା ଏହି ବିଲ୍ ଉପରେ ଆଲୋଚନା ଚାଲିଥିଲା। ବିରୋଧୀଙ୍କ ପକ୍ଷରୁ ଆସୁଥିବା ସମସ୍ତ ପ୍ରଶ୍ନର ଜବାବ ଦେଇଥିଲେ ଶାହ।
ବିଲ୍ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ ଶାହଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କ ପିଠି ଥାପୁଡ଼େଇ ସାବାସୀ ଦେଇଥିଲେ। ଶାହ ମଧ୍ୟ ମୋଦିଙ୍କ ପାଖରେ ମୁଣ୍ଡ ନୁଆଁଇଥିଲେ।
‘‘କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଭାଷଣ ରାଜ୍ୟସଭାରେ ଉଚ୍ଚକୋଟୀର ଥିଲା। ସେ ତାଙ୍କ ଭାଷଣରେ ଅତୀତରେ ଜମ୍ମୁ କଶ୍ମୀରବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କରେ କହିଥିଲେ। ଜମ୍ମୁ କଶ୍ମୀରର ଭାଇ ଭଉଣୀଙ୍କ ପ୍ରତି ଆମ ସରକାର ନେଉଥଇବା ପଦକ୍ଷେପ ସମ୍ପର୍କରେ ଭଲଭାବେ କହିଥିଲେ’’, ଟୁଇଟ୍ କରି କହିଥିଲେ ମୋଦି।
ପୂର୍ବତନ ବୈଦଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଅମିତ ଶାହଙ୍କ ଭାଷଣକୁ ପ୍ରଶଂସା କରିଛନ୍ତି।
‘‘ଧାରା ୩୭୦ ଆତଙ୍କବାଦକୁ ଜନ୍ମ ଦେଉଥିଲା। ଜମ୍ମୁ କଶ୍ମୀରରେ ସବୁବେଳେ ଅଶାନ୍ତ ଲାଗି ରହୁଥିଲା। ଏବେ ଏସବୁର ଅନ୍ତ ଘଟିବାକୁ ଯାଉଛି। ଜମ୍ମୁ କଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାର ମିଳିବ। ବର୍ଷ ବର୍ଷ ଧରି ସେମାନେ ଅନ୍ୟାୟ ସହି ଆସୁଥିଲେ’’, କହିଥିଲେ ଅମିତ ଶାହ।
ଶାହ ଆହୁରି କହିଥିଲେ ଯେ, ‘‘ଆମେ ଭୋଟ ବ୍ୟାଙ୍କ ରାଜନୀତି କରୁନୁ। ଜମ୍ମୁ କଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାର ଦେବାକୁ ଚାହୁଁଛୁ। କଶ୍ମୀର ହେଉଛି ଭାରତର ଅବିଛେଦ୍ୟ ଅଙ୍ଗ।’’

















