ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ : ଜାଲ କାଗଜପତ୍ରରେ ଲୁହା ଖର୍ଦ୍ଦି ବିକ୍ରି କରି ପାଖାପାଖି ୧୩ କୋଟି ଟଙ୍କା ଜିଏସ୍‌ଟି ଟିକସ ଠକେଇ କରିଥିବା ବ୍ୟବସାୟୀ ବଲାଙ୍ଗିରସ୍ଥିତ ସିଟି ଆଣ୍ଡ ଜିଏସ୍‌ଟି ଏନଫୋର୍ସମେଣ୍ଟ୍ ସ୍କ୍ୱାଡ୍ ହାବୁଡ଼ରେ ପଡିଛି। ଦୀର୍ଘ ୨ବର୍ଷ ହେଲା କୋଟି କୋଟି ଟଙ୍କାର ଟିକସ ଫାଙ୍କି ଆସୁଥିବା ଅଭିଯୁକ୍ତକୁ ଏନଫୋର୍ସମେଣ୍ଟ୍ ସ୍କ୍ୱାଡ୍ ଗିରଫ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତ ଠକ ବ୍ୟବସାୟୀ ହେଉଛନ୍ତି ଟିଟିଲାଗଡ଼ସ୍ଥିତ ସାଇ ଇଣ୍ଟରନାସନ୍ୟାଲ୍ ମାଇନ୍ସ ଏବଂ ମିନେରାଲ୍ସର ମାଲିକ ତୀର୍ଥଶଙ୍କର ପଟେଲ। ଜିଏସ୍‌ଟି ଆଇନ ଧାରା ୬୯ ଅନୁସାରେ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଟିଟିଲାଗଡ଼ସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ମାଇନ୍ସ ଏବଂ ମିନେରାଲ୍ସର ମାଲିକ ତୀର୍ଥଶଙ୍କର ପଟେଲ ଲୁହା ବ୍ୟବସାୟ କରିବା ପାଇଁ କଣ୍ଟାବାଞ୍ଝି ସିଟି ଆଣ୍ଡ ଜିଏସ୍‌ଟି ସର୍କଲ ଅଫିସରେ ରେଜିଷ୍ଟ୍ରସନ କରାଇଥିଲେ। ଅଭିଯୁକ୍ତ ବ୍ୟବସାୟୀ ୮୪ କୋଟି ୬୮ ଲକ୍ଷ ଟଙ୍କାର ଲୁହାଜାତ ଦ୍ରବ୍ୟ କିଣି ତାହାକୁ ୮୪ କୋଟି ୭୧ ଲକ୍ଷ ଟଙ୍କାରେ ଓଡ଼ିଶା ସମେତ ପଞ୍ଜାବ ଓ ଛତିଶଗଡ଼ ଆଦି ରାଜ୍ୟରେ କେତେକ ବ୍ୟବସାୟୀଙ୍କୁ ବିକ୍ରି କରୁଥିଲା।

ଅଭିଯୁକ୍ତ ବ୍ୟବସାୟୀ ତୀର୍ଥଶଙ୍କର କାଗଜପତ୍ରରେ ଚଞ୍ଚକତା କରି ହଜାର ହଜାର ଟନ୍ କାରବାର କରିଥିବାର ଜିଏସ୍‌ଟି ଅଧିକାରୀ ତଦନ୍ତରୁ ଜାଣିବାକୁ ପାଇଛନ୍ତି।

ମାଲ ପରିବହନର କାଗଜପତ୍ରରୁ ମଧ୍ୟ ଜିଏସ୍‌ଟି ଅଧିକକାରୀ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛନ୍ତି। ପରିବହନ କାଗଜପତ୍ରରେ ବହୁ ଜାଲିଆତି ହୋଇଛି। ଦୁଇ ଚକିଆ ଯାନ, ଟ୍ରାକ୍ଟର, ବସ୍, କାର ଓ କ୍ରେନ୍ ଯୋଗେ ଟିଟିଲାଗଡ଼ରୁ ପଞ୍ଜାବ ଓ ଛତିଶଗଡ଼ ଲୁହା ଚାଲାଣ କରାଯାଇଥିବାର କାଗଜପତ୍ର ଯାଞ୍ଚରୁ ଜଣାଯାଇଛି।

ଅଭିଯୁକ୍ତ ଏମିତି ବହୁ ଜାଲ୍ ବିଲ୍ ପ୍ରସ୍ତୁତ କରି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟରୁ ପଞ୍ଜାବ ଲୁଧିଆନା ଅଞ୍ଚଳର କେତେକ ବ୍ୟବସାୟୀଙ୍କ ଜରିଆରେ ୧୨ କୋଟି ୮୪ ଲକ୍ଷ ଟଙ୍କା ଟିକସ୍ ଫାଙ୍କି କରିଥିବାର ସୂଚନା ମିଳିଛି।

ଏହି ଟିକସ୍ ଫାଙ୍କି ଘଟଣାରେ ରାଜ୍ୟ ବାହାର କେତେକ କୁଖ୍ୟାତ ଟିକସ ଠକ ମଧ୍ୟ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡିଛି। ସେମାନଙ୍କ ଚେର ଓଡ଼ିଶାକୁ ଲମ୍ବିଛି। ସମ୍ପୃକ୍ତ ଠକ ବ୍ୟବସାୟୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି।

ଜିଏସ୍‌ଟି ଆଇନ ଧାରା ୧୩୨ ଉଲଙ୍ଘନ ଅଭିଯୋଗରେ ଅଭିଯୁକ୍ତ ବ୍ୟବସାୟୀକୁ ସିଟି ଆଣ୍ଡ ଜିଏସ୍‌ଟି ଏନଫୋର୍ସମେଣ୍ଟ୍ ସ୍କ୍ୱାଡ୍ ଗିରଫ କରି ଟିଟିଲାଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଛି ବୋଲି ଅତିରିକ୍ତ ବାଣିଜ୍ୟକର କମିସନର ମାନ ଭଞ୍ଜନ ଆଚାର୍ଯ୍ୟ କହିଛନ୍ତିା

Comment