ଅସିତ ମହାନ୍ତି

ଗତ ଜୁଲାଇ ୨୯ ତାରିଖ ଦିନ ‘ଓଡ଼ିଶା ରସଗୋଲା’ ଜି.ଆଇ. ମାନ୍ୟତା ପାଇବା ଆମ ସମସ୍ତଙ୍କ ପାଇଁ ଥିଲା ଏକ ମିଠା ମିଠା ଖବର। ସେହି ମାନ୍ୟତା ପାଇଁ ତଥ୍ୟ-ପ୍ରମାଣର ମୂଳ ଭିତ୍ତି ପ୍ରସ୍ତୁତ କରିଥିବାରୁ, ଏ ଭିତରେ ଅନେକେ ମୋତେ ଅଭିନନ୍ଦନ ଜଣାଇଛନ୍ତି। ସେହି ଅଭିନନ୍ଦନର ସୁଅ ଏବେ ବି ଛୁଟିଛି। ଏଥିପାଇଁ ମୁଁ ସମସ୍ତଙ୍କୁ ନମସ୍କାର ଓ କୃତଜ୍ଞତା ଜଣାଉଛି।

କିନ୍ତୁ ଏହି ଅବସରରେ କହିରଖେ ଯେ, କୌଣସି ଜଣେ ବ୍ୟକ୍ତିର ସମୟ ଓ ଶକ୍ତି ସବୁବେଳେ ସୀମିତ। ତେଣୁ ଅନେକଙ୍କର ସହଯୋଗରେ ହିଁ ଗୋଟିଏ ଭଲକାମ ସମ୍ଭବ ହୋଇଥାଏ। ଏ କାମରେ ସେମିତି ଅନେକଙ୍କର ସହଯୋଗ ରହିଛି। ସେସବୁ ଅବଦାନ ସ୍ୱୀକାର କରିବାପାଇଁ ଏହାହିଁ ସବୁଠୁ ଭଲ ଅବସର।

ରସଗୋଲାକୁ ନେଇ ତଥ୍ୟ-ପ୍ରମାଣ ଖୋଜା ଚାଲିଥିବା ବେଳେ, ସରକାର ଯେଉଁ ବିଶେଷଜ୍ଞ କମିଟି ଗଠନ କରିଥିଲେ- ସେଥିରେ ନଅ ଜଣଙ୍କୁ ନଅଟି ବିଷୟରେ ତଥ୍ୟମୂଳକ ଲେଖା ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ପ୍ରଥମ ବୈଠକରେ ସାମ୍ବାଦିକ ଓ ଟିଭି-ବ୍ୟକ୍ତିତ୍ୱ ଶ୍ରୀ ଭକ୍ତ ତ୍ରିପାଠୀ କେତେକ ତଥ୍ୟ ସମ୍ବଳିତ ଏକ ଫାଇଲ୍‍ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସେଦିନର ପଦାଧିକାରୀ (ସୁଦର୍ଶନ ଦାସ)ଙ୍କୁ ଦେଇଥିଲେ। ଏଣୁ ଏହି ଅବସରରେ ଶ୍ରୀ ତ୍ରିପାଠୀଙ୍କୁ ଶ୍ରଦ୍ଧାର ସହିତ ସ୍ମରଣ କରୁଛି। ପରେ ପରେ ଡକ୍ଟର ତୁଳସୀ ଓଝା, ଡକ୍ଟର ଭାସ୍କର ମିଶ୍ର, ଅଧ୍ୟାପକ ସୁନୀଲ ରଥ ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର ସ୍ୱତନ୍ତ୍ର ତଥ୍ୟ ସମ୍ବଳିତ ପ୍ରବନ୍ଧ ସରକାରଙ୍କୁ ଦେଇଥିଲେ। କିନ୍ତୁ ସେସବୁ ପ୍ରବନ୍ଧ ସରକାରୀ ନଥିରେ ବନ୍ଧା ହୋଇ ସେମିତି ରହିଗଲା। ହଠାତ୍‍ ଦିନେ ନଅ ଜଣିଆ ବିଶେଷଜ୍ଞ କମିଟିର କାହାକୁ କିଛି ନ ଜଣାଇ, ସଂପୃକ୍ତ ପଦାଧିକାରୀଙ୍କ ରିପୋର୍ଟ ଆଧାରରେ ବିଭାଗୀୟ ମନ୍ତ୍ରୀ “ଓଡ଼ିଶାରେ ରସଗୋଲାର ଉତ୍ପତ୍ତି ବାବଦରେ କିଛି ତଥ୍ୟ ମିଳୁନାହିଁ” ବୋଲି ଘୋଷଣା କରିଦେଲେ। ସେଦିନ ତାହା ରାଜ୍ୟବାସୀଙ୍କୁ ଘୋର ନିରାଶ କରିଥିଲା।

ସେହି ନଅ ଜଣିଆ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଭାବରେ ମୋ ଉପରେ ଦାୟିତ୍ୱ ଥିଲା ବଙ୍ଗଳାର ଦାବିକୁ ଖଣ୍ଡନ କରି ଓଡ଼ିଶାର ଦାବିକୁ ମଣ୍ଡନ କରିବା। ତାହା ମୁଁ ସାଧ୍ୟମତେ କରିଥିଲି। ଫଳରେ ୨୦୧୬ ଜୁଲାଇ ୧୩ ତାରିଖରେ ବିଭାଗୀୟ ମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ରିପୋର୍ଟ ଦିଆଯାଇ ପାରିଥିଲା। ସେଥିରେ ଉପରୋକ୍ତ ଚାରି ପ୍ରବନ୍ଧକୁ ବି ସାମିଲ୍‍ କରାଯାଇଥିଲା। ତାହାକୁ ନଥିରେ ସାମିଲ କରିବାପାଇଁ ପ୍ରଥମେ କୌଣସି ଏକ ପତ୍ରିକାରେ ପ୍ରକାଶ କରିବା ଆବଶ୍ୟକ ଥିଲା । ସେହି ଭୂମିକା ସେତେବେଳେ ‘ପୌରୁଷ’ ପତ୍ରିକା ତୁଲାଇଥିଲା।

‘ରସଗୋଲା’ ପାଇଁ ତଥ୍ୟ ସନ୍ଧାନ କାଳରେ ମୋ ଅନୁରୋଧରେ ବହୁ ବନ୍ଧୁ ରାଜ୍ୟର ପ୍ରମୁଖ ପାଠାଗାର ଗୁଡ଼ିକରେ ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ର ସନ୍ଧାନ କରିଥିଲେ। ସେମାନେ ସଫଳ ହୋଇ ନଥିଲେ ମଧ୍ୟ, ସେମାନଙ୍କୁ ଏହି ଅବସରରେ ଶ୍ରଦ୍ଧାର ସହ ସ୍ମରଣ କରୁଛି।

କିନ୍ତୁ ‘ଦାଣ୍ଡି ରାମାୟଣ’ର ସନ୍ଧାନ କ୍ଷେତ୍ରରେ ମୋତେ ପ୍ରଥମ ସଫଳତା ଆଣି ଦେଇଥିଲେ କେଦାର ନାଥ ଗବେଷଣା  ପ୍ରତିଷ୍ଠାନର ସେଦିନର ଯୁଗ୍ମ ସଂପାଦକ ଶ୍ରୀ ଭାଗୀରଥି ମହାସୁଆର। ସେହି ‘ଦାଣ୍ଡି ରାମାୟଣ’ ଥିଲା କଟକର ଶ୍ରୀ ନିତ୍ୟାନନ୍ଦ ପୁସ୍ତକାଳୟ ଦ୍ୱାରା ପ୍ରକାଶିତ ଦ୍ୱିତୀୟ ସଂସ୍କରଣ। ‘ସମ୍ବାଦ’ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ସେ ପ୍ରମାଣ ପ୍ରକାଶପାଇବା ପରେ, ନିଜ ମନର ସନ୍ଦେହ ଦୂର କରିବା ପାଇଁ ‘ଉତ୍କଳ ସାହିତ୍ୟ ସମାଜ’ ପାଠାଗାରରେ ତାହାର ସନ୍ଧାନ କରିଥିଲେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ। ସେଠାରେ ତାଙ୍କୁ ପଣ୍ଡିତ ଗୋବିନ୍ଦ ରଥଙ୍କ ସଂପାଦିତ ‘ଦାଣ୍ଡି ରାମାୟଣ’ର ପ୍ରଥମ ମୁଦ୍ରିତ ସଂସ୍କରଣ (୧୯୧୨) ମିଳିଥିଲା । ତାହା ଫଳରେ ପ୍ରଥମ ପ୍ରମାଣଟି ଅଧିକ ବଳିଷ୍ଠ ହେଲା । ଏଣୁ ଏହି ଅବସରରେ ଏ ଦୁହିଁଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ।

୨୦୧୫ ମସିହା ମଧ୍ୟଭାଗରେ, ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏ ବାବଦରେ ମୁଁ ଲେଖିଥିବା ଲେଖା ‘ଓଡ଼ିଶାର ରସଗୋଲା: ମିଠାଯୁଦ୍ଧ’କୁ ‘ରବିବାର ସମ୍ବାଦ’ରେ ‘ମୁଖ୍ୟ ପ୍ରସଙ୍ଗ’ ଭାବରେ ୨୬ ଜୁଲାଇରେ ଛାପିଥିଲେ ଡକ୍ଟର ଗୌରହରି ଦାସ। ଏହି ଅବସରରେ ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି।

‘ବାଂଲାର ରସଗୋଲ୍ଲା’ ଯେଉଁ ଜିଆଇ ମାନ୍ୟତା ପାଇଛି, ତାହାର ମୂଳଭିତ୍ତି ପ୍ରସ୍ତୁତ କରିଥିଲେ ଶ୍ରୀ ହରିପଦ ଭୌମିକ। କୋଲକାତାର ‘ଗାଙ୍ଗଚିଲ’ ପ୍ରକାଶନ ସଂସ୍ଥା ତାଙ୍କ ‘ରସଗୋଲ୍ଲା ବାଂଲାର ଜଗତମାତାନୋ ଆବିଷ୍କାର’ ପୁସ୍ତକ ପ୍ରକାଶ କରିଥିଲେ। ଅନୁରୋଧ ରଖି ମୋ ପାଇଁ ସେହି ପୁସ୍ତକରୁ ପାଞ୍ଚ ଖଣ୍ଡ କିଣି କୋଲକାତାରୁ ପଠାଇଦେଇଥିଲେ ‘ମଲ୍ଲିକା’ର ସଂପାଦକ ଶ୍ରୀ ସୁଶାନ୍ତ ପଣ୍ଡା। ଏଣୁ ଏହି ଅବସରରେ ତାଙ୍କୁ କୃତଜ୍ଞତା ଜଣାଉଛି।

ଏହା ବ୍ୟତୀତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ‘ଇନ୍ଦ୍ରଧନୁ’ ପତ୍ରିକା (୧୮୯୩) ପୃଷ୍ଠାରୁ ‘ବାଲିଯାତ୍ରା’ କବିତା, ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ଦାଶ ‘ଉତ୍କଳ ସାହିତ୍ୟ’ (୧୯୦୪) ପୃଷ୍ଠାରୁ ଫକୀରମୋହନଙ୍କ ଭ୍ରମଣକାହାଣୀ ‘ଓୟାଲ୍‍ଟେୟାର ଦର୍ଶନ’ ଏବଂ ଡକ୍ଟର ଫଣୀନ୍ଦ୍ରଭୂଷଣ ନନ୍ଦ ଦୈନିକ ‘କଳିଙ୍ଗ’ (୧୯୬୮) ପୃଷ୍ଠାରୁ  ସୁରେନ୍ଦ୍ର ମହାନ୍ତିଙ୍କ ‘ରସଗୋଲା’ ସଂପାଦକୀୟ ଯୋଗାଇ ଦେଇଛନ୍ତି। ଏସବୁ ସହିତ ହିନ୍ଦୀ ଓ ବଙ୍ଗଳାର କେତୋଟି ପ୍ରମୁଖ ଅଭିଧାନ ଓ ବିଶ୍ୱକୋଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇ ଦେଇଛନ୍ତି ‘ଭାରତୀୟ ଭାଷା ସଂସ୍ଥାନ’ର ଡକ୍ଟର ସନ୍ତୋଷ କୁମାର ମହାନ୍ତି। ଏସବୁ ଥିଲା ‘ଓଡ଼ିଶାର ରସଗୋଲା’ ବାବଦରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ‘ସୃଜନିକା’ ଅନୁଷ୍ଠାନର ୱେବ୍‍ସାଇଟ୍‍ (ସଂପ୍ରତି ‘ଓଡ଼ିଆ ବିଭବ’)ରୁ ‘ଉତ୍କଳ ଦୀପିକା’ ସମେତ ବହୁ ପ୍ରାଚୀନ ଅଭିଧାନର ସୂତ୍ର ମଧ୍ୟ ମୋତେ  ମିଳିଛି । ଏଣୁ ଏହି ଅବସରରେ ସେହି ମହାନ ଅନୁଷ୍ଠାନର ପୁରୋଧା ନିଖିଳ ମୋହନ ପଟ୍ଟନାୟକ ଓ ଅନ୍ୟ ସହଯୋଗୀମାନେ ମଧ୍ୟ ମୋର ଆନ୍ତରିକ କୃତଜ୍ଞତାର ପାତ୍ର।

ଏହି ସଂଗ୍ରାମରେ ଆହୁରି ଅନେକେ ସହଯୋଗ କରିଛନ୍ତି। ସେମାନଙ୍କ ମଧ୍ୟରୁ ଡକ୍ଟର ଅନିତା ସାବତ ପ୍ରମୁଖ। ସୋସିଆଲ୍‍ ମିଡ଼ିଆରେ ପ୍ରଚାର କରି ୨୦୧୫ ମସିହାଠାରୁ ‘ରସଗୋଲା ଦିବସ’ ପାଳନ କରାଇବା ସହିତ, ‘କୋର୍‍ ଟିମ୍‍’ରେ ରହି ସେ କାମ କରିଛନ୍ତି। ବୈଜ୍ଞାନିକ ଡକ୍ଟର ପ୍ରମୋଦ କୁମାର ପଣ୍ଡା ଓ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଶ୍ରୀ କମଳାକାନ୍ତ ସାହୁ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡ଼୍‍ଭୋକେଟ୍‍ ଶ୍ରୀ ସିଦ୍ଧାର୍ଥ ଦାଶ, ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଡକ୍ଟର ସୁଶାନ୍ତ କୁମାର ରାଉତ, ସାଲେପୁର ରସଗୋଲାର ଶ୍ରୀ ପ୍ରଶାନ୍ତ କୁମାର କର, ପାହାଳ ରସଗୋଲାର ଶ୍ରୀ ପପୁ ଲେଙ୍କା ଓ ଅନ୍ୟମାନେ, ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ଶ୍ରୀ ବିମ୍ବାଧର ବେହେରା ପ୍ରମୁଖ ଏଥିପାଇଁ ବିଶେଷ ସହଯୋଗ ଓ ବୈଷୟିକ ସହାୟତା କରିଛନ୍ତି। ଏ ସମସ୍ତେ ଅନେକ କୃତଜ୍ଞତାର ପାତ୍ର।

ବହୁ ସରକାରୀ ପଦାଧିକାରୀଙ୍କର ସକ୍ରିୟ ସହଯୋଗ ମଧ୍ୟ ଏହି ସଫଳତା ପଛରେ ରହିଛି। ଏମ.ଏସ୍‍.ଏମ୍‍.ଇ. ବିଭାଗର ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଏଲ୍‍.ଏନ୍‍.ଗୁପ୍ତା, ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ସେଦିନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରତ୍ନାକର ରାଉତ ଓ ବର୍ତ୍ତମାନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ.ଜେନା, ଉପ ମହାନିର୍ଦ୍ଦେଶକ ଶ୍ରୀମତୀ ନିରୁପମା ସ୍ୱାଇଁ ପ୍ରମୁଖଙ୍କ ଆନ୍ତରିକ ପ୍ରଚେଷ୍ଟା ଏହି ସଫଳତା ପାଇଁ ପଥ ପ୍ରସ୍ତୁତ କରିଛି। ଏ ଦିଗରେ ଅବସରପ୍ରାପ୍ତ ଆଇ.ଏ.ଏସ୍‍. ଶ୍ରୀ ବିବେକ ପଟ୍ଟନାୟକ ଓ ଡକ୍ଟର ସୁବାସ ପାଣି ବିଭିନ୍ନ ସମୟରେ ପ୍ରୟୋଜନୀୟ ପରାମର୍ଶ ଦେଇଛନ୍ତି। ଏ ସମସ୍ତଙ୍କୁ ଏହି ଅବସରରେ ଅଶେଷ କୃତଜ୍ଞତା ଜଣାଉଛି।

ବିଭିନ୍ନ ସମୟରେ ମୁଁ ଲେଖିଥିବା ‘ରସଗୋଲା’ ସଂପର୍କିତ ଲେଖାଗୁଡ଼ିକୁ ସଂପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ‘ସମ୍ବାଦ’ରେ, ଡକ୍ଟର ଇତିରାଣୀ ସାମନ୍ତ ‘କାଦମ୍ବିନୀ’ରେ, ଶ୍ରୀ ସୁନୀଲ ପୃଷ୍ଟି ‘ଶିଶିର’ରେ ଏବଂ ଶ୍ରୀ ଲେନିନ୍‍ ମହାନ୍ତି ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭିଉ’ରେ ଛାପିଛନ୍ତି। ଶ୍ରୀ ପୀତବାସ ରାଉତରାୟ ‘ମୁକ୍ତ ଚିନ୍ତନ ମଞ୍ଚ’ରେ, ଶ୍ରୀ ଗୋକୁଳ ପଟ୍ଟନାୟକ ଦିଲ୍ଲୀର ‘ଓଡ଼ିଶା ଫୋରମ୍‍’ରେ, ଶ୍ରୀ ପ୍ରଶାନ୍ତ କର ସାଲେପୁରର ‘ବିକଳାନନ୍ଦ କର ଇନ୍‍ଷ୍ଟିଚ୍ୟୁଟ୍‍’ରେ ଏ ବାବଦ ସଚିତ୍ର ବକ୍ତବ୍ୟ ଉପସ୍ଥାପନ କରିବାର ସୁଯୋଗ ଦେଇଛନ୍ତି।

‘ଆମ ଓଡ଼ିଶା’ ପକ୍ଷରୁ ମୋ ଲିଖିତ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ବହି ପ୍ରକାଶ ପାଇବା ପରେ ତାହାର ପ୍ରଚାର ପ୍ରସାର ପାଇଁ ମାଗଣାରେ ଏକ ମୁକ୍ତ ମଞ୍ଚ ଯୋଗାଇ ଦେଇଥିଲେ ‘ରାଜଧାନୀ ପୁସ୍ତକ ମେଳା’ କମିଟିର ସଭାପତି ଶ୍ରୀ ଉପେନ୍ଦ୍ର ଜେନା। ‘ତରଙ୍ଗ’ ଚାନେଲ୍‍ ପକ୍ଷରୁ ଓଡ଼ିଶା ଟେଲିଭିଜନ୍‍ ଗ୍ରୁପ୍‍ ମଧ୍ୟ ସ୍ୱତନ୍ତ୍ର ‘ରସଗୋଲା ମହୋତ୍ସବ’ ପାଳନ କରି ଏଥିପାଇଁ ଆଦୃତିର କ୍ଷେତ୍ର ପ୍ରସ୍ତୁତ କରିଥିଲେ। ଏମାନେ ସମସ୍ତେ ମୋର କୃତଜ୍ଞତାର ପାତ୍ର।

ଆହୁରି ଅନେକ ଅଛନ୍ତି- ଯଥା ଭୁବନେଶ୍ୱର ମୁଖ୍ୟ ମହା ଡାକପାଳ ଶ୍ରୀ ସନ୍ତୋଷ କୁମାର କମିଳା ଓ ପୁରୀ ‘ଶ୍ରୀକ୍ଷେତ୍ର ସାଙ୍ଗୀ’ର ଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଓ ସିନେ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର। ଏମାନଙ୍କ ସହଯୋଗରେ ୨୦୧୮ ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ‘ପାଲିଙ୍କି-ବାହିତ ନୀଳାଦ୍ରିବିଜେ ରସଗୋଲା’ ନାମରେ ଏକ ସ୍ୱତନ୍ତ୍ର ଲଫାଫା’ ଉନ୍ମୋଚିତ ହୋଇପାରିଥିଲା। ଏମାନେ ମଧ୍ୟ ଅନେକ କୃତଜ୍ଞତାର ପାତ୍ର।

ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଏହାର ନେପଥ୍ୟ ନିୟାମକ ହୋଇଛି। ତାହା ହେଉଛି- ଚେନ୍ନାଇସ୍ଥିତ ଜି.ଆଇ. ଦପ୍ତରରେ ‘ବାଂଲାର ରସଗୋଲ୍ଲା’ର ମାନ୍ୟତା ରଦ୍ଦ କରିବାପାଇଁ ଗୋଟିଏ ମାମଲା ଏବଂ  ଓଡ଼ିଶା ସରକାରଙ୍କୁ ଜି.ଆଇ. ଆବେଦନ କ୍ଷେତ୍ରରେ ତତ୍ପର କରିବାପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଉ ଗୋଟିଏ ମାମଲା। ଏଥିରେ ସଂଗ୍ରାମୀ ଭୂମିକା ନିର୍ବାହ କରିଛନ୍ତି ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ର ଅଧ୍ୟକ୍ଷ ଶ୍ରୀ ମନୋରଂଜନ ମହାପାତ୍ର ଓ ସଂଗଠନ ସଂପାଦକ ଶ୍ରୀ ସୁଶାନ୍ତ, ‘ଓଡ଼ିଆ ପର୍ବ’ ପତ୍ରିକାର ସଂପାଦକ ଶ୍ରୀ ସନ୍ତୋଷ କୁମାର ସାହୁ ଏବଂ ଚନ୍ଦକା ସ୍ଥିତ ରିଜିଓନାଲ୍‍ ଡେଭଲେପମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ସାହୁ। ଏମାନେ ସମସ୍ତେ ଅନେକ କୃତଜ୍ଞତାର ଅଧିକାରୀ।

‘ଓଡ଼ିଶାର ରସଗୋଲା’ ବାବଦରେ ଯେଉଁ ଆଲେଖ୍ୟ ମୁଁ ପ୍ରାଥମିକ ଭାବରେ ପ୍ରସ୍ତୁତ କରିଥିଲି, ଆଗ୍ରହର ସହିତ ତାହାକୁ ଇଂରାଜୀରେ ଅନୁବାଦ କରିଥିଲେ ସୁଖ୍ୟାତ ଅନୁବାଦିକା ଶ୍ରୀମତୀ ସୁପ୍ରିୟା କର। ଏହା ଫଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରଚାର, ପ୍ରସାର ସହଜ ହେଲା । Orissa Matters ଓ Scribd.com ରେ ତାହାକୁ ସ୍ଥାନିତ କରି ଏହାର ପ୍ରଚାର, ପ୍ରସାରକୁ ବ୍ୟାପକ କରାଇଥିଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ଏ ଦୁହିଁଙ୍କୁ ମଧ୍ୟ ଏହି ଅବସରରେ ବିଶେଷ କୃତଜ୍ଞତା ଜଣାଉଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଦା ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ବହି ଖଣ୍ଡିଏ ପାଇ ସେଥିପାଇଁ  ଟୁଇଟ୍ କରି ମୋତେ ଉତ୍ସାହିତ କରିଥିଲେ। ଏହି ଅବସରରେ ତାଙ୍କୁ ସ୍ମରଣ କରୁଛି।

ଏହିପରି ଆହୁରି ଅନେକେ ନେପଥ୍ୟରେ ରହି ‘ଓଡ଼ିଶା ରସଗୋଲା’ ପାଇଁ କାମ କରିଛନ୍ତି । ‘ଆମ ଓଡ଼ିଶା’ ଓ ‘ସମ୍ବାଦ’ର ବହୁ ସହଯୋଗୀ ସେମାନଙ୍କ ଭିତରେ ଅଛନ୍ତି। ବାହାରର ଅନେକଙ୍କୁ ହୁଏତ ଏଠି ମୁଁ ହଠାତ୍ ମନେ ପକାଇ ପାରୁନାହିଁ। ତେବେ ଏତିକି କହିବି ଯେ ଏହିପରି ଅନେକଙ୍କ ସହଯୋଗ ଫଳରେ ଆମ ରସଗୋଲା ଆଜି ଜି.ଆଇ. ମାନ୍ୟତା ପାଇଛି ।

ଏଣୁ ଏହି ଅବସରରେ ସଂପୃକ୍ତ ସମସ୍ତଙ୍କୁ ଆଉଥରେ ନମସ୍କାର ଓ କୃତଜ୍ଞତା ଜଣାଉଛି ।

(ଅସିତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଗବେଷକ ଏବଂ ଓଡ଼ିଆ ସଂସ୍କୃତି ବିଶେଷଜ୍ଞ। ନିକଟରେ ସେ ସୋସିଆଲ ମିଡିଆରେ ଏହି ଲେଖା ମାଧ୍ୟମରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ପଛରେ ଥିବା ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି।)

LEAVE A REPLY

Please enter your comment!
Please enter your name here