ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗକୁ ଆସୁଛି ୭୩ତମ ସ୍ୱାଧିନତା ଦିବସ। ଏହାକୁ ପାଳନ କରିବାକୁ ଯାଇ ଓଡ଼ିଶାଲାଇଭ୍ ଡିଜିଟାଲ୍ ପ୍ଲାଟଫର୍ମ ‘ମୋ ଦେଶ, ମୋ ଭାବନା’ ଶୀର୍ଷକରେ ଏକ ୱେବ୍ ସିରିଜ୍ ଆରମ୍ଭ କରିଛି। ଏହି ଭିଡିଓ ସିରିଜ୍ ମାଧ୍ୟମରେ ଓଡ଼ିଶାର ଯୁବପିଢ଼ିମାନେ ସେମାନଙ୍କ ମନରେ ଥିବା ଦେଶପ୍ରେମ ଓ ଭାରତୀୟ ଚେତନାକୁ ନିଜ ଢଙ୍ଗରେ ଉପସ୍ଥାପନ କରିବାର ସୁଯୋଗ ପାଉଛନ୍ତି।

ଅଗଷ୍ଟ ୧୦ ତାରିଖରୁ ‘ମୋ ଦେଶ, ମୋ ଭାବନା’ ସିରିଜ୍‌ର ଭିଡିଓ ଓଡ଼ିଶାଲାଇଭ୍‌ର ୟୁ ଟ୍ୟୁବ୍ ଚ୍ୟାନେଲ୍ ଏବଂ ଫେସ୍‌ବୁକ୍ ପେଜ୍‌ରେ ପୋଷ୍ଟ କରାଯାଉଛି। ଏହି ସୋସିଆଲ୍ ମିଡିଆ ମାଧ୍ୟମରେ ଦର୍ଶକଙ୍କ ସହ ନୂଆ ପିଢ଼ି ମଧ୍ୟରେ ଥିବା ଜାତୀୟତାକୁ ଯୋଡ଼ିବା ପାଇଁ ଏହା ଏକ ଉଦ୍ୟମ ବୋଲି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ କହିଛନ୍ତି।

ଓଡ଼ିଶାଲାଇଭ୍ ଟିମ୍ ବିଭିନ୍ନ ସ୍ଥାନରେ ପହଞ୍ଚି ଯୁବପିଢ଼ିଙ୍କ ମଧ୍ୟରେ ଥିବା ଭାରତୀୟ ଭାବନାକୁ କ୍ୟାମେରାରେ ଧରିରଖିବା ପାଇଁ ଚେଷ୍ଟା କରୁଛି। ବିଶେଷକରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ମୋ ଦେଶ, ମୋ ଭାବନା’ ଭିଡିଓ ସିରିଜ୍ ମାଧ୍ୟମରେ ବିଭିନ୍ନ ଦେଶାତ୍ମବୋଧ ଗୀତ ଗାଇ ଗଭୀର ଜାତୀୟତା ପ୍ରଦର୍ଶନ କରୁଛନ୍ତି।

ଏହି ଯୁବପିଢ଼ିଙ୍କ ମଧ୍ୟରେ କେତେକ କଳାକାରଙ୍କୁ ମଧ୍ୟ ଓଡ଼ିଶାଲାଇଭ୍ ଠାବ କରିବାକୁ ସକ୍ଷମ ହୋଇଛି। ସେମାନେ ବିଧିବଦ୍ଧ ଭାବରେ ହୁଏତ ସଂଗୀତ ଶିକ୍ଷା ନେଇନାହାନ୍ତି କିମ୍ବା ସଂଗୀତକୁ କ୍ୟାରିଅର୍ ହିସାବରେ ଗଢ଼ିତୋଳିବାକୁ ଚିନ୍ତା କରିନାହାନ୍ତି। କିନ୍ତୁ ଜଣେ ସଚ୍ଚା ଭାରତୀୟ ଭାବରେ ସେମାନେ ଯେଉଁ ଆବେଗ ଦେଇ ବିଭିନ୍ନ ଦେଶାତ୍ମବୋଧ ଗୀତ ପରିବେଷଣ କରୁଛନ୍ତି ତାହା ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ତୋଳିଧରୁଛି।

ଏହି ଅବସରରେ ଯୁବପିଢ଼ି ବିଶେଷକରି ଛାତ୍ରଛାତ୍ରୀମାନେ ଭାରତର ଅଖଣ୍ଡତା ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀ ପ୍ରତି ସେମାନଙ୍କର ଗଭୀର ସମ୍ମାନ ପ୍ରଦର୍ଶନ କରୁଛନ୍ତି। ଏହି ଭାବନାକୁ ସେମାନେ ମୁଖ୍ୟତଃ ସଙ୍ଗୀତ ମାଧ୍ୟମରେ ପରିବେଷଣ କରି ଦେଶ ପ୍ରତି ସେମାନଙ୍କ ଭଲ ପାଇବାକୁ ଦେଖାଉଛନ୍ତି।

Comment