ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଚିଠି କରିଛନ୍ତି।

ଜିଲ୍ଲା ସ୍ତରରେ ଜରୁରିକାଳୀନ କେନ୍ଦ୍ରକୁ ୨୪ ଘଣ୍ଟା ଖୋଲା ରଖିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା ସହିତ ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳ ମହଜୁଦ ରଖିବାକୁ ଏସ୍‌ଆର୍‌ସି ଚିଠିରେ ଉଲ୍ଲେଖ କରିଛନ୍ତି।

ଜଳମଗ୍ନ ହୋଇ ଯାଉଥିବା ରାସ୍ତା ଓ ବ୍ରିଜରେ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି।

ରାଜ୍ୟର ପ୍ରାୟ ସବୁ ଜିଲ୍ଲରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ମଙ୍ଗଳବାର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗିର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ୱେଲୋ ୱାଣ୍ଣିଂ କରାଯାଇଛି।

୧୪ ତାରିଖରେ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି।

ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ କରାଯାଇଛି।

ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୪୮ ଘଣ୍ଟା ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Comment