ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୩ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାଲାଇଭ ପକ୍ଷରୁ ”ମୋ ଦେଶ, ମୋ ଭାବନା” ନାମକ ଏକ ଓ୍ୱେବ ସିରିଜ ଆରମ୍ଭ ହୋଇଛି। ଏହି ଓ୍ୱେବ ସିରିଜ ଜରିଆରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଶ ପ୍ରତି ଥିବା ତାଙ୍କର ଭଲ ପାଇବାକୁ ଗୀତ ମାଧ୍ୟମରେ ପ୍ରକାଶ କରୁଛନ୍ତି।

ଦେଶ ପ୍ରତି ଭଲ ପାଇବା, ଦେଶ ପ୍ରତି ସମ୍ମାନ ସମସ୍ତଙ୍କ ଭିତରେ ଥାଏ। ହେଲେ ଏହାକୁ ପ୍ରକାଶ କରିବାର ମାଧ୍ୟମ ସମସ୍ତଙ୍କର ଭିନ୍ନ। ଓଡ଼ିଶାଲାଇଭ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଓ୍ୱେବସିରିଜ କିନ୍ତୁ ଗୀତ ମାଧ୍ୟମରେ ଦେଶ ପ୍ରତି ଥିବା ଭଲ ପାଇବା ଉପସ୍ଥାପନ କରିବାର ସୁଯୋଗ ଯୋଗାଇଛି।

ଓଡ଼ିଶାଲାଇଭ୍‌ ଟିମ୍‌ ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ଯାଇ ଯୁବପିଢ଼ିଙ୍କ ମଧ୍ୟରେ ଥିବା ଜାତୀୟତା ଭାବନାକୁ ଧରିବା ପାଇଁ ଚେଷ୍ଟା କରିଛି। ଏହି କ୍ରମରେ ଟିମ୍‌ ପହଞ୍ଚିଥିଲା ଉତ୍କଳ ବିଶ୍ୱବିଦ୍ୟାଳୟରେ। ସେଠାରେ ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ ଏକ ସୁନ୍ଦର ଦେଶାତ୍ମକ ଗୀତ ଗାଇ ଦେଶପ୍ରତି ଥିବା ତାଙ୍କର ଭଲ ପାଇବାକୁ ପ୍ରକାଶ କରିଥିଲେ।

ଏହି ଯୁବପିଢ଼ିଙ୍କ ମଧ୍ୟରେ କେତେକ କଳାକାରଙ୍କୁ ମଧ୍ୟ ଓଡ଼ିଶାଲାଇଭ୍ ଠାବ କରିବାକୁ ସକ୍ଷମ ହୋଇଛି। ସେମାନେ ବିଧିବଦ୍ଧ ଭାବରେ ହୁଏତ ସଂଗୀତ ଶିକ୍ଷା ନେଇନାହାନ୍ତି କିମ୍ବା ସଂଗୀତକୁ କ୍ୟାରିଅର୍ ହିସାବରେ ଗଢ଼ିତୋଳିବାକୁ ଚିନ୍ତା କରିନାହାନ୍ତି। କିନ୍ତୁ ଜଣେ ସଚ୍ଚା ଭାରତୀୟ ଭାବରେ ସେମାନେ ଯେଉଁ ଆବେଗ ଦେଇ ବିଭିନ୍ନ ଦେଶାତ୍ମବୋଧ ଗୀତ ପରିବେଷଣ କରୁଛନ୍ତି ତାହା ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ତୋଳିଧରୁଛି।

ଏହି ଅବସରରେ ଯୁବପିଢ଼ି ବିଶେଷକରି ଛାତ୍ରଛାତ୍ରୀମାନେ ଭାରତର ଅଖଣ୍ଡତା ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀ ପ୍ରତି ସେମାନଙ୍କର ଗଭୀର ସମ୍ମାନ ପ୍ରଦର୍ଶନ କରୁଛନ୍ତି। ଏହି ଭାବନାକୁ ସେମାନେ ମୁଖ୍ୟତଃ ସଙ୍ଗୀତ ମାଧ୍ୟମରେ ପରିବେଷଣ କରି ଦେଶ ପ୍ରତି ସେମାନଙ୍କ ଭଲ ପାଇବାକୁ ଦେଖାଉଛନ୍ତି

Comment